Advertisement

ବଦଳୁଛି ବିଦ୍ୟାଳୟ ରୂପ, ବଦଳୁନି ଶିକ୍ଷା ବ୍ୟବସ୍ଥା

ସୁନାବେଡ଼ା,୧୪ ।୮(ସ୍ବ.ପ୍ର.): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମାତ୍ର ଶିକ୍ଷା ଓ ଶିକ୍ଷାଦାନ ମାନ ବଦଳୁନି। କୋରାପୁଟ ବ୍ଲକ ଅଧୀନରେ ଥିବା ପଦ୍ମପୁର ଗ୍ରାମପଞ୍ଚାୟତର ନିଘାମାନିଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ଏପରି ଦେଖିବାକୁ ମିଳିଛି। ୫-ଟି ଯୋଜନାରେ ଗତ କିଛି ମାସ ତଳେ ବିଦ୍ୟାଳୟର ଉନ୍ନତୀକରଣ କରାଯାଇଛି। ମାତ୍ର ଶିକ୍ଷକଙ୍କ ସଂଖ୍ୟା ବୃଦ୍ଧି କରାଯାଇନାହିଁ। ଏଠାରେ ପଢୁଥିବା ପ୍ରାୟ ୪ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ପାଇଁ ରହିଛନ୍ତି ମାତ୍ର ୬ ଶିକ୍ଷକ। ସରକାର ସ୍କୁଲଗୁଡିକର ପୁନରୁଦ୍ଧାର କରୁଥିବା ବେଳେ ଶିକ୍ଷକ ଅଭାବକୁ ଗୁରୁତ୍ୱ ଦେଉ ନ ଥିବା ଅଭିଭାବକଙ୍କ ପକ୍ଷରୁ ଅଭିଯୋଗ ହେଉଛି। ଏହା ବ୍ୟତୀତ ଏଠାରେ ପ୍ରାୟ ବର୍ଷେରୁ ଊର୍ଦ୍ଧ୍ୱ ହେଲା ବିଜ୍ଞାନ ଶିକ୍ଷକ ନାହାନ୍ତି। ଫଳରେ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ଅସୁବିଧା ସୃଷ୍ଟି ହେଉଛି। ସେଥିଲାଗି ଛାତ୍ରୀଛାତ୍ରମାନେ ଠିକ୍‌ରେ ପାଠ ପଢ଼ିପାରୁନାହାନ୍ତି । ଏ ନେଇ ସ୍କୁଲ ପରିଚାଳନା କମିଟି ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ନିକଟରେ ପୁଣି ଥରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ଲାଗି ପରିଚାଳନା କମିଟି ଜିଲା ଶିକ୍ଷାଧିକାରୀଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି। ଏହାର ଏକ ନକଲ ସ୍ଥାନୀୟ ବିଧାୟକଙ୍କ ନିକଟକୁ ପଠାଯାଇଥିବା ସ୍କୁଲ ପରିଚାଳନା କମିଟି ସଦସ୍ୟ ସନ୍ତୋଷ ଶତପଥୀ, ଜିତେନ୍ଦ୍ର ସାହୁ, ତ୍ରିପତି ପାଣିଗ୍ରାହୀ, ସୁବୋଧ ଚେଟି,ଏସ୍‌.ଏନ୍‌. ସାହୁ, ମଙ୍ଗଳା ମାଝି,ମୁନି ଖରା, କୁନୁ ବେନିଆ ପ୍ରମୁଖ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share