ବିଶ୍ୱ ବନ୍ୟ ଦିବସ ଉପଲକ୍ଷେ
ପ୍ରଫେସର ଡ. ଅଜୟ କୁମାର ପାତ୍ର
ଜୀବଜଗତରେ ବିଭିନ୍ନ ସ୍ତରରେ ବୃକ୍ଷଲତା, କୀଟପତଙ୍ଗ, ଜୀବଜନ୍ତୁ ଓ ସର୍ବୋପରି ମଣିଷ ମଧ୍ୟରେ ଏକ ମଧୁର ସମ୍ପର୍କ ଏପରି ସମତୁଲ ଭାବରେ ଜଡ଼ିତ ଯେ ଗୋଟିକର କ୍ଷୟକ୍ଷତି ଓ ବିକାଶରେ ଅନ୍ୟଟିର କ୍ଷୟକ୍ଷତି ଓ ବିକାଶ ଜଡ଼ିତ ଥାଏ। ଏହା ହିଁ ପ୍ରକୃତିର ଏକ ରହସ୍ୟମୟ ଦିଗ। ଆଜି ପୃଥିବୀ ସାରା ପ୍ରକୃତି ବିରୋଧରେ ବିଚାରବିହୀନ ଆକ୍ରମଣ ଚାଲିଛି। ଫଳତଃ ବହୁବିଧ ଉଦ୍ଭିଦ, ପ୍ରାଣୀଙ୍କର ସମ୍ପୂର୍ଣ୍ଣ ବିଲୋପ ଘଟିଛି ଓ ଆହୁରି ଅନେକ ଅବଲୁପ୍ତ ଅବସ୍ଥାରେ ରହିଛନ୍ତି। ଅରଣ୍ୟ ଧ୍ୱଂସ ପାଇବା ଫଳରେ ମୃତ୍ତିକା କ୍ଷୟ, ବନ୍ୟା, ମରୁଡ଼ି ଓ ବହୁବିଧ ମାରାତ୍ମକ ରୋଗ ବ୍ୟାପକ ହେଲାଣି। ପ୍ରାୟ ପଚାଶ ବର୍ଷ ତଳେ ଭାରତବର୍ଷର ଯେଉଁ ଘନ ସବୁଜ ଅରଣ୍ୟ ଥିଲା ତାହା ଆଜି ନାହିଁ। ବାଘ, ସିଂହ, ଗଣ୍ଡା, କୃଷ୍ଣସାର ମୃଗ, ବନ୍ୟଗାଈ, ଗୟଳ, ନାନାଦି ସରୀସୃପ, ନାନା ଜାତିର ପକ୍ଷୀ ଓ କୀଟପତଙ୍ଗ ଯେଉଁଗୁଡ଼ିକ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଥିଲେ ତାହା ଆଜି ଦୁର୍ଲଭ।
ଆମେ ଯଦି ଆମର ଚତୁଃପାର୍ଶ୍ୱ ବନ୍ୟ ପରିବେଶକୁ ଅନୁଧ୍ୟାନ କରିବା, ତା’ହେଲେ ଜାଣିପାରିବା ଯେ ଅନ୍ତତଃ ୩୫୦,୦୦୦ ପ୍ରକାରର ବୃକ୍ଷଲତା, ପ୍ରାୟ ୬୬୦,୦୦୦ ପ୍ରକାରର ପୋକଜୋକ, ୨୧୦୦ ପ୍ରକାରର କୀଟପତଙ୍ଗକୁ ମିଶାଇ ଅନୂ୍ୟନ ଦଶଲକ୍ଷରୁ ଅଧିକ ବିବିଧ ପ୍ରକାରର ପ୍ରାଣୀ ବାସ କରୁଛନ୍ତି। ଏହି ବନ୍ୟଜାତକ ପ୍ରାଣୀମାନଙ୍କର ସୁରକ୍ଷା ପାଇଁ ବନ୍ୟ ସମ୍ପଦର ସୁରକ୍ଷା