ଆଜି ହୀରାକୁଦ ଡ୍ୟାମ୍‌ରୁ ନିଷ୍କାସନ ହେବ ପ୍ରଥମ ବନ୍ୟାଜଳ

ସମ୍ବଲପୁର,୨୫ା୬(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ଗୁରୁବାର ଛଡ଼ାଯିବ। ପୂର୍ବାହ୍ନ ୧୦ଟା ପରେ ଯେକୌଣସି ସମୟରେ ଫାଟକ ଖୋଲାଯାଇ ପାରେ ବୋଲି ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏନେଇ ସମ୍ବଲପୁର ଜିଲା ସମେତ ମହାନଦୀ ତଟରେ ବସବାସ କରୁଥିବା ଜନସାଧାରଣଙ୍କୁ ଅବଗତ କରାଯାଇଛି। ମହାନଦୀକୁ ମାଛ ମାରିବା ପାଇଁ ଯାଉଥିବା ଲୋକଙ୍କୁ ବାରଣ କରଯାଇଛି।
ବୁଧବାର ମିଳିଥିବା ରିପୋର୍ଟ ଅନୁସାରେ ଡ୍ୟାମ୍‌ରେ ୬୧୭.୦୮ ଫୁଟ ଜଳସ୍ତର ରହିଥିଲା। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଡ୍ୟାମ୍‌ ଭିତରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୪ହଜାର ୬୫୬ କ୍ୟୁସେକ ଜଳ ପ୍ରବେଶ କରୁଛି। ସେହିପରି ୧୫ ହଜାର ୪୫୮ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ଫଳରେ ତଳମୁଣ୍ଡ ବେଲଗଁାରେ ୩୦ ହଜାର କ୍ୟୁସେକ୍‌, ପର୍ଥଲାରେ ୭୦.୩୯୬ କ୍ୟୁସେକ, ଖଇରମାଳରେ ୧,୨୧,୬୦୦ କ୍ୟୁସେକ, ବରମୁଳାରେ ୧ ଲକ୍ଷ ୧୧ ହଜାର ଓ ମୁଣ୍ଡଳିରେ ୩୭ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି।
ସୁଚନାଯୋଗ୍ୟ, ଚଳିତବର୍ଷ ଧାର୍ଯ୍ୟ ସମୟ ଜୁନ୍‌ରେ ମୌସୁମୀ ବର୍ଷା ହୋଇଛି। ତେଣୁ ଜଳସ୍ତର ବୃଦ୍ଧି ପାଇଛି। ତେଣୁ ବିଗତ କିଛି ବର୍ଷର ରେକର୍ଡ ଭାଙ୍ଗି ଜୁନ ମାସରେ ବନ୍ୟାଜଳ ନିଷ୍କାସନ କରାଯାଉଛି। ମିଳିଥିବା ରିପୋର୍ଟ ଅନୁସାରେ ୧୯୫୪, ୧୯୬୧, ୧୯୬୩, ୧୯୬୪, ୧୯୭୦, ୧୯୭୧, ୧୯୭୭, ୧୯୮୦, ୧୯୮୬, ୧୯୯୩, ୧୯୯୪, ୧୯୯୮,୨୦୦୪ ଜୁନରେ ହୀରାକୁଦ ଡ୍ୟାମ୍‌ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା।

Share