Categories: ଅନୁଗୋଳ

ପୁନରୁଦ୍ଧାର ହେଲେ ମାଡ଼ନ୍ତା ପାଣି

ଛେଣ୍ଡିପଦା,୧୧।୬(ଡି.ଏନ.ଏ.) କୁମ୍ଭୀରା ନାଳରେ ମାଟି ବନ୍ଧ ବାନ୍ଧି ଚାଷୀ ନିର୍ମାଣ କରିଥିଲେ ଘୁଡ଼ିଆନାଳୀ ଜଳସେଚନ ପ୍ରକଳ୍ପ। ପରେ ମାଟି ବନ୍ଧକୁ ପକ୍କା କରାଯାଇଥିଲା। ହେଲେ ୨୦୦୨ରେ ପ୍ରବଳ ବର୍ଷାରେ ପ୍ରକଳ୍ପର କିଛି ଅଂଶ ଧୋଇଯିବା ପରଠାରୁ ଏହା ଅଚଳ ଅବସ୍ଥାରେ ପଡ଼ିଛି। ଫଳରେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ୭ଶହ ହେକ୍ଟର ଜମିକୁ ଜଳ ମାଡ଼ିପାରୁ ନାହିଁ। ଦୀର୍ଘବର୍ଷ ହେଲା ଅଭିଯୋଗ ହୋଇଆସୁଥିଲେ ମଧ୍ୟ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଉନାହିଁ। ପ୍ରକଳ୍ପର ପୁନରୁଦ୍ଧାର କରାଗଲେ ପ୍ରାୟ ଏକ ହଜାର ଚାଷୀ ଉପକୃତ ହୋଇପାରନ୍ତେ।
ଛେଣ୍ଡିପଦା ବ୍ଲକର ବାହାଳସାହି ଓ ଛେଣ୍ଡିପଦା ପଞ୍ଚାୟତ ସୀମାନ୍ତ ଘୁଡିଆନାଳୀଠାରେ ରହିଛି ଏହି ଜଳସେଚନ ପ୍ରକଳ୍ପ। ଚାଷୀମାନଙ୍କ କହିବା ଅନୁଯାୟୀ, ୫୦ରୁ ଅଧିକ ବର୍ଷଧରି ଏହି ପ୍ରକଳ୍ପରୁ ଚାଷୀମାନେ ଉପକୃତ ହେଉଥିଲେ। ଛେଣ୍ଡିପଦା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଯୋଗୀ ଦେହୁରୀ ଚାଷୀ କରିଥିବା ମାଟି ବନ୍ଧକୁ ସିମେଣ୍ଟ ବନ୍ଧରେ ପରିଣତ କରିବାରୁ ଏହା ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥିଲା। ଏହି ପ୍ରକଳ୍ପରୁ ଦୀର୍ଘ ୧୨ କିଲୋମିଟର ଶାଖା କେନାଲ ନିର୍ମାଣ କରାଯାଇଥିଲା। ଛେଣ୍ଡିପଦା, ବାହାଳସାହି, ଗୋଳାଗାଡିଆ, ଗୋହିରାପଶି, ମାଝିସାହି, ଡାହିବର, ବଡବେରେଣା ଆଦି ଗ୍ରାମର ଚାଷୀମାନେ ରବି ଓ ଖରିଫ ଋତୁରେ ପ୍ରାୟ ୭୦୦ ହେକ୍ଟର ଜମିରେ ଚାଷ କରିପାରୁଥିଲେ। କିନ୍ତୁ ୨୦ ବର୍ଷ ହେବ ଏହି ଜଳସେଚନ ପ୍ରକଳ୍ପ ଅଚଳ ହୋଇଯାଇଥିବାରୁ ପ୍ରତିବର୍ଷ ଚାଷ କାର୍ଯ୍ୟ ଠିକ୍‌ ଭାବେ ହୋଇପାରୁ ନାହିଁ। ପ୍ରକଳ୍ପରୁ ବାହାରିଥିବା ୧୨ କିଲୋମିଟର କେନାଲରେ ପାଣି ପ୍ରବାହିତ ହେଉ ନ ଥିବାରୁ କେଉଁଠି କେନାଲ ପୋତି ହୋଇଗଲାଣି ତ ଆଉ କେଉଁଠି ବନ୍ଧ ନଷ୍ଟ ହୋଇଗଲାଣି। ଏହାର ପୁନରୁଦ୍ଧାର ପାଇଁ ଅଞ୍ଚଳବାସୀ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରୁଥିଲେ ମଧ୍ୟ କୌଣସି ଦୃଷ୍ଟି ଦିଆଯାଉ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ ମଧ୍ୟମ ଜଳସେଚନ ବିଭାଗ ଯନ୍ତ୍ରୀ ସନ୍ତୋଷ ବିଶ୍ୱାଳ କହିଛନ୍ତି, ଖୁଡିଆପଶିରେ ଥିବା ପ୍ରକଳ୍ପଟି ଦୀର୍ଘ ଦିନ ହେବ ଅଚଳ ଅବସ୍ଥାରେ ଅଛି। ତାହାକୁ ଜଳସେଚନ ବିଭାଗ ହାତକୁ ନେବା ସହ ନୂତନ ପ୍ରକଳ୍ପ ନିର୍ମାଣ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଛି। ମଞ୍ଜୁରୀ ମିଳିବା ପରେ କାର୍ଯ୍ୟାରମ୍ଭ ହେବ।