ଅପରିହାର୍ଯ୍ୟ। ଏକ ପରିସଂଖ୍ୟାନରୁ ଜଣାଯାଇଛି ଯେ, ପ୍ରାୟ ୨୦ ହେକ୍ଟର ଜଙ୍ଗଲ ପ୍ରତି ମିନିଟ୍ରେ ଧ୍ୱଂସ ପାଉଛି। ଅନେକ ବନ୍ୟ ଉଦ୍ଭିଦର ଉପକାରିତା ଆବିଷ୍କୃତ ହେବା ପୂର୍ବରୁ ବିଲୁପ୍ତ ହୋଇ ଯାଉଛନ୍ତି। ଆମେରିକାର ମିଶୋରୀ ଉଦ୍ଭିଦ୍ ବିଜ୍ଞାନ ବଗିଚାର ନିର୍ଦ୍ଦେଶକ ଡ. ପିଟର ଓ ଡ. ରାବେନଙ୍କ ମତରେ ଗୋଟିଏ ବୃକ୍ଷ ଉପରେ ୧୦ଟିରୁ ୩୦ଟି ପର୍ଯ୍ୟନ୍ତ କୀଟପତଙ୍ଗ ଓ ଅନ୍ୟାନ୍ୟ ପ୍ରାଣୀ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ନିର୍ଭର କରିଥିବାରୁ ଏହି ବୃକ୍ଷର ବିଲୋପ ସହ ସେହିସବୁ ଜୀବମାନେ ମଧ୍ୟ ବିଲୋପଗାମୀ ହୁଅନ୍ତି। ଏକ ବୈଜ୍ଞାନିକ ତଥ୍ୟରୁ ଜଣାଯାଏ ଯେ, ଭାରତରେ ପ୍ରାୟ ୨୫,୦୦୦ ଶ୍ରେଣୀୟ ପୁଷ୍ପଜାତୀୟ ଉଦ୍ଭିଦ ତଥା ୧୧୦୦ ପ୍ରଜାତିର ବିଭିନ୍ନ ପ୍ରକାରର ଅର୍କିଡ ଗଛ ଦେଖିବାକୁ ମିଳେ। ଆସାମ, ତ୍ରିପୁରା, ମେଘାଳୟ, ଉତ୍ତରାଞ୍ଚଳ ତଥା ଓଡ଼ିଶାର ଶିମିଳିପାଳରେ ପ୍ରାୟ ୭,୦୦୦ ପ୍ରକାର ଏହି ଜାତୀୟ ଉଦ୍ଭିଦ ରହିଛନ୍ତି। ଏପରି କି ଗାଙ୍ଗେୟ ସମତଳ ଉତ୍ତରାଞ୍ଚଳରେ ଗୋଟିଏ ଜିଲାରେ ୬୦୦ରୁ ୭୦୦ ପ୍ରକାର ଏବଂ ଉତ୍ତର ଭାରତର ହିମାଳୟ ପାଦଦେଶର ଏକ କ୍ଷୁଦ୍ର ଅଞ୍ଚଳରେ ୧୦୦୦ରୁ ୧୫୦୦ ପ୍ରକାର ଏହି ଜାତୀୟ ଉଦ୍ଭିଦ ରହିଛନ୍ତି। ଏଗୁଡ଼ିକ ମଧ୍ୟ ଲୋପ ପାଇବାରେ ଲାଗିଛି॥ ସ୍ବାଧୀନତା ପରେ ଆମ ଦେଶରେ ପ୍ରାୟ ୫୦ ଲକ୍ଷ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଗଲାଣି।
