‘ଲଙ୍ଗ୍‌-ରେଞ୍ଜ ବମ୍‌’ର ଉଡ଼ାଣ ପରୀକ୍ଷଣ ସଫଳ

ବାଲେଶ୍ୱର ଅଫିସ,୩୦।୧୦: ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଙ୍ଗଠନ(ଡିଆର୍‌ଡିଓ) ପରିସରରୁ ଶୁକ୍ରବାର ଲଙ୍ଗ-ରେଞ୍ଜ ବମ୍‌ (ଏଲ୍‌ଆର୍‌ବି)ର ଉଡାଣ ପରୀକ୍ଷଣ ସଫଳ ହୋଇଛି। ଡିଆର୍‌ଡିଓ ଏବଂ ଭାରତୀୟ ବାୟୁସେନା (ଆଇଏଏଫ୍‌) ମିଳିତ ଉଦ୍ୟମରେ ଏହି ପରୀକ୍ଷଣ ହୋଇଥିଲା। ତେବେ ଏହି ଲଙ୍ଗ-ରେଞ୍ଜ ବମ୍‌ ଆଇଏଏଫ୍‌ ଯୁଦ୍ଧ ବିମାନରୁ ମୁକ୍ତ ହେବା ପରେ ନିର୍ଦ୍ଦିଷ୍ଟ ସୀମା ଏବଂ ନିରୂପିତ ସମୟରେ ଲକ୍ଷ୍ୟଭେଦ କରିଥିଲା। ବୋମା ଉଡ଼ାଣ ଏବଂ ପ୍ରଦର୍ଶନକୁ ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ ଦ୍ୱାରା ନିୟୋଜିତ ଇଲେକ୍ଟ୍ରୋ ଅପ୍ଟିକାଲ୍‌ ଟ୍ରାକିଂ ସିଷ୍ଟମ୍‌ (ଇଓଟିଏସ୍‌), ଟେଲିମେଟ୍ରି ଏବଂ ରାଡାର ସମେତ ବହୁ ରେଞ୍ଜ ସେନ୍ସର ଦ୍ୱାରା ତଦାରଖ କରାଯାଇଥିଲା। ହାଇଦ୍ରାବାଦସ୍ଥିତ ଡିଆର୍‌ଡିଓ ରିସର୍ଚ୍ଚ ସେଣ୍ଟର ଇମାରତ (ଆର୍‌ସିଆଇ)ର ଲାବରେଟୋରି ଦେଶର ଅନ୍ୟ ସ୍ଥାନରେ ଥିବା ଡିଆର୍‌ଡିଓ ଲାବୋରେଟୋରୀ ସହ ସମନ୍ବୟରେ ଏହି ଲଙ୍ଗ-ରେଞ୍ଜ ବମ୍‌ର ଡିଜାଇନ୍‌ ଓ ବିକଶିତ କରିଛି।
ଏନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆର୍‌ଡିଓ, ଆଇଏଏଫ୍‌ ଏବଂ ଏହି ପରୀକ୍ଷଣ ସହ ଜଡ଼ିତ ଅନ୍ୟ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ଡିଆର୍‌ଡିଓ ଅଧ୍ୟକ୍ଷ ଡ. ସତୀଶ ରେଡ୍ଡୀ କହିଛନ୍ତି ଯେ, ଲଙ୍ଗ-ରେଞ୍ଜ ବମ୍‌ର ସଫଳ ଉଡ଼ାଣ ପରୀକ୍ଷଣ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛି।

Share