Categories: ଜାତୀୟ

ଭାରତରେ ପ୍ରଥମ ବିରଳ ବ୍ଲଡ୍‌ଗ୍ରୁପ୍‌

ଅହମ୍ମଦାବାଦ, ୧୫ା୭:ଗୁଜରାଟର ରାଜକୋଟରୁ ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ଶରୀରରେ ଏକ ପ୍ରକାର ବିରଳ ବ୍ଲଡ୍‌ଗ୍ରୁପ୍‌ ଚିହ୍ନଟ ହୋଇଛି। ଏହା ‘ଇଏମ୍‌ଏମ୍‌ ନେଗେଟିଭ୍‌’ ଭାବେ ଜଣା। ଅନ୍ୟ ୪ ବ୍ଲଡ୍‌ ଗ୍ରୁପ୍‌ ଏ, ବି, ଓ, ଏବିଠାରୁ ଏହା ସମ୍ପୂର୍ଣ୍ଣ ଅଲଗା। ପୂର୍ବରୁ ବିଶ୍ୱରେ ମାତ୍ର ୯ ଜଣ ‘ଇଏମ୍‌ଏମ୍‌ ନେଗେଟିଭ୍‌’ ବ୍ଲଡ୍‌ଗ୍ରୁପ୍‌ର ହୋଇଥିବାବେଳେ ଗୁଜରାଟର ସମ୍ପୃକ୍ତ ବ୍ୟକ୍ତି ଏହି ବର୍ଗର ୧୦ମ ବ୍ୟକ୍ତି ହୋଇଛନ୍ତି। ସେ ହୃତପିଣ୍ଡଜନିତ ରୋଗରେ ମଧ୍ୟ ପୀଡ଼ିତ ବୋଲି ଜଣାଯାଇଛି। ଇଏମ୍‌ଏମ୍‌ ରକ୍ତ କୋଷିକାରେ ଥିବା ଏକ ପ୍ରକାର ଆଣ୍ଟିଜେନ୍‌। ସମ୍ପୃକ୍ତ ବୃଦ୍ଧଙ୍କ ରକ୍ତରେ ଇଏମ୍‌ଏମ୍‌ ନ ଥିବାରୁ ଇଣ୍ଟରନ୍ୟାଶନାଲ ସୋସାଇଟି ଅଫ୍‌ ବ୍ଲଡ୍‌ ଟ୍ରାନ୍ସଫ୍ୟୁଜନ(ଆଇଏସ୍‌ବିଟି) ଏହି ବ୍ଲଡ୍‌ ଗ୍ରୁପ୍‌କୁ ଇଏମ୍‌ଏମ୍‌ ନେଗେଟିଭ୍‌ ଭାବେ ଚିହ୍ନଟ କରିଛି।
ମଣିଷ ଶରୀରରେ ଏ, ବି, ଓ, ଆର୍‌ଏଚ୍‌ ଏବଂ ଡଫିକୁ ମିଶାଇ ୪୨ ପ୍ରକାରର ବ୍ଲଡ୍‌ ସିଷ୍ଟମ ରହିଥାଏ। କିନ୍ତୁ ସାଧାରଣରେ ମଣିଷ ବ୍ଲଡ୍‌ଗ୍ରୁପ୍‌କୁ ୪ ଭାଗରେ ବିଭକ୍ତ କରାଯାଇଥାଏ। ଇଏମ୍‌ଏମ୍‌ ନେଗେଟିଭ୍‌ ୪୨ତମ ବ୍ଲଡ୍‌ ଗ୍ରୁପ୍‌ ସିଷ୍ଟମ। ଏହି ବ୍ଲଡ୍‌ ଗ୍ରୁପ୍‌ ଥିବା ଲୋକଙ୍କ ରକ୍ତରେ ଇଏମ୍‌ଏମ୍‌ ହାଇ-ଫ୍ରିକ୍ୱେନ୍ସି ଆଣ୍ଟିଜେନ୍‌ ଅଭାବ ରହିଥାଏ। ଇଏମ୍‌ଏମ୍‌ ନେଗେଟିଭ୍‌ ରକ୍ତ ଥିବା ବ୍ୟକ୍ତିମାନେ ଅନ୍ୟକୁ ରକ୍ତଦାନ କରିପାରି ନ ଥାନ୍ତି କିମ୍ବା ଆବଶ୍ୟକବେଳେ ଅନ୍ୟ କାହାର ରକ୍ତ ଗ୍ରହଣ କରିପାରି ନ ଥାନ୍ତି। ରାଜକୋଟର ଏହି ବ୍ୟକ୍ତି ଜଣକ ହୃଦ୍‌ଘାତର ଶିକାର ହେବା ପରେ ଅହମ୍ମଦାବାଦରେ ଚିକିତ୍ସିତ ହେଉଛନ୍ତି। ହାର୍ଟ ସର୍ଜରି ପାଇଁ ତାଙ୍କର ରକ୍ତ ଆବଶ୍ୟକ ପଡ଼ିଥିବାବେଳେ ପରୀକ୍ଷାରୁ ଏହି ବ୍ଲଡ୍‌ଗ୍ରୁପ୍‌ କଥା ଜଣାପଡ଼ିଛି।

Share