୩ ଦିନ ଧରି ଚିଲିକାରେ ଜଳବନ୍ଦୀ ଥିଲେ ମତ୍ସ୍ୟଜୀବୀ ପରିବାର, ଆଜି ହେଲେ ଉଦ୍ଧାର

କୃଷ୍ଣପ୍ରସାଦ,୨୭ା୧୦(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଚିଲିକା ଜେଟିରେ ୩ ଦିନ ଧରି ଏକ ମତ୍ସ୍ୟଜୀବୀ ପରିବାର ଜଳବନ୍ଦୀ ଭାବେ ରହିଥିବା ବେଳେ ସେମାନଙ୍କୁ ବୁଧବାର ଉଦ୍ଧାର କରାଯାଇଛି।

ଚିଲିକାରେ ଆଉ ଏକ ଡଙ୍ଗା ଆଜି ଯାଉଥିବା ବେଳେ ଜଳବନ୍ଦୀ ଥିବା ମତ୍ସ୍ୟଜୀବୀ ପରିବାର ଉପରେ ନଜର ପଡ଼ିଥିଲା। ସେମାନେ ପାଟି କରି ଡାକିଥିଲେ। ପରେ ମାଲୁଦ ଦମକଳ ବାହିନୀ ସହ ଯୋଗାଯୋଗ କରିଥିଲେ। ଫାୟାର ଅଫିସର ସୌମେନ୍ଦ୍ର ପରିଡ଼ାଙ୍କ ନେତୃତ୍ୱରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରବଳ ଦଳ ଯୋଗୁ ଦମକଳବାହିନୀର କୌଣସି ଯାନବାହନ ସେଠାକୁ ଯିବା ସମ୍ଭବ ନ ଥିଲା। ଶେଷରେ ୨ଟି ବାଉଁଶରେ ଫସିଥିବା ଡଙ୍ଗା ନିକଟରେ ପହଞ୍ଚି ରଶି ବାନ୍ଧିଥିଲେ। ଅଗ୍ନିଶମ ବାହିନୀର ଫାୟାର ଅଫିସର ସୌମେନ୍ଦ୍ର, ମୁଖ୍ୟ ଆଗ୍ନିକ କଳିଙ୍ଗ ନାୟକ, ବିଜୟ ଦାସ, ବିଶ୍ୱରଞ୍ଜନ ରାଉ , ବିଷ୍ଣୁପ୍ରସାଦ ଜେନା ପ୍ରମୁଖ ଦୀର୍ଘ ୨ ଘଣ୍ଟାରୁ ଅଧିକ ସମୟ ଅକ୍ଲାନ୍ତ ପରିଶ୍ରମ କରି ଡଙ୍ଗାକୁ ଦଉଡ଼ିରେ ବାନ୍ଧି କୂଳକୁ ଟାଣି ଆଣିଥିଲେ।

ସୂଚନାଯୋଗ୍ୟ, ଜଳବନ୍ଦୀ ଥିବା ଗଞ୍ଜାମ ଜିଲା ଖଲିକୋଟ ଗ୍ରାମର ନଉଡି ଜାଲି (୪୭) ଏବଂ ୨ ପୁଅ ଅଭି ଜାଲି (୨୭), କବି ଜାଲି (୨୫) ାସମାନେ ସୋମବାରଠାରୁ ଚିଲିକାକୁ ମାଛ ଧରିବାକୁ ଆସି କୃଷ୍ଣପ୍ରସାଦର ଏହି ଚିଲିକା ଦଳରେ ଅଟକି ଥିଲେ। ଉଦ୍ଧାର ପରେ ସେମାନଙ୍କ ଅବସ୍ଥା ଠିକ୍‌ ଥିବା ଜଣାପଡ଼ିଛି।

Share