ପ୍ରଥମ ଥର ପାଇଁ ଘରକୁ ଆଣିଥିଲେ ଗ୍ୟାସ ଟାଙ୍କି : ସଂଯୋଗ ସମୟରେ ହେଲା ବିସ୍ଫୋରଣ

ବାଲେଶ୍ୱର ଅଫିସ,୫।୮: ବାଲେଶ୍ବର ଜିଲା ରେମୁଣା ବ୍ଲକ ରସାଳପୁର ପଞ୍ଚାୟତ ଛେଳିଆପଦା ଗାଁରେ ଗ୍ୟାସ ଟାଙ୍କି ଫାଟି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଲେ ସୌଦାମିନ ବେଜ୍‌। ଏଥିରେ ମଧ୍ୟ ଅନ୍ୟ ୨ଜଣ ଅଜୟ ଦାସ ଓ ସୁରେନ୍ଦ୍ର ବେଜ୍‌ ଆହତ ହୋଇ ବାଲେଶ୍ବର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ଗୁରୁତର ସୌଦାମିନିଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ୩ ବଖରା ଘର ମଧ୍ୟ ସମ୍ପୂର୍ଣ୍ଣ ପୋଡ଼ି ଯାଇଛି ।
ସୂଚନାଯୋଗ୍ୟ, ମଙ୍ଗଳବାର ସୁରେନ୍ଦ୍ର ଏକ ନୂଆ ଗ୍ୟାସ ଟାଙ୍କି ଘରକୁ ଆଣିଥିଲେ। ବ୍ୟବହାର ଜାଣି ନ ଥିବାରୁ ପଡ଼ୋଶୀ ଅଜୟଙ୍କୁ ଗ୍ୟାସ ସଂଯୋଗ କରିବା ପାଇଁ ଡାକିଥିଲେ। ଏହ ସମୟରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ଟାଙ୍କି ଫାଟି ଯାଇଥିଲା । ଫଳରେ ଟାଙ୍କି ନିକଟରେ ଥିବା ସୌଦାମିନି ପୋଡ଼ି ହୋଇ ଗୁରୁତର ହେବା ସହିତ ସୁରେନ୍ଦ୍ର ଓ ଅଜୟଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ବିସ୍ଫୋରଣ ଶବ୍ଦ ଶୁଣି ପଡ଼ୋଶୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାରକରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବରପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।