Categories: ଜାତୀୟ

ଆସାମରେ ବନ୍ୟା ସ୍ଥିତି ଗମ୍ଭୀର

ଗୁଆହାଟୀ,୨୮ା୬(ପି.ଟି.): ଆସାମରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ୧୬ଟି ଜିଲାରେ ବନ୍ୟାଜଳ ପ୍ରବେଶ କରିଥିବାବେଳେ ୨.୫୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ଏପର୍ଯ୍ୟନ୍ତ ୧୬ ଜଣଙ୍କର ମୃତ୍ୟୁ ଘଟିଲାଣି। ଢେମାଜି ଜିଲା ସର୍ବାଧିକ ପ୍ରଭାବିତ ହୋଇଥିବାବେଳେ ଏହା ପଛକୁ ତିନ୍‌ସୁକିଆ, ମଜୁଲି ଏବଂ ଦିବ୍ରୁଗଡ଼ ରହିଛି। ବ୍ରହ୍ମପୁତ୍ର ଓ ଏହାର ଶାଖାନଦୀଗୁଡ଼ିକ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛନ୍ତି। ଫଳରେ ଢେମାଜି, ଲକ୍ଷ୍ମୀପୁର, ବିଶ୍ୱନାଥ, ଉଦଲଗୁରି, ଡରନ୍‌ଫ, ବକ୍ସା, ନାଲବାରି, କୋକ୍ରାଝର, ବରପେଟା, ନାଗାଓଁ, ଗୋଲାଘାଟ, ଜୋର୍‌ହାଟ, ମଜୁଲି, ଶିବସାଗର, ଦିବ୍ରୁଗଡ଼ ଏବଂ ତିନ୍‌ସୁକିଆ ଜିଲା ବନ୍ୟାପ୍ଳାବିତ ହୋଇଛି। ଅଧିକ କ୍ଷତିଗ୍ରସ୍ତ ୬ଟି ଜିଲାରେ ୧୪୨ ରିଲିଫ କ୍ୟାମ୍ପ ଓ ବଣ୍ଟନ କେନ୍ଦ୍ର ଖୋଲାଯାଇ ୧୮ ହଜାର ଲୋକଙ୍କୁ ଆଶ୍ରୟ ଦିଆଯାଇଛି। ବନ୍ୟା ଯୋଗୁ ପୋବିତୋରା ବନ୍ୟପ୍ରାଣୀ ଅଭୟାରଣ୍ୟ ଜଳମଗ୍ନ ହେବାରୁ ସେଠାରୁ ଗଣ୍ଡା ସମେତ ଅନ୍ୟ ବନ୍ୟଜନ୍ତୁଙ୍କୁ ଉଚ୍ଚ ସ୍ଥାନକୁ ନିଆଯାଇଛି। ବନ୍ୟା ଯୋଗୁ ପ୍ରାୟ ୧୨ ହଜାର ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି। ବିଭିନ୍ନ ସ୍ଥାନରେ ରାସ୍ତା ଓ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।

Share