କୋକୋକୁ ନେଲା ବନ ବିଭାଗ

କଟକ ଅଫିସ, ୧୯।୧: ଆଇନ ଓ ନିୟମ ମଧ୍ୟରେ ଫିକା ପଡିଛି ସମ୍ପର୍କ। ଚର୍ଚ୍ଚିତ ଶୁଆ କୋକୋ ନିଜ ମାଲିକ ପ୍ରଫେସର ସସ୍ମିତା ବେହେରାଙ୍କଠାରୁ ସବୁଦିନ ପାଇଁ ଦୂରେଇ ଯାଇଛି। ୧୨ ଦିନ ପରେ ମଙ୍ଗଳବାର ସସ୍ମିତାଙ୍କ ନିକଟକୁ କୋକୋ ଫେରିଥିବାବେଳେ ବନ ବିଭାଗ ତାହାକୁ ନିଜ ହେପାଜତକୁ ନେଇଛି। ଡାକ୍ତରଙ୍କ ପରାମର୍ଶକ୍ରମେ କୋକୋର ଅବସ୍ଥା ସୁସ୍ଥ ଅଛି। ବୁଧବାର ତାକୁ ନନ୍ଦନକାନନରେ ଛଡାଯିବ ବୋଲି ରେଞ୍ଜ ଅଫିସର ଦୁର୍ଗା ପ୍ରସାଦ ସାହୁ କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କଟକ ତୁଳସୀପୁରସ୍ଥିତ ମଧୁସୂଦନ ନଗରର ସସ୍ମିତା ପ୍ରାୟ ୧ ବର୍ଷ ତଳେ ଏକ ଛୋଟ ଶୁଆକୁ ଉଦ୍ଧାର କରିଥିଲେ। ଘରର ଜଣେ ସଦସ୍ୟ ଭଳି ଲାଳନପାଳନ କରିଥିବାବେଳେ ତାହାର ନଁା ଦେଇଥିଲେ କୋକୋ। ସବୁଠୁ ବଡ କଥା ହେଉଛି ସେ କେବେହେଲେ କୋକୋକୁ ପଞ୍ଜୁରିରେ ରଖୁ ନ ଥିଲେ। ଗତ ୫ ତାରିଖରେ କୋକୋ କେଉଁଆଡେ ଉଡିଯାଇଥିଲା। ତାକୁ ପାଇବା ପାଇଁ ସସ୍ମିତା ଲିଫ୍‌ଲେଟ୍‌, ପୋଷ୍ଟର ମାରିବା ସହ ବିଜ୍ଞାପନ ଜରିଆରେ ୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ। ତେବେ ସୋମବାର ଭୁବନେଶ୍ୱର କେଶୁରା ଅଞ୍ଚଳରୁ ଜଣେ ବ୍ୟକ୍ତି କୋକୋକୁ ଉଦ୍ଧାର କରି ମଙ୍ଗଳବାର ସସ୍ମିତାଙ୍କ ଘରକୁ ନେଇଥିଲେ। ହେଲେ ବନ ବିଭାଗର ଅଧିକାରୀ ସସ୍ମିତାଙ୍କ ଘରେ ପହଞ୍ଚି ତନାଘନା କରିବା ପରେ କୋକୋକୁ ନିଜ ହେପାଜତକୁ ନେଇଥିଲେ। ଏ ସମ୍ପର୍କରେ ରେଞ୍ଜ୍‌ ଅଫିସର ସାହୁ କହିଛନ୍ତି, ଶୁଆ ଗୃହପାଳିତ ପକ୍ଷୀ ନୁହେଁ। ଲୋକମାନେ ଏ ବିଷୟରେ ଅବଗତ ନ ହୋଇ ଘରେ ଶୁଆ ରଖୁଛନ୍ତି। ତେବେ କୋକୋ ସମ୍ପର୍କରେ ଅନେକ ଚର୍ଚ୍ଚା ଏବଂ ଅଭିଯୋଗ ଆସିବା ପରେ ଆମେ ପଦକ୍ଷେପ ନେଇଛୁ ବୋଲି ସେ କହିଛନ୍ତି।

Share