ରାଣୀପଥର ଘାଟିରେ ଜଳୁଛି ଜଙ୍ଗଲ

ଫୁଲବାଣୀ ଅଫିସ/ ବଲସକୁମ୍ପା, ୯ା୫: ଫୁଲବାଣୀ-ବୌଦ୍ଧ ଜିଲା ୧୫୭ ଜାତୀୟ ରାଜପଥ ରାଣୀପଥର ଘାଟିର ପୁରୁଣାପାଣିଠାରେ ଶାଗୁଆନ ଓ ବାଉଁଶ ଜଙ୍ଗଲ ରବିବାର ୧୦ଟାରୁ ହୁତୁ ହୁତୁ ହୋଇ ଜଳୁଛି। ରାଣୀପଥର ଫରେଷ୍ଟରଙ୍କ ଏଥିପ୍ରତି ନିଘା ନାହିଁ। ଫୁଲବାଣୀ ବନବିଭାଗ ଖଣ୍ଡ ସୁଡ୍ରୁକୁମ୍ପା ବନାଞ୍ଚଳ ଅଧୀନ ରାଣୀପଥର ବନପାଳଙ୍କ ଅଧୀନରେ ଥିବା ପୁରୁଣାପାଣି ଶାଗୁଆନ ଓ ବାଉଁଶ ଜଙ୍ଗଲ ଜାତୀୟ ରାଜପଥ କଡଠାରୁ ମାତ୍ର ୨୦ ମିଟର ଦୂର ଭିତରକୁ ୨/୩ ଜାଗାରେ ନିଆଁଲାଗିଛି। ଏହା ପୂର୍ବରୁ ଏହି ଫରେଷ୍ଟ ଏରିଆରେ ଅଧିକାଂଶ ଜଙ୍ଗଲ ପୋଡ଼ି ଧ୍ୱଂସ ହୋଇଯାଇଛି। ସ୍ବଳ୍ପ ମୂଲ୍ୟ ପାରିଶ୍ରମିକ ପାଇ ଦିନରାତି ଜଙ୍ଗଲକୁ ଜଗି ସୁରକ୍ଷା ଦେଉଥିବା ବିଭାଗୀୟ କର୍ମଚାରୀ ଟିମ ଓ ମହିଳା ଫରେଷ୍ଟ ଗାର୍ଡ ମୁକ୍ତାଳୀ ବେହେରାଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ଚଳିତ ବର୍ଷ ଚାରିଆଡ଼େ ଜଙ୍ଗଲରେ ନିଆଁ ଲାଗି ପାରି ନ ଥିବା ଅଞ୍ଚଳର ବୁଦ୍ଧିଜୀବୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ୪୦ ରୁ ୫୦ ହଜାର ଟଙ୍କା ମାସକୁ ଦରମା ପାଉଥିବା ବଡ ବଡ ଅଧିକାରୀମାନେ କେବଳ ଲାଭଖୋର ମନଭାବ ଦିଗରେ ମାତି ଜଙ୍ଗଲ ସୁରକ୍ଷାକୁ ଉପେକ୍ଷା କରୁଛନ୍ତି ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।

Share