ଆରୂହାବାଡ଼ ସମୁଦ୍ର ବାଲିରୁ କୁମ୍ଭୀରକୁ କାବୁ କଲେ ଧୀବର

ବାହାନଗା, ୧୬।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଆରୂହାବାଡ ପଞ୍ଚାୟତ ସମୁଦ୍ର କୂଳ ବାରୁଣୀ ଘାଟ ଆଡିଆ ସମୁଦ୍ର ବାଲିରୁ ଧୀବରଙ୍କ ଦ୍ୱାରା ଏକ କୁମ୍ଭୀର ଉଦ୍ଧାର କରାଯାଇଛି। ଏହାର ଲମ୍ବ ୫ ଫୁଟ ଏବଂ ବୟସ ୧ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
ଆରୂହାବାଡ଼ ଗ୍ରାମର ବିଦ୍ୟାଧର ମାଝୀ, ଲକ୍ଷ୍ମୀଧର ମାଝୀ ଏବଂ ପିତାମ୍ବର ମାଝୀ ରବିବାର ରାତିରେ ସମୁଦ୍ରକୁ ଜାଲଧରି ଯାଉଥିବା ବେଲେ ଆଡିଠାରୁ ୨ କିମି ଦୂରରେ ଥିବା ବନି ଗଛ ମୂଳ ବାଲିରେ କୁମ୍ଭୀରକୁ ଦେଖିଥିଲେ। ପାଖରେ ଥିବା ବଡ଼ ବହ୍ଲାରେ କୁମ୍ଭୀର ବେକକୁ ଧରି ସାଥିରେ ନେଇଥିବା ଦଉଡି ସାହାଯ୍ୟରେ ବାନ୍ଧି ଭାରକରି ଗ୍ରାମକୁ ନେଇଥିଲେ। ପରେ ତାଳପଦା ସେକ୍ସନ ଫରେଷ୍ଟର ଗାର୍ଡ ସୁରମା ମଞ୍ଜରୀ ଦାସଙ୍କୁ ଖବର ଦେଇଥିଲେ। ପରେ ଚାନ୍ଦିପୁର ରେଞ୍ଜରଙ୍କ ନିର୍ଦ୍ଦେଶରେ ସୁରମା ମଞ୍ଜରୀ ଓ ଫରେଷ୍ଟର ଗାର୍ଡ ସାଗରିକା ସିଂ ସୋମବାର ସକାଳେ ଘଟଣାସ୍ଥଳରେ ପହଞ୍ଚି ଉର୍ଦ୍ଧାରକାରୀ ଦଳକୁ ଡକାଇ ବାଲେଶ୍ୱର ନେଇ ଯାଇଥିଲେ। ସେଠାରେ କୁମ୍ଭୀରର ଚିକିତ୍ସା ପରେ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ପରେ କେଉଁଠି ଛଡାଯିବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ତାଳପଦା ସେକ୍ସନର ଫରେଷ୍ଟର ଗାର୍ଡ ପ୍ରକାଶ କରିଛନ୍ତି।