ଜଙ୍ଗଲ ଭିତରେ ଲୁଚାଇ ରଖିଥିବା ୭ଟି ଦେଶୀ ବନ୍ଧୁକକୁ ଉଦ୍ଧାର କଲା ବନ ବିଭାଗ

ଠାକୁରମୁଣ୍ଡା,୯।୮(ତାରାକାନ୍ତ ପଟ୍ଟନାୟକ) କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରୁ ଶିକାରୀମାନେ ଜଙ୍ଗଲରେ ଲୁଚାଇ ରଖିଥିବା ୭ ଟି ଦେଶୀ ବନ୍ଧୁକକୁ ଉଦ୍ଧାର କରିଛି ବନ ବିଭାଗ। ବୁଧବାର ସ୍ଥାନୀୟ ଲୋକ ପ୍ରତିନିଧି ଓ ବନକର୍ମଚାରୀ ମାନେ ବନ୍ଧୁକକୁ ଉଦ୍ଧାର କରି ଠାକୁରମୁଣ୍ଡା ଥାନାରେ ଜିମା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଶିମିଳିପାଳ ଅଭୟାରଣ୍ୟରେ ୨ ଜଣ ବନ କର୍ମଚାରୀଙ୍କୁ ହତ୍ୟା ପରେ ପୋଲିସ ଓ ବନବିଭାଗ ପକ୍ଷରୁ ବନ୍ଧୁକ ଆତ୍ମସମର୍ପଣ ଅଭିଯାନ ଶିମିଳିପାଳ ଜଙ୍ଗଲ ଲାଗି ରହିଥିବା ଗ୍ରାମଗୁଡିକରେ ଆରମ୍ଭ କରାଯାଇ ଜୁଲାଇ ମାସ ୩୧ ତାରିଖ ବନ୍ଧୁକ ଆତ୍ମସମର୍ପଣର ଶେଷ ଦିନ ରଖା ଯାଇଥିଲା। ଆତ୍ମସମର୍ପଣର ଶେଷ ଦିନ ପରେ ବନ୍ଧୁକ ରଖିଥିବ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଚାର କରାଯାଇଥିଲା। ସମର୍ପଣର ଶେଷ ଦିନରେ ସ୍ଥାନୀୟ ସରପଞ୍ଚମାନଙ୍କ ନିକଟରେ ୨୪ଟି ଦେଶୀ ବନ୍ଧୁକକୁ ଶିକାରୀମାନେ ସମର୍ପଣ କରିଥିଲେ। ସେଗୁଡିକୁ ସ୍ଥାନୀୟ ସରପଞ୍ଚମାନେ ମହୁଲଡ଼ିହା ଓ ଠାକୁରମୁଣ୍ଡା ଥାନାରେ ଜିମା ଦେଇଥିଲେ। ପୁଣି ବନ୍ଧୁକ ସମର୍ପଣର ୮ ଦିନ ପରେ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଭେଜଡ଼ିହା ଲାଇନ ଚଟଣି ବୁରୁ ଜଙ୍ଗଲରେ ଥିବା ବିଭିନ୍ନ ଗଛ କୋରଡ, ପଥର ଖୋଲ ଭିତରେ ଶିକାରୀ ମାନେ ବନ୍ଧୁକ ଲୁଚାଇଥିବା ନେଇ ଚମ୍ପାଝର ସରପଞ୍ଚ ବିକ୍ରମ ପିଙ୍ଗୁଆ ଓ ୱାର୍ଡ ସଭ୍ୟ ଗୋବିନ୍ଦ ଲାମୀୟା, ନାରାୟଣ ହୋ ଙ୍କ ସୂଚନା ଅନୁଯାୟୀ ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ କିଶୋର କୁମାର ପାଣିଗ୍ରାହୀ ଓ ଅନ୍ୟ ବନ କର୍ମଚାରୀ ମାନେ ଜଙ୍ଗଲ ଭିତରେ ଖୋଜା ଖୋଜି କରି ଶିକାରୀ ମାନେ ଲୁଚାଇ ରଖିଥିବା ୭ ଟି ବନ୍ଧୁକକୁ ଉଦ୍ଧାର କରିଥିଲେ। ଉଦ୍ଧାର ବନ୍ଧୁକ ଗୁଡିକୁ ଠାକୁରମୁଣ୍ଡା ଥାନାରେ ବନ ବିଭାଗ ଜିମା ଦେଇଥିବା ନେଇ ରେଞ୍ଜ ଅଧିକାରୀ କିଶୋର କୁମାର ପାଣିଗ୍ରାହୀ କହିଛନ୍ତି।