ବାନ୍ଧିପାରୁନି ବନ ବିଭାଗ

ବଇଣ୍ଡା,୨୨।୪(ପରିକ୍ଷିତ ସାହୁ) ଫାଶରେ ପଡ଼ି ଛାଟିପିଟି ହେଉଥିବା କଲରାପତରିଆକୁ ଗୁଳି କରିଥିଲେ ଶିକାରୀ। ପରେ ନଖ କାଟି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ୪ ମାସ ବିତିଗଲାଣି। ହେଲେ ତଦନ୍ତ ଓ ଚଢ଼ାଉରେ ସୀମିତ ରହିଛି ବନ ବିଭାଗର କାର୍ଯ୍ୟାନୁଷ୍ଠାନ। ସମ୍ପୃକ୍ତ ଶିକାରୀମାନେ ଜଙ୍ଗଲରେ ପୁନଃ ସକ୍ରିୟ ରହିଥିଲେ ମଧ୍ୟ ସେମାନଙ୍କୁ ବାନ୍ଧିବା ତ ଦୂରର କଥା ଏଯାଏ ସନ୍ଧାନ କରିପାରୁନି ବନ ବିଭାଗ। ଏହାକୁ ନେଇ ସାମାଜିକ କର୍ମୀ ଓ ପରିବେଶବିତ୍‌ମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ପ୍ରକାଶ ଯେ, ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଅନୁଗୋଳ ଜିଲାର ଆଠମଲ୍ଲିକ ଅଞ୍ଚଳରେ ଶିକାରୀଙ୍କ ପ୍ରାଦୂର୍ଭାବ ବଢ଼ିବାରେ ଲାଗିଛି। ସାତକୋଶିଆ ସଂଲଗ୍ନ ଏସବୁ ଜଙ୍ଗଲରେ ବହୁ ସଂଖ୍ୟାରେ ଜୀବଜନ୍ତୁ ଥିବାରୁ ଶିକାରୀଙ୍କ ଅବାଧ ପ୍ରବେଶ ଚିନ୍ତାର କାରଣ ହୋଇଛି। ଗତ ୧୭ ଡିସେମ୍ବର ୨୦୨୧ ରାତିରେ ହଣ୍ଡପା ରେଞ୍ଜ ପେଡ଼ିପଥର ସେକ୍ସନ ବାତ୍ରାଖୋଳ ଜଙ୍ଗଲ ନିକଟ ପିରମଳିହାସ୍ଥିତ ଏକ ବିଲରେ ବାର୍‌ହା ଶିକାର ଉଦ୍ଦେଶ୍ୟରେ ଶିକାରୀମାନେ ଫାଶ ବସାଇଥିବା ବେଳେ ସେଥିରେ ୬ ବର୍ଷୀୟ କଲରାପତରିଆ ବାଘ ପଡିଯାଇଥିଲା। ଦୂରରେ ଛକି ରହିଥିବା ଶିକାରୀମାନେ ଏହା ଦେଖିବା ପରେ ବାଘ ଦେହକୁ ଗୁଳି ମାରିଥିଲେ। ପରେ ମୃତ ବାଘର ନଖ କାଟିନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରଦିନ କେତେଜଣ ଗାଈ ଚରାଳିଙ୍କଠାରୁ ସୂଚନା ପାଇଁ ଘଟଣାସ୍ଥଳରେ ବନ ବିଭାଗର ବହୁ ଅଧିକାରୀ ପହଞ୍ଚି ତଦନ୍ତ କରିଥିଲେ। ନିକଟସ୍ଥ ଅଞ୍ଚଳର ୪ ଜଣ ଶିକାରୀ ଏଥିରେ ସମ୍ପୃକ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ହେଲେ ସେମାନଙ୍କୁ ଗିରଫ କରିବାରେ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି। ବିଭାଗୀୟ ଅଧିକାରୀଙ୍କ ଏପରି ଅପାରଗତା ଦେଖି କିଛିଦିନ ହେଳା ଶିକାରୀମାନେ ଏହି ଅଞ୍ଚଳରେ ପୁଣି ଜନ୍ତୁ ଶିକାର ଆରମ୍ଭ କରିଛନ୍ତି। ଏପରି କି ସେମାନେ ଖୋଲାମେଲାରେ ବୁଲୁଥିବା ସାଧାରଣରେ ଅଭିଯୋଗ ହେଉଛି। ବନ ବିଭାଗ ପକ୍ଷରୁ ନିୟମିତ ପାଟ୍ରୋଲିଂ ଓ ଠିକ୍‌ ସମୟରେ ଚଢ଼ାଉ କରାଯାଉ ନ ଥିବାରୁ ଶିକାରୀଙ୍କୁ ଗିରଫ କରାଯାଇ ପାରୁ ନ ଥିବା ବାତ୍ରାଖୋଳ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏଥିପ୍ରତି ବନ ବିଭାଗ ଉଚ୍ଚ ପଦାଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଏ ନେଇ ଆଠମଲ୍ଲିକ ଡିଏଫ୍‌ଓ ଦାୟୟିତ୍ୱରେ ଥିବା ଅନୁଗୋଳ ଡିଏଫ୍‌ଓ ବିବେକ କୁମାର କହିଛନ୍ତି, ବାଘ ଶିକାରରେ ସମ୍ପୃକ୍ତ ଥିବା ଶିକାରୀମାନଙ୍କୁ ଧରିବା ପାଇଁ ଅନେକ ଥର ଚଢ଼ାଉ କରାଯାଇଛି। ଫେରାର ଥିବା ଯୋଗୁ ସେମାନଙ୍କୁ ଗିରଫ କରାଯାଇପାରୁ ନାହିଁ। ଏ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ।

Share