ସାଉଦି ପ୍ରିନ୍ସଙ୍କୁ ପାଗଳ କହିଲେ ପୂର୍ବତନ ଗୋଇନ୍ଦା ମୁଖ୍ୟ

ରିୟାଦ,୧୩ା୭: ସାଉଦି ଆରବର ପୂର୍ବତନ ଗୋଇନ୍ଦା ମୁଖ୍ୟ ସାଦ୍‌ ଆଲଜାବରୀ ସାଉଦି ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କୁ ସହାନୁଭୂତି ନ ଥିବା ପାଗଳ ବୋଲି କହିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସାଉଦି ଆରବ ଗସ୍ତ ପରେ ପ୍ରିନ୍ସଙ୍କୁ ଏଭଳି ସମାଲୋଚନା କରିଛନ୍ତି। ସଲମାନ ବହୁ ସମ୍ପତ୍ତିର ଅଧିକାରୀ ହୋଇଥିବା କାରଣରୁ ସେ ଆମେରିକା ସମେତ ବିଶ୍ୱର ବହୁ ରାଷ୍ଟ୍ରକୁ ଧମକ ଦେଉଛନ୍ତି। ପ୍ରିନ୍ସ ଜଣେ ହତ୍ୟାକାରୀ ବୋଲି ମଧ୍ୟ ସିବିଏସ୍‌ ନ୍ୟୁଜ୍‌ ଚ୍ୟାନେଲକୁ ଏକ ସାକ୍ଷାତ୍‌କାର ଦେବାବେଳେ ସାଦ୍‌ କହିଛନ୍ତି। ଦେଶରେ ଅପହରଣ ଓ ହତ୍ୟା ସହ ଆତଙ୍କରାଜ ଖେଳାଇବା ଉଦ୍ଦେଶ୍ୟରେ ସଲମାନ ଏକ ଗ୍ୟାଙ୍ଗ୍‌ର ପରିଚାଳନା କରୁଥିବା ଭଳି ସଙ୍ଗିନ ଅଭିଯୋଗ ସେ ଆଣିଛନ୍ତି। ସାଦ୍‌ ପୂର୍ବତନ ଶାସକ ମହମ୍ମନ ବିନ୍‌ ନାୟେଫ୍‌ଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି। ୨୦୧୭ରେ ନାୟେଫ ରାଜଗାଦି ପ୍ରିନ୍ସ ସଲମାନଙ୍କ ହାତକୁ ଟେକିଦେଇଥିଲେ। ତେବେ ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରି ସାଦ୍‌ ବର୍ତ୍ତମାନ ସାଉଦି ଆରବ ଛାଡ଼ି କାନାଡାରେ ରହୁଛନ୍ତି।

Share