ବନବିଭାଗ ପାଟ୍ରୋଲିଂ ଗାଡ଼ିକୁ ନାଳକୁ ଠେଲିଦେଲା ଦନ୍ତା, ୬ କର୍ମଚାରୀ ଆହତ

ନୀଳଗିରି,୧୩ା୧୦(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟର ଏକ ଦନ୍ତାହାତୀ ଖୁମକୁଟ ଅଞ୍ଚଳରେ ଉପଦ୍ରବ କରୁଥିବାର ଖବରପାଇ କୁଲଡିହା ବନବିଭାଗ ଦନ୍ତାଟିକୁ ଘଉଡ଼ାଇବା ପାଇଁ ଯାଇଥିଲେ। ମାତ୍ର ଦନ୍ତାଟି ହିଂସ୍ରମୁଖା ହୋଇ ପାଲଟା ବନବିଭାଗର ପାଟ୍ରୋଲିଂ ବୋଲେରୋକୁ ଆକ୍ରମଣ କରିବା ସହ ଠେଲିଠେଲି ନେଇ ନାଳ ଭିତରକୁ ପକାଇ ଦେଇଛି। ଏଥିରେ ବନ କର୍ମଚାରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନାଯୋଗ୍ୟ, କୁଲଡିହା ଅଭୟାରଣ୍ୟର ପଞ୍ଚଲିଙ୍ଗେଶର ବିଟ୍‌ ଅଧୀନ ଗୋଡ଼ିଖୋଳା ନିକଟ ଖୁମକୁଟ ଅଞ୍ଚଳରେ ଏକ ଦନ୍ତାହାତୀ ଉପଦ୍ରବ ଘଟାଇ ଚାଲିଥିବା ନେଇ କୁଲଡିହା ବନବିଭାଗକୁ ଖବର ଆସିଥିଲା। ଏନେଇ ବନପାଳ ଭାଗ୍ୟଶ୍ରୀ ଦ୍ୱିବେଦୀ ଓ ଅନ୍ୟ ୪ଜଣ ସବୁଜବାହିନୀ କର୍ମଚାରୀ ବୁଧବାର ରାତି ସାଢ଼େ ୧୦ଟାରେ ସେଠାରେ ପହଞ୍ଚି ଉକ୍ତ ଦନ୍ତାକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ୧ଘଣ୍ଟା ଧରି ଏହି ଦନ୍ତାଟି ବନବିଭାଗ କର୍ମଚାରୀଙ୍କ ପ୍ରୟାସ ମଧ୍ୟରେ ଦନ୍ତା ଶେଷରେ ପାଲଟା ଆକ୍ରମଣ କରିଥିଲା। ଦନ୍ତାଟି ପାଟ୍ରୋଲିଂରେ ଯାଇଥିବା ବୋଲେରୋକୁ ଠେଲି ଠେଲି ଏକ ନାଳ ଭିତରକୁ ଠେଲି ଦେଇଥିବା ବେଳେ ଭିତରେ ବସିଥିବା ୬ଜଣ କର୍ମଚାରୀ ଆହତ ହୋଇଥିଲେ। ସେପଟେ ଖବରପାଇ କୁଲଡିହା ରେଞ୍ଜର ଅନନ୍ତ ଜେନା ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।