ମାନବର ପ୍ରଥମ ବିବର୍ତ୍ତନ ୟୁରୋପରେ ହୋଇଥିଲା

ଟରୋଣ୍ଟୋ,୫ା୯:ମାନବର ବିବର୍ତ୍ତନ ପ୍ରଥମେ ଆଫ୍ରିକାରେ ନୁହେଁ ବରଂ ୟୁରୋପରେ ହୋଇଥିଲା ବୋଲି ନୂଆ ସର୍ଭେରୁ ଜଣାପଡ଼ିଛି। ଯଦି ଏହି ସର୍ଭେ କଥା ସତ ହୁଏ, ତେବେ ଏକଥା କୁହାଯାଇପାରିବ ମାଙ୍କଡ଼ରୁ ମଣିଷର କ୍ରମ ବିବର୍ତ୍ତନ ପ୍ରଥମେ ୟୁରୋପରୁ ଆରମ୍ଭ ହୋଇଥିଲା। ସେହି ନିର୍ଦ୍ଦିଷ୍ଟ ପ୍ରଜାତିର ମାଙ୍କଡ଼ମାନେ ପ୍ରଥମେ ୟୁରୋପରେ ବାସ କରୁଥିଲେ। ତେଣୁ ପୂର୍ବରୁ ଆଫି୍ରିକାରୁ ପ୍ରଥମେ ମାନବର ବିବର୍ତ୍ତନ ହେବା କଥା ଯାହା କୁହାଯାଉଥିଲା ତାହା ଭୁଲ ହୋଇପାରେବୋଲି ଏହି ସର୍ଭେରେ କୁହାଯାଇଛି। ଆଦିମ ମାଙ୍କଡ଼ର ଖପୁରି ବିଷୟରେ ଗବେଷଣା କରିବା ପରେ ଏକଥା ଜଣାପଡ଼ିଛି। ଏହି ଆଦିମ ମାଙ୍କଡ଼ ଖପୁରିକୁ ଆନାଡୋଲୁଭିୟସ ତୁର୍କେ ବୋଲି କୁହାଯାଉଛି। ଏହି ଖପୁରି ତୁର୍କୀର କାନ୍‌କିରି ଅଞ୍ଚଳରୁ ପ୍ରଥମେ ଠାବ କରାଯାଇଥିଲା। ଏହା ପ୍ରାୟ ୮.୭ ନିୟୁତ ବର୍ଷ ତଳର ବୋଲି ଗବେଷଣାରୁ ଜଣାପଡ଼ିଛି। ଏହି ସର୍ଭେରେ ଏକଥା ମଧ୍ୟ ଦାବି କରାଯାଇଛି, ଆଫ୍ରିକୀୟ ମାଙ୍କଡ଼ ଏବଂ ମନୁଷ୍ୟର ବିବର୍ତ୍ତନ ପ୍ରଥମେ ୟୁରୋପରୁ ହିଁ ଆରମ୍ଭ ହୋଇଛି। ୟୁରୋପୀୟ ମାଙ୍କଡ଼ ଓ ଆଦିମ ମାନବମାନେ ଜଳବାୟୁ ପରିବର୍ତ୍ତନ କିମ୍ବା ଅନ୍ୟ କୌଣସି କାରଣରୁ ୟୁରୋପ ଛାଡ଼ି ପ୍ରାୟ ୭ ନିୟୁତ ବର୍ଷ ପୂର୍ବେ ଆଫ୍ରିକା ଚାଲି ଆସିଥିଲେ। ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ମାନବ ବିଜ୍ଞାନ ପ୍ରଫେସର ଡେଭିଡ ବେଗୁନ କହିଛନ୍ତି, ମଣିଷର ପୂର୍ବ ଅବସ୍ଥା(ବଣମଣିଷ)କେବଳ ଯେ ପଶ୍ଚିମ ଏବଂ କେନ୍ଦ୍ରୀୟ ୟୁରୋପରେ ବିବର୍ତ୍ତନ ହୋଇଥିଲା ତାହା ନୁହେଁ ବରଂ ଏହା ସେଠାରେ ପ୍ରାୟ ୫ ନିୟୁତ ବର୍ଷ ଧରି ରହିଥିଲା। ପରେ ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲ ଅବକ୍ଷୟ ଯୋଗୁ ଆଫି୍ରିକାକୁ ସ୍ଥାନାନ୍ତର ହୋଇଥିଲା। ପ୍ରଫେସର ଡେଭିଡ ଏକଥା ମଧ୍ୟ କହିଛନ୍ତି, ପ୍ରାୟ ୮ ନିୟୁତ ବର୍ଷ ପୂର୍ବେ ଏହି ଆଦିମ ମାନବ ଓ ମାଙ୍କଡ଼ ଶ୍ରେଣୀ ମଧ୍ୟରେ ସାମଞ୍ଜସ୍ୟ ରହିଥିଲା। ପରେ ସମୟାନୁକ୍ରମେ ଭିନ୍ନ ହୋଇଥିଲା। ଶୁଖିଲା ପରିବେଶ ଏବଂ ସେତେବେଳର ଜୀବନଶୈଳୀ ଅନୁସାରେ ମାଙ୍କଡ଼ ମାନଙ୍କ ଓଜନ ୧୧୦ରୁ ୧୩୦ ପାଉଣ୍ଡ ଥାଇପାରେ ବୋଲି ଗବେଷଣାରୁ ଜଣାପଡ଼ିଛି।

Share