ନୟାଗଡ଼ରୁ ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥ କାଠ: ବସନ୍ତ ପଞ୍ଚମୀ ଦିନ…

ପୁରୀ/ନୟାଗଡ଼/ ଦଶପଲ୍ଲା,୧୦।୨(ଅଜିତ୍‌ ମହାନ୍ତି, ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଆସନ୍ତା ଜୁଲାଇ ୭ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିନିମନ୍ତେ ପବିତ୍ର ଅକ୍ଷୟ ତୃତୀୟ ତିଥିରୁ ରାଜନଅର ସମ୍ମୁଖସ୍ଥ ରଥଖଳାରେ ୩ ରଥ ନିର୍ମାଣ ଆରମ୍ଭ ହେବ। ତେବେ ରଥ ନିର୍ମାଣ ପୂର୍ବରୁ ପରମ୍ପରା ଅନୁଯାୟୀ ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ୧୨ଫୁଟିଆ ୩ ଖଣ୍ଡ ଧଉରା କାଠ ପୂଜା କରାଯିବ, ଯାହା ରଥଯାତ୍ରାର ଆଦ୍ୟପର୍ବ। ଆସନ୍ତା ୧୪ ତାରିଖରେ ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା ପଡୁଥିବାରୁ ଏହିଦିନ ରଥକାଠ ପୂଜା କରାଯିବ। ଏଥିପାଇଁ ଚଳିତ ବର୍ଷର ପ୍ରଥମ ପର୍ଯ୍ୟାୟ ରଥ କାଠ ପୁରୀରେ ପହଞ୍ଚତ୍ଛି। ୩ଟି ଟ୍ରକ୍‌ ଯୋଗେ ୧୦୨ ଖଣ୍ଡ ରଥ କାଠ ନୟାଗଡ଼ ଓ ଦଶପଲ୍ଲା ବନଖଣ୍ଡରୁ ଆସି ଶୁକ୍ରବାର ସନ୍ଧ୍ୟାରେ ପୁରୀରେ ପହଞ୍ଚତ୍ଛି। ୧୦୨ ଖଣ୍ଡ ରଥ କାଠ ମଧ୍ୟରେ ୫୦ ଖଣ୍ଡ ଅସନ ଏବଂ ୫୨ ଖଣ୍ଡ ଧଉରା କାଠ ରହିଛି। ଶ୍ରୀମନ୍ଦିରର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ସୂଚନା ଦେଇ କହିଛନ୍ତି, ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ୮୬୫ ଖଣ୍ଡ ଅସନ, ଧଉରା, ଫାସି ସହ ବିଭିନ୍ନ ପ୍ରକାର କାଠ ଆବଶ୍ୟକ ହୋଇଥାଏ। ତେବେ ଗତବର୍ଷ ୫୩ ଖଣ୍ଡ ଖଣ୍ଡ କାଠ ବଳକା ରହିଛି। ତେଣୁ ଚଳିତ ବର୍ଷ ରଥ ନିର୍ମାଣ ଲାଗି ୮୧୨ ଖଣ୍ଡ କାଠ ଆବଶ୍ୟକ ରହିଛି। ପ୍ରଥମ ପର୍ଯ୍ୟାୟରେ ନୟାଗଡ଼ ଓ ଦଶପଲ୍ଲା ଜଙ୍ଗଲରୁ ୩ଟି ଟ୍ରକରେ ୧୦୨ ଖଣ୍ଡ କାଠ ଆସି ପୁରୀରେ ପହଞ୍ଚତ୍ଛି। ଆବଶ୍ୟକ ହେଉଥିବା ଅବଶିଷ୍ଟ ରଥ କାଠ ପର୍ଯ୍ୟାୟକ୍ରମେ ଆସିବ। ପ୍ରଥମ ପର୍ଯ୍ୟାୟରେ ଆସିଥିବା କାଠ ମଧ୍ୟରୁ ୩ଟି ଧଉରା କାଠକୁ ଶ୍ରୀପଞ୍ଚମୀ ଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ବିଧିବିଧାନ ଅନୁଯାୟୀ ପୂଜା କରାଯିବ। ସୂଚନାଯୋଗ୍ୟ, ଗତ ମାସ ୧ ତାରିଖରେ ଶ୍ରୀମନ୍ଦିରର ଏକ ଟିମ୍‌ ନୟାଗଡ଼ ଯାତ୍ରା କରି ପରମ୍ପରା ମୁତାବକ ମା’ ବଡ଼ରାଉଳଙ୍କ ନିକଟରେ ପୂଜାର୍ଚ୍ଚନା କରି ରଥକାଠ ଚିହ୍ନଟ କରିଥିଲେ।