ବ୍ରାହ୍ମଣୀରେ ପ୍ରଥମ ବନ୍ୟା

ଧର୍ମଶାଳା,୪ା୮(ବଟକୃଷ୍ଣ ପରିଡ଼ା): ଓଡ଼ିଶାର ଦ୍ୱିତୀୟ ବୃହତମ ନଦୀ ବ୍ରହ୍ମଣୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି। ଗୁରୁବାର ସନ୍ଧ୍ୟା ୬ଟାସୁଦ୍ଧା ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଥିବାବେଳେ ସନ୍ଧ୍ୟା ୭ଟା ସୁଦ୍ଧା ସ୍ଥିର ରହିଛି। ବନ୍ୟାଜଳ କମିବା ସମ୍ଭାବନା ଥିବା ଜାରକା ଜଳ ସମ୍ପଦ ଡିଭିଜନ ପକ୍ଷରୁ ସୂଚନା ଦିଆଯଇଛି।
ଦୁଇଦିନ ଲଗାଣ ବର୍ଷା ସହ ବ୍ରାହ୍ମଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ଏହି ବନ୍ୟା ସୃଷ୍ଟି ହୋଇଛି। ବ୍ରାହ୍ମଣୀର ଉପନଦୀ ସମଲ ବ୍ୟାରେଜର ୭ଟି ଗେଟ ବୁଧବାର ଖୋଲିବା ଫଳରେ ଗୁରୁବାର ସକାଳୁ ବ୍ରାହ୍ମଣୀର ବନ୍ୟାଜଳ ବୃଦ୍ଧି ପାଇ ଜେନାପୁରଠାରେ ଥିବା ବିପଦସଙ୍କେତ ୬୭ ଫୁଟରୁ ୬୭.୨୦ ଫୁଟରେ ପ୍ରବାହିତ ହୋଇଥିଲା। ଫଳରେ ଧର୍ମଶାଳା ବ୍ଲକର ବ୍ରାହ୍ମଣୀ ନଦୀ ଅଞ୍ଚଳ ଗ୍ରାମଗୁଡିକରେ ବନ୍ୟାଜଳ ପ୍ରବେଶ କରିଛି। ଧର୍ମଶାଳା ଅତିରିକ୍ତ କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏହି ବ୍ଲକରେ ୨ ଦିନରେ ୯୮ ମିଲି ମିଟର ବର୍ଷା ହେବା ଫଳରେ ସାହାଣୀଢ଼ିହ, ଜେନାପୁର, ବୃନ୍ଦାଦେଇପୁର, ଗଙ୍ଗାଧରପୁର, ଏଣ୍ଡଳବା, ତାଳଜଙ୍ଗ, କୁମାରୀ ପଞ୍ଚାୟତର ୪୨୦ ହେକ୍ଟର ଧାନଚାଷ ଓ ୩୦ ହେକ୍ଟର ଅଣଚାଷ ଜମି ଜଳମଗ୍ନ ହୋଇଛି। ବର୍ଷା ପାଣି ଦିନେ ଦୁଇ ଦିନ ମଧ୍ୟରେ ନିଷ୍କାସନ ନ ହେଲେ ଫସଲ ପଚିଜିବ। ଜାରକା ଜଳସମ୍ପଦ ବିଭାଗ ଡିଭିଜନ ନିର୍ବାହୀ ଯନ୍ତ୍ରୀ କାମଦେବ ଦାସ କହିଛନ୍ତି, ବ୍ରାହ୍ମଣୀ ନଦୀର ବନ୍ୟାଜଳ ଅପରାହ୍ନ ୪ଟାରୁ ସ୍ଥିର ରହିଛି। ଅଉ ବଢ଼ିବା ସମ୍ଭାବନା ନାହିଁ। ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିଲେ ମଧ୍ୟ ଧର୍ମଶାଳା ଓ ରସୁଲପୁର ବ୍ଲକ ପ୍ରତି କୌଣସି ବିପଦ ନାହିଁ। ମାତ୍ର ଏହି ବନ୍ୟାଜଳ ଶୁକ୍ରବାର ବରୀରେ ପହଞ୍ଚତ୍ଲେ କିଛି ସମସ୍ୟା ସୃଷ୍ଟି ହୋଇପାରେ। ବନ୍ୟା ନିୟନ୍ତ୍ରଣ ପାଇଁ ବିଭାଗ ପକ୍ଷରୁ ୬୦ ହଜାର ବାଲି ବସ୍ତା ଗଚ୍ଛିତ ରଖାଯାଇଛି। ଯୋଉଁ ନଦୀବନ୍ଧ ଗୁଡିକରେ ବର୍ଷା ପାଣି ଦ୍ୱାରା ଖାଲ ସୃଷ୍ଟି ହୋଇଛି ସେଗୁଡିକ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବ୍ରହ୍ମଣୀ ନଦୀର ଉପରମୁଣ୍ଡ ରେଙ୍ଗାଲି ଡ୍ୟାମ ଗେଟ ଖୋଲିବା ସମ୍ଭାବନା ନାହିଁ ବୋଲି ଯନ୍ତ୍ରୀ ଦାସ ସ୍ପଷ୍ଟ କରିଛନ୍ତି।