Categories: ଫୁରସତ

୫ ମିନିଟରେ ଚିହ୍ନିଲେ ୧୫୦ ଦେଶର ପତାକା

କରୋନା ପାଇଁ ଲକ୍‌ଡାଉନ୍‌ ଶଟ୍‌ଡାଉନ୍‌ ହେବା ଯୋଗୁ ପିଲାଙ୍କ ପାଠପଢାରେ ବିଶେଷ କ୍ଷତି ହୋଇଛି। କିନ୍ତୁ ଏହି ସମୟକୁ ଏକ କୁନି ଝିଅ ସଦୁପଯୋଗ କରି ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇପାରିଛନ୍ତି। ସେ ହେଉଛନ୍ତି ପ୍ରେଶା ଖେମାନୀ। ଉଜ୍ଜୈନ ହେଉଛି ତାଙ୍କ ନିଜ ଘର। ବାପା ଭରତ ଖେମାନୀ ପୁଣେରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଛନ୍ତି। ତେଣୁ ସେମାନେ ପୁଣେରେ ରହୁଛନ୍ତି। ପ୍ରେଶାଙ୍କ ମା’ ସଙ୍ଗିତା କହନ୍ତି, ‘ପ୍ରେଶାର ଭୂଗୋଳ ଓ ବିଭିନ୍ନ ଦେଶର ରାଷ୍ଟ୍ରୀୟ ପତାକା ଉପରେ ବହୁତ ଆଗ୍ରହ ଥିଲା। ତେଣୁ ମୋର କେତେକ ସାଙ୍ଗ ତାକୁ ବିଭିନ୍ନ ଦେଶ, ତା’ର ରାଜଧାନୀ ଓ ରାଷ୍ଟ୍ରୀୟ ପତାକା ଫଟୋ ଥିବା ଏକ ବହି ଉପହାରସ୍ବରୂପ ଦେଇଥିଲେ। ଏହାପରେ ପ୍ରେଶା ରାଷ୍ଟ୍ରୀୟ ପତାକାଗୁଡିକୁ ଭଲରେ ନିରୀକ୍ଷଣ କରି ମନେରଖିବାକୁ ଲାଗିଲା। ତା’ସହ ଧୀରେ ଧୀରେ ୭ଟି ମହାଦେଶରେ ଥିବା ବିଭିନ୍ନ ଦେଶର ରାଜଧାନୀ ନାମ ବି ମନେ ରଖିବାକୁ ଲାଗିଲା।’ ନିକଟରେ ମାତ୍ର ୪ ମିନିଟ ୧୭ ସେକେଣ୍ଡରେ ୧୫୦ଟି ଦେଶର ନାମ, ତା’ର ରାଜଧାନୀର ନାମ କହିବା ସହ ରାଷ୍ଟ୍ରୀୟ ପତାକା ଚିହ୍ନି ପ୍ରେଶା ଗିନିଜ୍‌ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇଛନ୍ତି। ଏବେ ପ୍ରେଶାଙ୍କ ଲକ୍ଷ୍ୟ ହେଉଛି ବିଭିନ୍ନ ଦେଶର ମୁଦ୍ରା, ଭାଷା ଓ ପ୍ରଧାନମନ୍ତ୍ରୀ/ରାଷ୍ଟ୍ରପତିଙ୍କ ନାମ ମନେରଖିବା।

Share