ରାଜଧାନୀରେ ପ୍ରଥମ ମୁକ୍ତାକାଶ ପାଠାଗାର

ଭୁବନେଶ୍ୱର, ୨୨।୩(ବ୍ୟୁରୋ):ବର୍ତ୍ତମାନର ଡିଜିଟାଲ୍‌ ଯୁଗରେ ଛାତ୍ରୀଛାତ୍ର ତଥା ଯୁବପିଢିଙ୍କ ଭିତରେ ପୁସ୍ତକ ପଠନ ଆଗ୍ରହକୁ ବଢାଇବା ପାଇଁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ପାର୍କରେ ଖୋଲିଛି ପ୍ରଥମ ମୁକ୍ତାକାଶ ପାଠାଗାର। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ପାଠାଗାର ପରିଚାଳନା ପାଇଁ ବକୁଳ ଫାଉଣ୍ଡେଶନ ସହ ବିଡିଏର ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଓ୍ବାଲର୍‌ଡ ପୋଏଟ୍ରି ଡେ’ ଅବସରରେ ରବିବାର ଏହି ପାଠାଗାରକୁ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଆର୍‌. ବାଲ୍‌କ୍ରିଷ୍ଣନ ଉଦ୍‌ଘାଟନ କରିଛନ୍ତି। ସେ କହିଛନ୍ତି, ଯୁବପିଢିଙ୍କ ମଧ୍ୟରେ ବହି ପଢିବା ଅଭ୍ୟାସ ଧୀରେ ଧୀରେ କମିବାକୁ ଲାଗିଲାଣି। ଏଭଳି କ୍ଷେତ୍ରରେ ବିଡିଏର ଏହି ପଦକ୍ଷେପ ନିଶ୍ଚିତପକ୍ଷେ ସ୍ବାଗତଯୋଗ୍ୟ। ଏହି ପାଠାଗାର ଛାତ୍ରୀଛାତ୍ର, ଯୁବପିଢୀ ଓ ବୟସ୍କ ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କ ପାଇଁ ଉପାଦେୟ ହୋଇପାରିବ। ପାର୍କକୁ ଆସୁଥିବା ଲୋକେ ଶାନ୍ତ ତଥା ପ୍ରାକୃତିକ ପରିବେଶରେ ବହି ପଢିବାର ମଜା ଉଠାଇପାରିବେ। ଲୋକଙ୍କ ଭିତରେ ବହି ପଢିବା ଆଗ୍ରହକୁ ଏହା ବଢାଇ ପାରିବ ବୋଲି ଆର୍‌. ବାଲ୍‌କ୍ରିଷ୍ଣନ କହିଛନ୍ତି।
ଉପାଧ୍ୟକ୍ଷ ପ୍ରେମ ଚନ୍ଦ୍ର ଚୌଧାରୀ କହିଲେ, ପୁସ୍ତକ ପ୍ରେମୀଙ୍କ ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ସବୁ ବର୍ଗର ଲୋକେ ବିଶେଷକରି ଯେଉଁମାନଙ୍କ ପାଖରେ ଦାମୀ ବହି କିଣିବାକୁ ପଇସା ନାହିଁ ସେମାନେ ପଢିବାର ସୁଯୋଗ ପାଇବେ। କିପରି ସମୟ ଉପଯୋଗୀ ତଥା ଭଲ ବହିର କଲେକସନ୍‌ ରହିବ ତାହାର ତଦାରଖ କରାଯିବ ବୋଲି ଚୌଧାରୀ କହିଥିଲେ। ଫାଉଣ୍ଡେଶନର ପ୍ରତିଷ୍ଠାତା ସେକ୍ରେଟାରୀ ସୁଜିତ୍‌ ମହାପାତ୍ର କହିଲେ, ପାଠାଗାରରେ ଜଣେ ଲାଇବ୍ରେରିଆନ୍‌ ରହି ପିଲାଙ୍କୁ ଗାଇଡ୍‌ କରିବେ। ବର୍ତ୍ତମାନ ଏଠାରେ ୨ହଜାର ପୁସ୍ତକ ରହିଛି। ଏଥିମଧ୍ୟରେ ଫିକ୍ସନ, ନନ୍‌ଫିକ୍ସନ, କ୍ଲାସିକ, ଟେକ୍ସଟ୍‌ବୁକ୍‌ ଓ ପିଲାଙ୍କ ପୁସ୍ତକ ରହିଛି। ଆଗକୁ ଅଧିକ ପୁସ୍ତକ ରଖାଯିବ। ସେହିପରି ପିଲାଙ୍କ ପାଇଁ ‘ଓ୍ବିମ୍ପି କିଡ୍‌ସ’, ‘ହାର୍ଡି ବଏଜ୍‌’, ‘ହ୍ୟାରି ପୋଟର’ ଭଳି ପୁସ୍ତକର ଉପଲବ୍ଧ ହେବ। ସୋମବାର ବ୍ୟତୀତ ପ୍ରତିଦିନ ସକାଳ ୭ଟାରୁ ୧୦ଟା ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପାଠାଗାର ଖୋଲାରହିବ। ସେହିଭଳି ସପ୍ତାହରେ କେବଳ ସୋମବାର ଏହା ବନ୍ଦ ରହିବ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଡିଏର ସେକ୍ରେଟାରୀ ହରିଶ ଚନ୍ଦ୍ର ନାୟକ, ଚିଫ୍‌ ଇଞ୍ଜିନିୟର ରାଜେନ୍ଦ୍ର କୁମାର ନାୟକ, ଉଦ୍ୟାନ କୃଷିବିତ୍‌ ଅଶୋକ ଧର୍‌ ପ୍ରମୁଖ ଉପସ୍ଥିତ ଥିଲେ।

Share