Advertisement

ବୌଦ୍ଧରେ ଖୋଲିଲା ପ୍ରଥମ ନେଚର ପାର୍କ

ବୌଦ୍ଧ,୧୦।୧୧(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ପ୍ରାକୃତିକ ଶୋଭାରେ ଭରପୁର। ଜିଲାରେ ପର୍ଯ୍ୟଟନ କ୍ଷେତ୍ରରେ ଆଗକୁ ନେବାକୁ ଜିଲାପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସୁଥିବା ବେଳେ ଗୁରୁବାର ଜିଲାରେ ପ୍ରଥମ ନେଚର ପାର୍କର ଶୁଭାରମ୍ଭ ହୋଇଛି। ଜିଲାର ବୌଦ୍ଧ ବ୍ଲକର ଡମରଗାଡ ପାହାଡରେ ଏହି ନେଚର ପାର୍କର ଶୁଭାରମ୍ଭ ହୋଇଛି। ପାହାଡର ପାଦ ତଳରେ ଚିରସ୍ରୋତା ମହାନଦୀ ପ୍ରବାହିତ ହେଉଥିବା ବେଳେ ପାହାଡରେ ପର୍ଯ୍ୟଟନଙ୍କୁ ଆକୃଷ୍ଟ କରିବାକୁ ଗଢାଯାଇଛି ନେଚର ପାର୍କ। ଏହି ପାର୍କରେ ୫ ଗୋଟି ଅସ୍ଥାୟୀ କଟେଜ ନିର୍ମାଣ କରାଯାଇ ଏଠାରେ ପର୍ଯ୍ୟଟକଙ୍କ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇଛି। ପାହଡକୁ ଅତି ସୁନ୍ଦର ଭାବେ ସଜା ଯାଇଛି। ଗୁରୁବାର ଏହି ନେଚର ପାର୍କକୁ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟଜଳ ଓ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ କଣ୍ଟାମାଳ ବିଧାୟକ ମହୀଧର ରଣା, ଜିଲାପାଳ ନୃସିଂହ ଚରଣ ସ୍ବାଇଁ, ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ, ଡିଏଫଓ ଦେବିପ୍ରିୟ କମ୍ପ ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ନେଚର ପାର୍କର ନାମ ନିସର୍ଗ ଶିବିର ରଖାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share