୨୦୧୨ ନଭେମ୍ବର ୨୮ରେ ସର୍ବପ୍ରଥମେ ଜାତିସଂଘ ସାଧାରଣ ଅଧିବେଶନରେ ବନ୍ୟ ସମ୍ପଦର ସୁରକ୍ଷା ଓ ସୁପରିଚାଳନାର ସଂକଳ୍ପ ସର୍ବସମ୍ମତିକ୍ରମେ ନିଆଯାଇଥିଲା। ଠିକ୍ ତା’ପର ବର୍ଷ ମାର୍ଚ୍ଚ ୨୧ ଦିନ ଏହି ସଂକଳ୍ପକୁ ଯଥାବିଧି ପାଳନ ନିମନ୍ତେ ସରକାରୀ ସ୍ତରରେ ଘୋଷଣା କରାଗଲା। ସେବେଠାରୁ ବନ୍ୟ ସମ୍ପଦର ଅତୁଳନୀୟ ଅବଦାନକୁ ଦୃଷ୍ଟିରେ ରଖି ଏବଂ ପ୍ରତିବର୍ଷ ନୂତନ ବିଷୟବସ୍ତୁକୁ ନେଇ ମାର୍ଚ୍ଚ ୨୧କୁ ‘ବିଶ୍ୱ ବନ୍ୟ ଦିବସ’ ରୂପେ ପାଳନ କରାଯାଇ ଆସୁଅଛି। ତଦନୁଯାୟୀ ଚଳିତ ବର୍ଷର ବିଷୟବସ୍ତୁ ହେଉଛି, ‘ଜଙ୍ଗଲ ପୁନରୁଦ୍ଧାର’: ପୁନର୍ଲାଭ ଏବଂ ସନ୍ତୋଷଜନକ ଓ ସୁସ୍ଥତାର ଅଂଶ ବିଶେଷ।
ଜୈବ ବିବିଧତାରେ ଭରପୂର, ଜୈବ ସମ୍ପଦର ଗନ୍ତାଘର ଆଜି ସୌନ୍ଦର୍ଯ୍ୟ-ରହିତ ଓ କାନ୍ତିହୀନ ହୋଇପଡ଼ିଛି। ଏହାର ମୁଖ୍ୟ କାରଣ ହେଉଛି ମଣିଷର ଅବିବେକପଣିଆ, ଅପରିଣାମଦର୍ଶିତା, ଆକ୍ରୋଶ ମନୋଭାବ। ଆଜିର ଜଙ୍ଗଲ ବୋଇଲେ କେତେକ ହାତଗଣତି ହାତୀ ଓ ହରିଣଭରା ଜଙ୍ଗଲ। ପଶୁରାଜ ବାଘ, ସିଂହ ଆଜି ଦୁର୍ଲଭ। ସେମାନେ ଚିଡ଼ିଆଖାନା, ପାର୍କ ଓ ଜୀବମଣ୍ଡଳ ଆଦି ସୁରକ୍ଷିତ ଅଞ୍ଚଳରେ ବନ୍ଦୀ ଜୀବନଯାପନ କରୁଛନ୍ତି। ହାତୀ ଆଜି ସମ୍ପୂର୍ଣ୍ଣ ଏକଲା। ସେମାନଙ୍କର ବାସସ୍ଥଳୀ ମଣିଷ ଦ୍ୱାରା ଧ୍ୱଂସ ହେବା କାରଣରୁ ସେମାନେ ଆଜି ରକ୍ତମୁଖା ହୋଇଉଠିଛନ୍ତି। ଜଙ୍ଗଲର ବାଘ, ସିଂହ ଓ ଭାଲୁ ବିନା ଏକଲା ହାତୀ ଆଜି ନିଜକୁ ଅସହାୟ ମନେକରୁଛି, ଅସହାୟ ହୋଇପଡ଼ିଛି ଜଙ୍ଗଲ ସୁରକ୍ଷା କରିବାରେ। ଏକଦା ଜାତିର ଜନକ ମହାତ୍ମା ଗାନ୍ଧୀ କହିଥିଲେ, ”ଲୋଭ ପାଇଁ ଆମର ଏ ବିଶାଳ ପୃଥିବୀ ଅତ୍ୟନ୍ତ କ୍ଷୁଦ୍ର, ଅତ୍ୟନ୍ତ ସୀମିତ; ମାତ୍ର ଅଭାବ ଓ ଅନଟନ ପୂରଣ ପାଇଁ, ଦୁଃଖ ଓ ଦାରିଦ୍ର୍ୟ ଦୂର ଲାଗି ଆମ ପୃଥିବୀ ବହୁତ ବଡ଼ ଓ ବିଶାଳ। ସମ୍ବଳର ଅଭାବ ନାହିଁ, ଏପରି କି ଆଗାମୀ ସହସ୍ର ବର୍ଷ ପର୍ଯ୍ୟନ୍ତ ଆମ ପୃଥିବୀ ଜୀବମଣ୍ଡଳର ଦୁଃଖ ଓ ଅଭାବ ଦୂରକରିବାକୁ ସମ୍ପୂର୍ଣ୍ଣ ସମର୍ଥ।
ବିଶ୍ୱ ପରିସଂଖ୍ୟାନ ତତ୍ତ୍ୱ ଅନୁଯାୟୀ ପୃଥିବୀର ସମୁଦାୟ ସ୍ଥଳ ଭାଗର ଅନୂ୍ୟନ ୩୩ ପ୍ରତିଶତ ଜଙ୍ଗଲ ଦ୍ୱାରା ଆବୃତ୍ତ ହେବା ନିହାତି ଦରକାର। ଏଥିରୁ ଅନ୍ୟଥା ହେଲେ ଜୈବ ବିବିଧତାରେ ଘୋର ବିଶୃଙ୍ଖଳା ଦେଖାଦେବ। ଜୀବଜଗତର ଜୀବନ ପ୍ରଣାଳୀରେ ପରିବର୍ତ୍ତନ ଘଟିବ। ଦୁଃଖର ବିଷୟ ଯେ, ଆଜି ପୃଥିବୀରେ ମାତ୍ର ୧୯ ପ୍ରତିଶତ ସ୍ଥଳରେ ଜଙ୍ଗଲ ସୀମିତ ଅଛି, ଯାହା କି ପରିବେଶର ଭାରସାମ୍ୟ ରଖିବାରେ ସମ୍ପୂର୍ଣ୍ଣ ଅକ୍ଷମ।
ଜଙ୍ଗଲ ଧ୍ୱଂସ ହେବାର ପ୍ରମୁଖ କାରଣ ମଧ୍ୟରେ ଜଙ୍ଗଲ ପୋଡ଼ି, ପୋଡୁ ଚାଷ, ଶିଳ୍ପକାରଖାନା ସ୍ଥାପନ ପାଇଁ ଜମି ଅଧିକରଣ, ଅବିଚ୍ଛିନ୍ନ ଓ ବେନିୟମ ଭାବେ ପଶୁ, ପକ୍ଷୀ ଶିକାର, ଜାଳେଣି ଅଙ୍ଗାର ସଂଗ୍ରହ, ସର୍ବୋପରି ଗୃହ ନିର୍ମାଣ ତଥା ଅନ୍ୟାନ୍ୟ ଗୃହ ଉପକରଣ ତିଆରି କରିବା ପାଇଁ ଉପଯୋଗୀ କାଠ ସମୂହର ଚୋରାଚାଲାଣ ଇତ୍ୟାଦି।
ଆଜି ନିଆଁର ଆଁରେ ଓଡ଼ିଶାର ଜଙ୍ଗଲ ସମ୍ପଦ। ପ୍ରାୟ ୬୯୭ଟି ସ୍ଥାନରେ ଜଙ୍ଗଲ ଜଳୁଛି। ଶିମିଳିପାଳରେ ସ୍ଥିତି ଅଣାୟତ୍ତ ହୋଇଥିବା ବେଳେ ସୁନାବେଡ଼ା ଅଭୟାରଣ୍ୟ ଏବେ ନିଆଁ କବଳରେ। କପିଳାସ, କୁଲଡିହା ମଧ୍ୟ ନିଆଁର ଆଁ ଭିତରକୁ ଆସିଲାଣି। ନୃସିଂହନାଥ, ହରିଶଙ୍କର ରେଞ୍ଜରେ ଜଳୁଛି ଜଙ୍ଗଲ। ମୟୂରଭଞ୍ଜରୁ ମାଲକାନଗିରି ହେଉ କି କଳାହାଣ୍ଡିରୁ କଣ୍ଟାବାଞ୍ଜି ସବୁଠି ଜଙ୍ଗଲ ନିଆଁ ଆଜି ଭୟଙ୍କର ରୂପ ଧାରଣ କରିଛି। ଭୟଙ୍କର ଆତଙ୍କରେ ଭୟଭୀତ ଜଙ୍ଗଲୀ ଜୀବ। ଅସୁମାରି ଜୀବନଙ୍କର ଅକାଳ ମୃତ୍ୟୁ ଘଟିଲାଣି। ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ(ଏଫ୍ଏସ୍ଆଇ)ର ତଥ୍ୟ କହୁଛି ଯେ, ଦେଶରେ ପାଖାପାଖି ୧୫୨୨ଟି ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ଓଡ଼ିଶାରୁ କେବଳ ୯୧୮ଟି ରହିଛି ଅର୍ଥାତ୍ ୬୦% ନିଆଁ କେବଳ ଓଡ଼ିଶାରେ ଲାଗିଛି। ଅତୁଳନୀୟ ଜଙ୍ଗଲ ସମ୍ପଦ ଆଜି ପାଉଁଶ ପାଲଟିଯାଇଛି। ସବୁଠାରୁ ବଡ଼ କଥା ହେଉଛି, ଏତେ ଭୟଙ୍କର ଦୁଃଖଦ ଘଟଣା ସତ୍ତ୍ୱେ ଜଙ୍ଗଲୀ ପଶୁ, ପକ୍ଷୀ, ସରୀସୃପ ସେହି ଜଙ୍ଗଲର କୌଣସି ଏକ ନିଭୃତ ଓ ନିରାପଦ ସ୍ଥାନରେ ଆଶ୍ରୟ ନେଇଛନ୍ତି ହେଲେ ନିଜ ବାସସ୍ଥାନ ତ୍ୟାଗ କରି ମଣିଷର ଶରଣ ନେଇନାହାନ୍ତି। ନିଜ ନିଜର ସାଥୀକୁ କିଏ ହରାଇଛନ୍ତି ତ ନିଜର ଶାବକକୁ କିଏ ହରାଇଛନ୍ତି ଅଥବା ଶାବକ ବିନା ନିଜ ଜୀବନକୁ ବଳି ଦେଉଛନ୍ତି। ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପକ୍ଷୀ ବିଶାରଦ ଡ. ସାଲିମ ଅଲ୍ଲୀ ତାଙ୍କର ଗବେଷଣା ସନ୍ଦର୍ଭରେ ପ୍ରକାଶ କରିଥିଲେ ଯେ, ଏକଦା ଏକ ଜଙ୍ଗଲରେ ପକ୍ଷୀ ଓ ପକ୍ଷିଣୀ ସେମାନଙ୍କର ଶାବକ ଦ୍ୱୟକୁ ନୀଡ଼ରେ ଛାଡ଼ି ଖାଦ୍ୟ ଅନ୍ବେଷଣରେ ଯାଆନ୍ତି ବହୁ ଆଶା ଓ ଉଦ୍ଦୀପନାର ସହ। ସାନ୍ଧ୍ୟକାଳ ଉପନୀତ ହୁଅନ୍ତେ, ଆହାର ସହ ଫେରି ଦେଖନ୍ତି, ମଣିଷ ସୃଷ୍ଟ ନିଅଁାରେ ଶାବକ ଦ୍ୱୟ ପୋଡ଼ି ପାଉଁଶ ହୋଇଯାଇଛନ୍ତି। ଦୁଃଖର ଅନଳରେ, ବିରହ ବେଦନାରେ ପକ୍ଷୀ ଓ ପକ୍ଷିଣୀ ନିଅଁାକୁ ଡେଇଁ ଆମତ୍ହତ୍ୟା କରି ସମଗ୍ର ମଣିଷଜାତିକୁ ଚେତାଇ ଦେଇଛନ୍ତି ‘ହେ ମଣିଷ! ନିଜେ ବଞ୍ଚ ଓ ଆମ୍ଭମାନଙ୍କୁ ବଞ୍ଚତ୍ବାକୁ ଦିଅ। ଜଙ୍ଗଲ ଆମର, ଆମ ଅଧିକାର ଆମକୁ ଫେରାଇଦିଅ। ଅତୀତରେ କେତେ ସୁଖୀ ନ ଥିଲୁ ଆମେ, ତୁମ ବଂଶଧର ଆଦିବାସୀଙ୍କ ସହିତ ମିଳିମିଶି ଚଳିବାରେ। ସେମାନେ ଜଙ୍ଗଲକୁ ମା’ ସମାନ ପୂଜା କରୁଥିଲେ। ଆମକୁ ଶିକାର କରୁଥିଲେ ସତ ହେଲେ ଖାଦ୍ୟ ପାଇଁ, ସ୍ବାର୍ଥ ପାଇଁ ନୁହେଁ କି ଲୋଭ ପାଇଁ ନୁହେଁ। ଶିକାର-ଶିକାରୀ, ଖାଦ୍ୟ-ଖାଦକ ସମ୍ପର୍କ ସୁମଧୁର ଓ ସମତୁଲ ଥିଲା। ଜଙ୍ଗଲର ପ୍ରକୃତ ଦାୟାଦ ଆମେ ଜୀବଜନ୍ତୁ ଓ ଆମ ଆଦିବାସୀ ଭାଇ, ତୁମେ ସଭ୍ୟ ମଣିଷ ନୁହେଁ। ହେ ମଣିଷ! ତୁମେ ଜାଣ ଓ ଶିଖ ମଧ୍ୟ…।
ଦିନ ଥିଲା, ସମୟ ବି ଥିଲା, ପ୍ରକୃତି ଅରଣ୍ୟର ସ୍ବଚ୍ଛ, ନିର୍ମଳ, ମନୋହର, ନିଷ୍ପାପ ଓ ସୁନ୍ଦର ରୂପରେ ବିମୁଗ୍ଧ ହୋଇ ସାରୁଗଛ ମୂଳେ ବସି ବେଙ୍ଗ ବେଙ୍ଗୁଲୀକୁ କହିଥିଲା ‘ ପୃଥିବୀ କ୍ଷଣ କ୍ଷଣକେ ଆନ’। ଆଜି ସବୁକିଛି ବଦଳି ଯାଇଛି, ଶ୍ରୀହୀନ ହୋଇଛି ବନ୍ୟ ସମ୍ପଦ। ବେଙ୍ଗ ଆଜି ନୀରବ, ବେଙ୍ଗୁଲି ନୀରବରେ ଅଶ୍ରୁପାତ କରୁଛି। ଆଜି ଜଙ୍ଗଲ ସମ୍ପଦର ପୁନରୁଦ୍ଧାର ଅତ୍ୟନ୍ତ ଜରୁରୀ ହୋଇପଡିଛି। ବୃହତ ଜଙ୍ଗଲ ରୂପରେ ବର୍ଦ୍ଧିତ ଜନସଂଖ୍ୟାର ଚାପ କମାଇବାକୁ ହେଲେ, ପ୍ରତି ଗ୍ରାମ କିମ୍ବା ୩-୪ଟି ଗ୍ରାମକୁ ନେଇ ଛୋଟ ଜଙ୍ଗଲ ସୃଷ୍ଟିକୁ ପ୍ରାଥମିକତା ଦେବା ଉଚିତ। ଜଙ୍ଗଲର ମାହାମତ୍ୟ ବିଷୟରେ ତୃଳମୂଳ ସ୍ତରରୁ ଅର୍ଥାତ୍ ବିଦ୍ୟାଳୟ ସ୍ତରରୁ, ପରିବାର