ଅନ୍ତରୀକ୍ଷରେ ଫୁଟିଲା ଫୁଲ

ଅନ୍ତରୀକ୍ଷ ଅନେକ ରହସ୍ୟରେ ଭରି ରହିଛି। ଯାହା ସମ୍ପର୍କରେ ଜାଣିବା ଲାଗି ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ତା’ସହ ଅନ୍ତରୀକ୍ଷରେ ଜୀବନଧାରଣ କରିବା ସମ୍ଭବ କିଭଳି ହେବ ଓ ସେଠାରେ କିଭଳି ଫଳ, ଫୁଲ, ପନିପରିବା ଲଗା ଯାଇପାରିବ ସେ ସମ୍ପର୍କରେ ବି ଗବେଷଣା କରାଯାଉଛି। ନିକଟରେ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେସନ୍‌ରେ ଫୁଲ ଫୁଟିଥିବାର ଏକ ଫଟୋ ନାସା ଶେୟାର କରିଥିଲା। ଫଟୋ ପୋଷ୍ଟ କରିବା ସହ ସେଥିରେ ଲେଖାଯାଇଥିଲେ ଯେ, ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେସନ୍‌ରେ ଏହି ଜିନିଆ ଫୁଲ ଫୁଟିଛି। ଆମର ସ୍ପେସ୍‌ ଗାର୍ଡେନ କେବଳ ଦେଖେଇବା ପାଇଁ ନୁହେଁ। ଏଭଳି ଗବେଷଣା କରି ଆମେ ଜାଣିବାକୁ ଚାହୁଁଛୁ ଯେ ପୃଥିବୀ ଭଳି ଅନ୍ତରୀକ୍ଷରେ କେମିତି ଫସଲ ଚାଷ କରିହେବ। ଯାହାଦ୍ୱାରା ଆଗକୁ ହେବାକୁ ଥିବା ଚନ୍ଦ୍ର, ମଙ୍ଗଳ ଭଳି ଦୀର୍ଘକାଳିନ ମିଶନ୍‌ରେ ତାଜା ଭୋଜନର ମୂଲ୍ୟବାନ ସ୍ରୋତ ମିଳିପାରିବ। ପୂର୍ବରୁ ନାସାର ଆଷ୍ଟ୍ରୋନଟ୍‌ମାନେ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେସନ୍‌ରେ ଅନ୍ୟ ପନିପରିବା ସହ ଲେଟ୍ୟୁସ୍‌, ଟମାଟୋ, ଚିଲି ପେପର୍‌ ଆଦି ଗଛ ଲଗାଇଛନ୍ତି। ଆଗକୁ ଆହୁରି ଅନେକ ଗଛ ଲଗାଇବାର ଯୋଜନା ଅଛି। ନାସା ଦ୍ୱାରା ଶେୟାର କରାଯାଇଥିବା ସମ୍ପୂର୍ଣ୍ଣଭାବେ ଫୁଟିଥିବା ହାଲ୍‌କା ନାରଙ୍ଗୀ ରଙ୍ଗର ପାଖୁଡ଼ା ଥିବା ଏହି ଫୁଲଟି ବେଶ୍‌ ସୁନ୍ଦର ଓ ଅଦ୍ଭୁତ। ଏହାବାଦ ସବୁଜ ପତ୍ର ସହଫୁଲ ପଛପଟେ ଦେଖାଯାଉଥିବା ପୃଥିବୀର ଫୋକସ୍‌ ଛବି ତ ବେଶ ଚମତ୍କାର ଲାଗେ।