ହୀରାକୁଦରୁ ଛଡ଼ାଗଲା ପ୍ରଥମ ବନ୍ୟାଜଳ

ସମ୍ବଲପୁର ଅଫିସ,୧୧ା୭: ହୀରାକୁଦ ଉପରମୁଣ୍ଡରେ ବର୍ଷା ଯୋଗୁ ଜଳଭଣ୍ଡାରକୁ ଜଳର ପ୍ରବେଶ ମାତ୍ରା ବୃଦ୍ଧି ପାଇଛି । ଜଳଭଣ୍ଡାରରେ ଜଳସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ରବିବାର ପୂର୍ବାହ୍ନରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି ବୋଲି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ୨ଟି ଗେଟ୍‌ ଦେଇ ଏହି ବନ୍ୟାଜଳ ନିଷ୍କାସନ ହେଉଛି। ହୀରାକୁଦ ତଳମୁଣ୍ଡ ମହାନଦୀ ଅବବାହିକାରେ ଥିବା ସମ୍ବଲପୁର ସହିତ ସୁବର୍ଣ୍ଣପୁର, ବୌଦ୍ଧ, ବରଗଡ଼, ଫୁଲବାଣୀ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଅନୁଗୋଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର  ଆଦି ୧୨ଟି ଜିଲାର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଅଧୀକ୍ଷଣ ଯନ୍ତ୍ରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଏନେଇ ସତର୍କ ସୂଚନା ଦିଆଯାଇଛି।

ସେହିପରି ଏହି ସମୟରେ ନଦୀ ଗର୍ଭକୁ ମତ୍ସଜୀବୀଙ୍କ ସମେତ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ବାରଣ କରାଯାଇଛି। ସୂଚନାନୁଯାୟୀ, ଶନିବାର ଅପରାହ୍ନ ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୦୮.୫୪ ଫୁଟରେ ପହଞ୍ଚିଥିଲା। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୬୫,୦୦୨ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ବିଦ୍ୟୁତ୍‌ ଉତ୍ପାଦନ ଓ ଚାଷ ପାଇଁ ବିଭିନ୍ନ କେନାଲ ଆଦି ଦେଇ ୨୦,୭୭୨ ଘନଫୁଟ ଜଳ ନିଷ୍କାସିତ ହେଉଛି। ସେହିପରି ଗତ ୨୪ ଘଣ୍ଟାରେ ଉପମୁଣ୍ଡରେ ୩.୪୨ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ତଳମୁଣ୍ଡରେ ୦୦.୬୮ ମିମି ବର୍ଷା ରେକର୍ଡ କରାଯାଇଥିଲା।

Share