ଜଙ୍ଗଲ ଜଳୁଛି, ବନ୍ୟଜନ୍ତୁ ଗାଁ ମୁହାଁ

ବଇଣ୍ଡା,୨୪।୨(ଡି.ଏନ.ଏ.): ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜ ଅଧୀନରେ ଥିବା ବିପ୍ରଡିହ ଜଙ୍ଗଲ କିଛିଦିନ ହେବ ଜଳୁଛି। ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ଉକ୍ତ ଜଙ୍ଗଲ ଏବେ ଅସୁରକ୍ଷିତ ହୋଇପଡିଛି। ଏହି ଜଙ୍ଗଲରେ ନିଆଁ କିପରି ଲାଗିଲା ତାହା ଜଣାପଡି ନ ଥିବା ବେଳେ ଏହାକୁ ଲିଭାଇବାରେ ବନବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି। ନିଆଁ ଯୋଗୁ ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳୁଛି।
ଅଞ୍ଚଳବାସୀ କହିଛନ୍ତି, ୧୯୯୫ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ଜଙ୍ଗଲରେ ଶାଳ, ପିଆଶାଳ, ଶାଗୁଆନ, ପଟାସ ଭଳି ଅନେକ ମୁଖ୍ୟବାନ ଗଛ ଲଗାଯାଇଥିଲା। ସେଗୁଡିକ ଏବେ ବଡ଼ ବଡ଼ ହୋଇଯାଇଥିବା ଯୋଗୁ ଜଙ୍ଗଲ ଘଞ୍ଚ ହୋଇଯାଇଛି। ତେବେ ଗଛ କାଟି ବାହାରକୁ ଚାଲାଣ କରିବାରେ ବାଧକ ସୃଷ୍ଟି ହେଉଥିବାରୁ କେତେଜଣ କାଠ ମାଫଆ ଗାଈ ଚରାଳିଙ୍କ ସହାୟତାରେ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଜଙ୍ଗଲରେ ନିଆଁ ଲଗାଇବା ଯୋଗୁ ଅନେକ ଔଷଧୀୟ ବୃକ୍ଷ, କୀଟ ପତଙ୍ଗ, ସରୀସୃପ ପୋଡି ପାଉଁଶ ହେଇଯାଉଛନ୍ତି। ଏ ନେଇ ଧଣ୍ଡାତୋପା ବନବିଭାଗକୁ ସୂଚନା ଦେଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ତୁରନ୍ତ ଏଥିପ୍ରତି ବନବିଭାଗର ଉଚ୍ଚ ଅଧିକାରୀ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଏ ନେଇ ଧଣ୍ଡାତୋପା ରେଞ୍ଜର ବି. ସାହୁ ନିଆଁ ଲାଗିନାହିଁ କହି ପ୍ରସଙ୍ଗକୁ ଏଡାଇ ଦେଇଥିଲେ।