ରାୟଗଡ଼ା,୨୨।୧୨(ସ୍ବ.ପ୍ର.): ରାୟଗଡା ସହର ରୟତ କଲୋନୀର ଏକ ଘରେ ଗୁରୁବାର ଶର୍ଟ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ପ୍ରାୟ ୭୦ ହଜାର ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି।
ସୂଚନାଯୋଗ୍ୟ, ରାୟତ କଲୋନୀ ୩ୟ ଲେନରେ ରହୁଥିବା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ମଞ୍ଜୁଳା କାର୍ଜିଙ୍କ ଘରେ ଶର୍ଟ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡ ସମୟରେ ଘରେ କେହି ନ ଥିଲେ। ହେଲେ ତାଙ୍କ ଘରେ ରହୁଥିବା ପୋଷା କୁକୁରଟି ଘର ଭିତରେ ରହିଥିଲା। ଏହି ସମୟରେ ମଞ୍ଜୁଳାଙ୍କ ଦୁଇ ପୁତୁରା ବାହାରକୁ ଯାଇଥିବା ବେଳେ ମଞ୍ଜୁଳା ପଡୋଶୀଙ୍କ ଘରେ ବସିଥିଲେ। କ୍ଷୀର ବାଲା କ୍ଷୀର ଦେବା ପାଇଁ ଡାକିବାରୁ ମଞ୍ଜୁଳା ଆସି ଘର କବାଟ ଖୋଲିବା ବେଳେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଫୋନ କରିଥିଲେ। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।