ଆଫଗାନିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ ଏବେ ଟ୍ୟାକ୍ସି ଡ୍ରାଇଭର

ଓ୍ବାଶିଂଟନ,୨୨।୩ : ସମୟ ଯେ କାହା ପାଇଁ କିପରି ଆସିବ, ତାହା କହି ହେବ ନାହିଁ। କୁହାଯାଏ, ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକିର। ଏଭଳି ଏକ ଘଟଣା ଆଫଗାନିସ୍ତାନର ଜଣେ ପୂର୍ବତନ ମନ୍ତ୍ରୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ତାଲିବାନ ଆଫଗାନିସ୍ତାନର ଶାସନ କ୍ଷମତା ଦଖଲ କରିବା ପୂର୍ବରୁ ଖଲିଦ ପାୟେଣ୍ଡା ଦେଶର ଅର୍ଥମନ୍ତ୍ରୀ ଥିଲେ ଏବଂ ୬୦୦ କୋଟି ଡଲାରର ବାର୍ଷିକ ବଜେଟ ପାର୍ଲାମେଣ୍ଟରେ ଉପସ୍ଥାପନ କରିଥିଲେ। ତାଲିବାନ କାବୁଲ ଦଖଲ କରିବା ପୂର୍ବରୁ ସେ ଦେଶ ଛାଡ଼ି ଚାଲିଯିବାକୁ ବାଧ୍ୟ ହୋଇଥିଲେ। ଆମେରିକାର ଓ୍ବାଶିଂଟନ ଡିସିରେ ରହୁଥିବା ଖଲିଦ ଏବେ ପରିବାର ପ୍ରତିପୋଷଣ ଲାଗି ଉବର କାର୍‌ ଚଳାଉଥିବା ଜଣାପଡ଼ିଛି। ସେ ୬ ଘଣ୍ଟା ପରିଶ୍ରମ କରି ୧୫୦ ଡଲାରରୁ ଊର୍ଦ୍ଧ୍ୱ ଆୟ କରିଥାନ୍ତି ବୋଲି ଏକ ଗଣମାଧ୍ୟମକୁ କହିଛନ୍ତି।
ତାଲିବାନ ଅଧୀନକୁ ଯିବା ପରେ ସେଠାରେ ଗୁରୁତର ଆର୍ଥତ୍କ ସଙ୍କଟ ସୃଷ୍ଟି ହୋଇଛି। ତାଲିବାନ ସରକାରକୁ ସ୍ବୀକୃତି ଦେବାକୁ ଅଧିକାଂଶ ଦେଶ ଚାହୁଁନାହାନ୍ତି। ତାଲିବାନ କାବୁଲ ଦଖଲ କରିବାର ସପ୍ତାହେ ପୂର୍ବରୁ ଖଲିଦ ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ନୂଆ ସରକାର ତାଙ୍କୁ ଗିରଫ କରିବା ଆଶଙ୍କାରେ ସେ ଦେଶ ଛାଡ଼ି ଆମେରିକା ଚାଲିଯାଇଥିଲେ। ଯେନତେନ ପ୍ରକାରେ ସେ ପରିବାର ପ୍ରତିପୋଷଣ କରିବାକୁ ସମର୍ଥ ହୋଇଥିବାରୁ କୃତଜ୍ଞ ବୋଲି ଖଲିଦ ଗଣମାଧ୍ୟମକୁ କହିଛନ୍ତି। ଆଫଗାନିସ୍ତାନର ବର୍ତ୍ତମାନର ସ୍ଥିତି ପାଇଁ ସେ ଆମେରିକାକୁ ଦାୟୀ କରିଛନ୍ତି। ଆମେରିକା ସୈନ୍ୟ ପ୍ରତ୍ୟାହାର କରିନେଇ ତାଲିବାନକୁ କ୍ଷମତା ଦଖଲର ସୁଯୋଗ ଦେଇଥିଲା ବୋଲି ଖଲିଦ କହିଛନ୍ତି।

Share