ୟୁକ୍ରେନ୍‌ରୁ ଫେରୁଛନ୍ତି ଭାରତୀୟ ଛାତ୍ରଙ୍କ ପ୍ରଥମ ଦଳ

କ୍ୱିଭ୍‌,୨୫।୨: ଲଗାତାର ଭାବେ ୟୁକ୍ରେନରେ ନିଜର ସ୍ଥିତିକୁ ମଜଭୂତ କରୁଛି ରୁଷିଆ। ତୁହାକୁ ତୁହା ଆକ୍ରମଣ କରି ଦେଶର ଅନେକ ଅଞ୍ଚଳକୁ ନିଜ ଦଖଲକୁ ନେଉଛି। ଏଭଳି ପରିସ୍ଥିତିରେ ୟୁକ୍ରେନ୍‌ରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତୀୟ ଛାତ୍ର ଥିବା ପ୍ରଥମ ଦଳ ରୋମାନିଆ ସୀମାକୁ ପଠାଯାଇଛି। ସେଠାରୁ ସେମାନେ ଭାରତ ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡ଼ିଛି।

ଭାରତୀୟ ଦୂତାବାସର କ୍ୟାମ୍ପ କାର୍ଯ୍ୟାଳୟଗୁଡ଼ିକ ବର୍ତ୍ତମାନ ପଶ୍ଚିମ ୟୁକ୍ରେନ୍‌ର ଲଲିଭ ଏବଂ ଚେର୍ନିଭଟି ସହରରେ କାର୍ଯ୍ୟ କରୁଛନ୍ତି। ଏବେ ଭାରତରୁ ଦୁଇଟି ସ୍ବତନ୍ତ୍ର ବିମାନ ରୋମାନିଆ ସୀମାକୁ ପଠାଯାଇଛି। ସେଠାରୁ ଭାରତୀୟ ନାଗରିକଙ୍କୁ ନେଇ ସେମାନେ ନିରାପଦରେ ସ୍ବଦେଶ ଫେରିବେ।

କହିରଖୁଛୁ, ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ସ୍ବଦେଶକୁ ଅଣାଯିବ। ଏଥିପାଇଁ ବିମାନର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସିସିଏସ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାପୂର୍ବରୁ ୟୁକ୍ରେନରୁ ଛାତ୍ରମାନଙ୍କୁ ଫେରାଇ ଆଣିବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଥିବା ନେଇ ବର୍ହିବ୍ୟାପାର ସଚିବ ହର୍ଷବର୍ଦ୍ଧନ ସୂଚନା ଦେଇଥିଲେ।

Share