ସୁଭଦ୍ରା ଯୋଜନାରେ ଏହି ଦିନ ଆସିବ ପ୍ରଥମ କିସ୍ତି, ଆବେଦନ କରି …

ଭୁବନେଶ୍ୱର,୧।୯: ସୁଭଦ୍ରା’ ଯୋଜନା ପାଇଁ ରବିବାରଠାରୁ ଆବେଦନ ଆରମ୍ଭ ହୋଇଛି। ସେଥିପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରରେ ଲମ୍ବା ଲାଇନ ଦେଖିବାକୁ ମିଳିଛି। ସେହିପରି ବ୍ଲକ୍‌ ଅଫିସ୍‌, ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ମଧ୍ୟ ଆବେଦନକାରୀଙ୍କ ଭିଡ଼ ଦେଖିବାକୁ ମିଳିଛି। ଏମିତି କି ଗାଁରେ ଘର ଘର ବୁଲି ଅଙ୍ଗନଓ୍ବାଡି ଦିଦିମାନେ ଫର୍ମ ବାଣ୍ଟୁଛନ୍ତି। ଏହା ସହିତ ଫର୍ମ କେମିତି ପୂରଣ କରାଯିବ, ଆଉ କେଉଁସବୁ ପ୍ରମାଣପତ୍ର ଦେଇ ଆବେଦନ କରିବେ ସେନେଇ ମଧ୍ୟ ସଚେତନ କରୁଛନ୍ତି। ଫର୍ମ ପୂରଣ ଲାଗି ପ୍ରଥମେ ଆଧାର କାର୍ଡରେ ଥିବା ନାମ ଲେଖି, ଆଧାର ନମ୍ବର ଲେଖିବାକୁ ପଡ଼ିବ। ଏହାପରେ ସ୍ବାମୀ କିମ୍ବା ବାପାଙ୍କ ନାମ ଲେଖିପାରିବେ। ଜନ୍ମ ତାରିଖ ସ୍ଥାନରେ ଆଧାର କାର୍ଡରେ ଥିବା ତାରିଖ ଦେବାକୁ ପଡ଼ିବ। ଜୁଲାଇ ୧ ସୁଦ୍ଧା ଆବେଦନକାରୀଙ୍କୁ ଅତିକମ୍‌ରେ ୨୧ ବର୍ଷ ହେଉଥିବା ଦରକାର। ଏହାପରେ ଜାତି ସମ୍ପର୍କରେ ଥିବା ବକ୍ସରେ ଟିକ୍‌ ମାରିବାକୁ ହେବ। ମୋବାଇଲ ନମ୍ବର ବକ୍ସରେ ଆଧାର କାର୍ଡ ଲିଙ୍କ୍‌ ହୋଇଥିବା ନମ୍ବର ଦେବାକୁ ହେବ। ବିକଳ୍ପ ଭାବେ ଅନ୍ୟ ନମ୍ବର ମଧ୍ୟ ଦେଇହେବ। ଏହାପରେ ଠିକଣା ଲେଖି, ଆଧାର ଲିଙ୍କ୍‌ ଥିବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେବାକୁ ପଡ଼ିବ। ଏହା ପର ପୃଷ୍ଠାରେ ଥିବା ଯୋଗ୍ୟତା ମାନଦଣ୍ଡ ଆଧାରିତ ଏକ ଘୋଷଣା ପତ୍ରକୁ ନିଜେ ଆବେଦନକାରୀ ଦସ୍ତଖତ କରି ଆବେଦନ କରିବେ। ଫର୍ମ ଫିଲ୍‌ଅପ୍‌ ପରେ ଏହା ସହ ନିଜର ଆଧାର କାର୍ଡ, ବ୍ୟାଙ୍କ ପାସ୍‌ବୁକ୍‌ ଓ ରାଶନ କାର୍ଡର ଫଟୋକପି ଦେଇ ଅନ୍‌ଲାଇନରେ ସୁଭଦ୍ରା ପୋର୍ଟାଲରେ ଆବେଦନ କରାଯିବ। ଏହାପରେ ଆବେଦନ ଗ୍ରହଣ ପତ୍ର ଆଣିବାକୁ ଯେମିତ ନ ଭୁଲନ୍ତି, ଯେଉଁଥିରେ ଆପଣଙ୍କ ଆବେଦନ ପତ୍ରର ନମ୍ବର ରହିଥିବ। ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧୭ ତାରିଖରେ ଯୋଜନାର ଶୁଭାରମ୍ଭ ଦିନ କାର୍ଡ ସହ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ମିଳିବ। ଏହା ପୂର୍ବରୁ ଆବେଦନ ପରେ ଇ-କେଓ୍ବାଇସି ଯାଞ୍ଚ କରି ହିତାଧିକାରୀ ତାଲିକା ଚୂଡାନ୍ତ ହେବ।

Share