ମିଥ୍ୟା ସୂଚନାର ତଦନ୍ତ କରି ବନ ବିଭାଗ ନାକେଦମ

ନୟାଗଡ଼,୧୦।୭(ଲୋକନାଥ ମିଶ୍ର): ହାତୀ ଦାନ୍ତ, ବାଘ ଛାଲ ଓ ଚନ୍ଦନ କାଠ ବ୍ୟବସାୟର ଗୁମର ଖୋଲି ବ୍ୟବସାୟୀଙ୍କୁ ଗିରଫ କରିବାକୁ ବନ ବିଭାଗ ପକ୍ଷରୁ କରାଯାଇଥିବା ଖୋଳତାଡ଼ ଓ ତଦନ୍ତ ବିଫଳ ହୋଇଛି। ମିଥ୍ୟ ସୂଚନାର ତଦନ୍ତ କରି ବନ ବିଭାଗ ନାକେଦମ ହେବା ପରେ ହାତୀ ଦାନ୍ତ, ବାଘ ଛାଲ ଓ ଚନ୍ଦନ କାଠ ବ୍ୟବସାୟର ତଦନ୍ତ ଘଟଣାକୁ ପୂର୍ଣ୍ଣଛେଦ ପକାଇଛି। ତେବେ ମିଥ୍ୟ ସୂଚନାକାରୀ ତଥା ହନୁମାନ ପଇସା ର଼୍ୟାକେଟର ମୁଖ୍ୟ କୁଞ୍ଜବନଗଡ଼ର ପ୍ରଦୀପ କୁମାର ସୁବୁଦ୍ଧିଙ୍କୁ ପୋଲିସକୁ ହସ୍ତାନ୍ତର କରି ବନ ବିଭାଗ ପକ୍ଷରୁ ଦଶପଲ୍ଲା ଥାନାରେ ଏଫଆଇଆର କରାଯାଇଛି। ତେବେ ବନ ବିଭାଗ ଜାଣି ପାରିଛି ହନୁମାନ ପଇସାକୁ ନେଇ ସୃଷ୍ଟ ବିବାଦୀୟ ଘଟଣାରେ ୫ ସହଯୋଗୀଙ୍କୁ ଫସାଇବାକୁ ପ୍ରଦୀପ୍ତ ଚକ୍ରବ୍ୟୁହ କରି ବନ ବିଭାଗକୁ ଅସ୍ତ୍ର ରୂପେ ବ୍ୟବହାର କରିଥିଲେ। ତଦନ୍ତରେ ଅସହଯୋଗ ଓ ନଟ ରିଚେବୁଲ ଏରିଆରୁ ମେସେଜ ପଠାଇବା ଘଟଣା ମିଥ୍ୟା ସୂଚନାକାରୀଙ୍କୁ ସନ୍ଦେହରେ ପକାଇଥିଲା।
ପ୍ରାପ୍ତ ସୂଚନା ଅନୁସାରେ, କୁଞ୍ଜବନଗଡ଼ର ପ୍ରଦୀପ୍ତ ଜଣେ ହନୁମାନ ପଇସା ବ୍ୟବସାୟୀ। ତାଙ୍କର ୫ ଜଣ ସହଯୋଗୀଙ୍କ ସହ ବ୍ୟବସାୟରେ ତିକ୍ତତା ଦେଖା ଦେଇଥିଲା। ୫ ସହଯୋଗୀଙ୍କୁ ଫସାଇବାକୁ ପ୍ରଦୀପ୍ତ ବନ ବିଭାଗକୁ ହାତବାରିଶି କରି ଗିରଫ କରିବାକୁ ଚକ୍ରବ୍ୟୁହ କରିଥିଲେ। ୫ ସହଯୋଗୀ ହାତୀ ଦାନ୍ତ, ବାଘ ଛାଲ ଓ ଚନ୍ଦନ କାଠ ବ୍ୟବସାୟୀ ବୋଲ ଡିଏଫ୍‌ଓଙ୍କୁ କହିଥିଲେ। ଏପରିକି ସେମାନଙ୍କ ଘରେ ହାତୀ ଦାନ୍ତ, ବାଘ ଛାଲ ଓ ଚନ୍ଦନ କାଠ ରହିଥିବା କହିଥିଲେ। କିଛି ଫଟୋ ହ୍ବାଟସ ଅପରେ ଡିଏଫ୍‌ଓଙ୍କୁ ଦେଇଥିଲେ। ଏହାର ଗୁମର ଖୋଲିବାକୁ ଡିଏଫ୍‌ଓ ମହାନଦୀ ବନ୍ୟପ୍ରାଣୀ ଡିଭିଜନ, ନୟାଗଡ଼ ବନଖଣ୍ଡର ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଗଠନ କରିଥିଲେ ୫ଟି ଟିମ୍‌। ୫ଟି ଟିମ୍‌ ରବିବାର ଭୋରରୁ ବସନ୍ତପୁର, ଦଶପଲ୍ଲା ପରି ୫ଟି ସ୍ଥାନ ଉପରେ ଚଢ଼ାଉ କରି ବସନ୍ତପୁରରୁ ବାପ ପୁଅ ୨ଜଣ, ଜଣେ ବାବାଙ୍କ ସମେତ ୫ ଜଣଙ୍କୁ ଉଠାଇ ଆଣିଥିଲା। ନୂଆଗଁା ବ୍ଳକ ମାଇଛେଳିସ୍ଥିତ ନର୍ସରୀରେ ୫ଜଣଙ୍କୁ ଏକାଠି କରି ପଚରାଉଚୁରା କରିଥିଲା। ଅଟକ ୫ଜଣଙ୍କୁ ପଚରାଉଚୁରା ପରେ ସୂଚନାଦାତାଙ୍କ ସୂଚନା ମିଥ୍ୟା ଥିଲା ବୋଲି ଜଣାପଡ଼ଥିଲା। ଏପରିକି ହନୁମାନ ପଇସାକୁ ନେଇ ଦେଖା ଦେଇଥିବା ବିବାଦକୁ ନେଇ ୫ଜଣ ଫସିଥାନ୍ତେ ବୋଲି ବନ ବିଭାଗ ଜାଣି ପାରିଥିଲା। ଅନ୍ୟପକ୍ଷେ ସୂଚନାଦାତା ତଦନ୍ତରେ ସହଯୋଗ ନ କରିବା, ନଟ ରିଚେବୁଲ ଏରିଆରେ ରହି ଫୋନରେ ମେସେଜ ଓ ହ୍ବାଟସ୍‌ ଅପ କରିବା କହିବା ଘଟଣା ଅଧିକ ସନ୍ଦେହ ବଢ଼ାଇଥିଲା।