ସ୍ତରରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସଚେତନ କରିବା ଉଚିତ। ଗ୍ରୀଷ୍ମ ଋତୁ ଆରମ୍ଭ ହେବାର ଅନ୍ତତଃ ଦୁଇମାସ ଆଗରୁ ଜନସଚେତନତା ସୃଷ୍ଟି କରିବା ଉଚିତ। ଉଇକାଲିପଟାସ୍ ଓ ଆକାଶିଆ ଭଳି ଏକକ ବିଦେଶୀ ବୃକ୍ଷ ଜଙ୍ଗଲରେ ରୋପଣ ନ କରି ମିଶ୍ରିତ ଦେଶୀୟ ବୃକ୍ଷ ରୋପଣର ଯନତ୍ବାନ ହେବା ଉଚିତ। ”ଜଙ୍ଗଲ ଯାହାର, ଅଧିକାର ତାହାର“ ଏହା ଆମକୁ ସାବ୍ୟସ୍ତ କରିବାକୁ ପଡ଼ିବ। ଯେଉଁ ଆଦିବାସୀ ଓ ଜଙ୍ଗଲୀ ଜୀବଜନ୍ତୁଙ୍କ ସମୂହ ସହଯୋଗରେ ଜଙ୍ଗଲ ସମ୍ପଦର ଅହେତୁକ ଅଭିବୃଦ୍ଧି ଘଟିଥିଲା, ଆଜିର ଏ ଘୋର ଦୁଃସମୟରେ ସେମାନଙ୍କୁ ତାଙ୍କର ନ୍ୟାଯ୍ୟ ଅଧିକାର ଫେରାଇ ଦିଆଯାଉ। ସରକାରଙ୍କ ସମ୍ପୂର୍ଣ୍ଣ ସହଯୋଗ ମାଧ୍ୟମରେ ଆଦିବାସୀଙ୍କୁ ଜଙ୍ଗଲ ସୁରକ୍ଷାର ଦାୟିତ୍ୱ ଦିଆଯାଉ ଓ ସମସ୍ତ ଜଙ୍ଗଲୀ ଜୀବଜନ୍ତୁଙ୍କୁ ସେମାନଙ୍କ ପ୍ରକୃତି କୋଳକୁ ଫେରାଇ ଦିଆଯାଉ।
ମନେରଖିବାକୁ ହେବ ଯେ, ଆମେ ପୃଥିବୀବାସୀ ଅତ୍ୟନ୍ତ ଭାଗ୍ୟବାନ। କେବଳ ପୃଥିବୀ ଯୋଗୁ ଆମର ପରିଚୟ, ଆମର ଭବିଷ୍ୟ, ଆମର କୃତି ଓ ଇତିହାସ। ମନେରଖନ୍ତୁ ଧୀର ପାଣି ପଥର କାଟେ। ଏକ ଏକ ବିନ୍ଦୁ ଜଳର ଉପଯୋଗରେ ମହାସମୁଦ୍ର ସୃଷ୍ଟି ହୋଇପାରେ। ସେହିପରି ପ୍ରତ୍ୟେକ ବ୍ୟକ୍ତିଙ୍କର ଛୋଟ ଛୋଟ ସହଯୋଗରେ ମହାଦ୍ରୁମ ସୃଷ୍ଟି କରାଯାଇପାରେ। ପ୍ରତ୍ୟେକ ନିଜ ନିଜର ବାଡ଼ି- ବଗିଚାକୁ ଛୋଟ ଜଙ୍ଗଲରେ ପରିଣତ କରନ୍ତୁ। ଜଙ୍ଗଲର ପୁନରୁଦ୍ଧାର ଓ ପୁନଃନବୀକରଣର କଲ୍ୟାଣକାରୀ ଦିଗ ଉପରେ ଅଧିକ ଗୁରୁତ୍ୱ ଦେବା ହିଁ ‘ବିଶ୍ୱ ବନ୍ୟ ଦିବସ’ର ବାର୍ତ୍ତା ହେଉ।
ମୋ: ୯୪୩୮୬୨୧୩୯୧