ବନ କର୍ମଚାରୀଙ୍କୁ ମାଡ଼ମାରି ଆଣ୍ଠେଇ ଦେଲେ

ବାଣପୁର, ୨।୧୦(ଡି.ଏନ୍‌.ଏ.): ବରବରା ଧୂଆଁନଳୀ ଜଙ୍ଗଲରୁ ଶାଗୁଆନ ଗଛ କଟାକୁ ନେଇ ଶୁକ୍ରବାର ସ୍ଥାନୀୟ ଫରେଷ୍ଟରଙ୍କ ସହ ବନ କର୍ମଚାରୀଙ୍କୁ କେତେଜଣ ଗ୍ରାମବାସୀ ମାଡ଼ ମାରି ଆଣ୍ଠେଇ ଦେଇଥିବା ବାଣପୁର ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ଶୁକ୍ରବାର ସକାଳେ ବରବରା ଧୂଆଁନଳୀ ଜଙ୍ଗଲରୁ ସ୍ଥାନୀୟ ଫରେଷ୍ଟରଙ୍କ ସହ କେତେଜଣ ବନ କର୍ମଚାରୀ ଗଛ କଟାଳିଙ୍କ ସହାୟତାରେ ଏକ ଶାଗୁଆନ ଗଛ କାଟୁଥିଲେ। କାଠ ଚୋରମାନେ ଗଛ କାଟୁଥିବା ସନ୍ଦେହ କରି କିଆଗୋରଡା ଗ୍ରାମର କେତେଜଣ ଲୋକ ପହଞ୍ଚି ବିରୋଧ କରିଥିଲେ। ଗ୍ରାମବାସୀ ଓ ବନ କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହା ପରେ ଗ୍ରାମବାସୀ ବନ କର୍ମଚାରୀଙ୍କୁ ସଂଘବଦ୍ଧଭାବେ ଆକ୍ରମଣ କରିଥିଲେ। ଭୟରେ କେତେଜଣ ବନ କର୍ମଚାରୀ ଓ ଗଛ କଟାଳି ଘଟଣାସ୍ଥଳରୁ ଖସି ପଳାଇଥିବା ବେଳେ ୩ଜଣ କର୍ମଚାରୀଙ୍କୁ ଗ୍ରାମବାସୀ ଅଟକ ରଖିବା ସହ ଆଣ୍ଠେଇ ଦେଇଥିଲେ। ଏନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ଖବରପାଇ ବାଣପୁର ପୋଲିିସ ଗ୍ରାମରେ ପହଞ୍ଚି ଅଟକ  ୩ ବନ କର୍ମଚାରୀଙ୍କୁ ଉଦ୍ଧାର କରିବା ସହ ଥାନାକୁ ଆଣି ପଚରାଉଚରା କରିଥିଲେ। ଏହି ଗଛ ୮୦ଭାଗ ନଷ୍ଟ ହୋଇ ଯାଇଥିବାରୁ ଭବିଷ୍ୟତରେ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ସମ୍ପୃକ୍ତ ଗଛକୁ କାଟିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି  ବାଲୁଗାଁ ରେଞ୍ଜର ପ୍ରତାପ ମହାନ୍ତି କହିଛନ୍ତି। ବନ କର୍ମଚାରୀଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ କାଠକୁ ସିଜ୍‌ କରିବା ସହ ତଦନ୍ତ ଚଳାଇଛି।

Share