ପ୍ରଥମ ପାରିଶ୍ରମିକ ବହିକିଣା, ଜଳଖିଆ ଓ ବଣ୍ଟାବଣ୍ଟିରେ ସରିଥିଲା

ସାହିତି୍ୟକା ବନ୍ଦିତା ଦାଶ ନିଜ
ପ୍ରଥମ ରୋଜଗାର ସମ୍ପର୍କରେ
ଯାହା କୁହନ୍ତି…

ପ୍ରଥମ ହେବା ଅନୁଭବ ସତରେ ନିଆରା। ସତରେ ପୁଲକିତ କରେ ତନୁମନ। ଯେକୌଣସି କାମର ପ୍ରଥମ ମୁହୂର୍ତ୍ତ ମନେ ରହେ ଆଜୀବନ। ଅନାଦି ସାର୍‌ ମନେପଡ଼ନ୍ତି ତାଙ୍କ କହିବା ଶୈଳୀ ପାଇଁ। ସେ ଥରେ ଶୀର୍ଷକ ବିହୀନ ଗପ ଶୁଣେଇ ଆମକୁ ଶୀର୍ଷକଟିଏ ବାଛି ଦେବାକୁ କହିଲେ ଓ ପ୍ରତି ବଦଳରେ କିଛି ପୁରସ୍କାର ଦେବାକୁ ରଖିଲେ। ଡରିଡରି ଯାହା ଉତ୍ତର ଦେଇଥିଲି ସେଥିରୁ ଜାଣିଥିଲି ପରିଶ୍ରମର ମୂଲ୍ୟକୁ ହିଁ ପାରିଶ୍ରମିକ ବା ରୋଜଗାର କୁହାଯାଏ। ପ୍ରତିଦିନ କିଛି କାମ ଓ ମାସ ଶେଷରେ ଏକ ସୁନ୍ଦର ଅଙ୍କର ଅର୍ଥ ହେଉଛି ରୋଜଗାର। ମୁଁ ସ୍ବପ୍ନ ଦେଖିଥିଲି ପିଲାବେଳୁ ୟାକୁ ନେଇ। କିନ୍ତୁ, ପୂରଣ କେଉଁଠି ହେଲା ଯେ…!
କେବେ କେମିତି ପାଠପଢ଼ା ସମୟରେ ଡ୍ରାମା କରିବାବେଳେ କେହିକେହି ଶୁଭେଚ୍ଛୁ କି ଦର୍ଶକ କିଛି ଟଙ୍କା ଦେଉଥିଲେ, ସେଇଟା କ’ଣ ରୋଜଗାର…. ନା ପୁରସ୍କାର..। ମନରେ ବାରମ୍ବାର ଆସେ ଦ୍ୱନ୍ଦ..। କାହାକୁ ମଣିବି ରୋଜଗାର…! ପ୍ରତିଦିନ ଏମିତି କ’ଣ କଲି ଯେ ସକ୍ଷମ ହେଲି ରୋଜଗାର ପାଇଁ…! ଏସବୁ ମନ ଭିତରେ ଘାଣ୍ଟି ଚକଟି ହୁଏ… ଲେଖିବାକୁ ମନ ବଳେନି ଆଉ।
କଲେଜ ପଢ଼ା ସମୟରେ ଡେଣା ଲାଗେ ମନରେ। ପହଁରିଯାଏ ସାରା ସହର ଆଖିରେ ଆଖିରେ…। ଭାସୁଥାଏ କାଉଁରୀ ସ୍ବପ୍ନର ଉତ୍ତାଳ ଲହରୀରେ। ସହସ୍ର ସ୍ମୃତିର ଶୀତଳ ମନୁମେଣ୍ଟ କହେ ମୁଁ ରେଭେନ୍ସାକୁ। ଦିନେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର କିଛି ପିଲାଙ୍କୁ ସାର୍‌ମାନେ ବାଛି ରେଡିଓ ଷ୍ଟେଶନକୁ ପଠେଇବେ ବୋଲି କହିଲେ ଯୁବବାଣୀ ବିଭାଗରେ ଯୋଗଦେବାକୁ। ଅନେକ ପଢାପଢି, ଲେଖାଲେଖି, ପ୍ରଶ୍ନ ଉତ୍ତର ପରେ ନିର୍ଦ୍ଧିଷ୍ଟ ଦିନ ଆସିଲା। ଦଳେ ଥିଲୁ ଆମେ। ସମସ୍ତେ ଭାଗ ନନେଇବି ଯାଇଥିଲେ ସାଙ୍ଗଦେବାକୁ। କବିତା ପାଠ, ସମୂହ ଆଲୋଚନା, ବହୁତ ସୁନ୍ଦର ଅନୁଭବ… ନିଜ ସ୍ବରର ଲୋଭ… ମିଠା ଆକଟ ସବୁ ମିଶି ଢେର ଅଭିଜ୍ଞତା ସାଉଁଟି ହୋଇଗଲା। ଅନୁରୋଧର ଚିଠି ଲେଖି ଜଣାଇଥିଲି ଶୁଣିବାକୁ ନିର୍ଦ୍ଧିଷ୍ଟ ତାରିଖରେ ପ୍ରସାରିତ ହେବାକୁ ଥିବା ଆମ ପ୍ରୋଗ୍ରାମକୁ… ସାର୍‌ମାନେ ପଚାରିନେଲେ କେମିତି ଥିଲା ସବୁ… ସବୁ ମିଶି ମନ ଉଡୁଥିଲା ଆକାଶରେ, ସମ୍ଭାବନାର ଦିଗଦିଗନ୍ତ ଫର୍ଚ୍ଚା ହେଉଥିଲା ସେବେଳାରେ…। ମିଳିଥିବା ଟଙ୍କା ସମାନ ଆକାରରେ ଭାଗ ହେଲାପରେ ରିକ୍ସା ଭଡ଼ା ଯାଇ ବି ଢେର ଲାଗିଲା। ମଣି ନାନୀ, ଉଲ୍ଲାସ ମାଉସୀଙ୍କୁ ପାଞ୍ଚ ଟଙ୍କା ଲେଖାଏଁ ଦେଇଥିଲି। ସେତେବେଳେ ଆମ ହଷ୍ଟେଲ କ୍ୟାଣ୍ଟିନରେ ଟଙ୍କାରେ ପାଞ୍ଚଟା ଇଡ୍‌ଲି, ଚାରିଟା ବରା ମିଳୁଥିଲା। ଦୋସା ନେଉଥିଲା ସତୁରୀ କି ଅଶି ପଇସା…। କୋଡ଼ିଏ ନମ୍ବର ରୁମର ସାଙ୍ଗମାନେ ବିଚାର କଲୁ ଏ ଟଙ୍କାକୁ ଖର୍ଚ୍ଚ କେମିତି କରିବୁ। ବହି କିଣିବାକୁ ବାଲୁବଜାର ଗଲେ ଆମେ ରେଭେନ୍ସା କଲେଜରୁ ଆସିଚୁ ଜାଣି ଆମକୁ ଢେର ସ୍ନେହ ଆଦର ଦେଇ ଖୁବ୍‌ କମ୍‌ ଟଙ୍କାରେ ଓଡ଼ିଆ ବହି ଦେଉଥିଲେ ସେତେବେଳେ। କିଛିକିଛି ବହି ଖାଲିରେ ବି ଦେଉଥିଲେ। ମନବ୍ୟାଗ୍‌ ଭର୍ତ୍ତି ହୋଇଯାଉଥିଲା ବହି ଓ ସ୍ନେହ ଆଦରରେ। ଶେଷରେ ପ୍ରଥମ ପାଇଥିବା ଏ ଟଙ୍କା ବହି କିଣା, ଜଳଖିଆ ଓ ବଣ୍ଟାବଣ୍ଟିରେ ସରିଲା ମାତ୍ର ରେଡ଼ିଓ ଷ୍ଟେଶନ ବାରିପଦା ଓ ରାଉରକେଲା ସହିତ ପୁଲକିତ ସମ୍ପର୍କ ଯୋଡ଼ି ହୋଇଗଲା।