ଦୁର୍ଘଟଣାରେ ପୂର୍ବତନ ସମିତିସଭ୍ୟଙ୍କ ଜୀବନ ଗଲା

ଖଇରା, ୧୫।୮(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସମିତିସଭ୍ୟ, ଭାଜପାର ସୁସଙ୍ଗଠକ, ନେତା ଅଭୟ କୁମାର ମହାନ୍ତି(୫୨)ଙ୍କ ଶନିବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ସେ ବାଇକ୍‌ରେ ଔପଦା-ଗଣ୍ଡିବେଡ଼ ରାସ୍ତାରେ ଆସୁଥିବା ବେଳେ ଗାଡ଼ିରୁ ଖସିପଡ଼ି ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ବାଲେଶ୍ବର ଡାକ୍ତରଖାନାକୁ ନିଆଯାଇଥିଲା। ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଭାଜପା ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ, ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ଖଇରା ମଣ୍ଡଳ ସଭାପତି ରାଜେଶ ରାଉତ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି।