ବିପ୍ଳବ ଅର୍ଥ ହେଉଛି କୌଣସି ଅବସ୍ଥାର ଆତଙ୍କିତ, ଦ୍ରୁତ ଓ ପ୍ରାୟ ସମ୍ପୂର୍ଣ୍ଣ ପରିବର୍ତ୍ତନ। ମାନବ ସମାଜର ଇତିହାସକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ ଯେତେବେଳେ କୌଣସି ନୂତନ ପ୍ରଯୁକ୍ତିବିଦ୍ୟା ଆବିଷ୍କୃତ ହୋଇଛି କିମ୍ବା ନୂତନ ଅବଧାରଣା ଆସିଛି, ସମାଜର ଆର୍ଥନୀତିକ ଓ ସାମାଜିକ ଗଠନରେ ବ୍ୟାପକ ପରିବର୍ତ୍ତନ ଦେଖାଦେଇଛି, ଏହା ହିଁ ହେଉଛି ବିପ୍ଳବ। ଅବଶ୍ୟ ଦୁଇଟି ବିପ୍ଳବ ମଧ୍ୟରେ ଅନେକ ବର୍ଷର ବ୍ୟବଧାନ ଥାଇପାରେ।
ଆଜକୁ ପ୍ରାୟ ଦଶ ହଜାର ବର୍ଷ ତଳେ ମନୁଷ୍ୟ ଯେତେବେଳେ ଯାଯାବର ଜୀବନ ଛାଡ଼ି ଗୋଟିଏ ଜାଗାରେ ସ୍ଥାୟୀ ଭାବେ ରହି କୃଷି କାର୍ଯ୍ୟ କରି ଜୀବିକା ନିର୍ବାହ କଲା, ତାହା ଥିଲା ମନୁଷ୍ୟ ସମାଜର ପ୍ରଥମ ବଡ଼ ପରିବର୍ତ୍ତନ। ଏହି କୃଷି ବିପ୍ଳବରେ ପଶୁମାନଙ୍କୁ ବଶୀଭୂତ କରି ନିଜ କାର୍ଯ୍ୟରେ ଲଗାଇବା ଅନେକ ପରିମାଣରେ ମନୁଷ୍ୟକୁ ସାହାଯ୍ୟ କଲା। ଉପତ୍ାଦନ, ପରିବହନ ଓ ଯୋଗାଯୋଗ ପାଇଁ ଉଭୟ ମନୁଷ୍ୟ ଓ ଗୃହପାଳିତ ପଶୁର ମିଳିତ ଶକ୍ତି କୃଷି ବିପ୍ଳବକୁ ଦୃଢ଼ୀଭୂତ କଲା। ଧୀରେ ଧୀରେ କୃଷି ଉପତ୍ାଦନ ବଢ଼ିଲା ଏବଂ ଏହା ସାଙ୍ଗକୁ ପୃଥିବୀର ଜନସଂଖ୍ୟା ମଧ୍ୟ ବୃଦ୍ଧି ପାଇଲା। ଫଳରେ ଗୋଟିଏ ଗୋଟିଏ ଜାଗାରେ ବଡ଼ ବଡ଼ ଜନବସତି ସ୍ଥାପିତ ହେଲା ଏବଂ ଏଥିରୁ ବଡ଼ ବଡ଼ ସହର ଉତ୍ପତ୍ତି ହେଲା।
କୃଷି ବିପ୍ଳବର ବହୁତ ପରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବିକାଶ ହୋଇ କଳକାରଖାନା ସ୍ଥାପିତ ହେଲା ଏବଂ ମନୁଷ୍ୟର ବାହୁବଳ କିମ୍ବା ପଶୁବଳ ବଦଳରେ କଳ ବ୍ୟବହୃତ ହେଲା; ଯାହାଦ୍ୱାରା କାର୍ଯ୍ୟ ବହୁତ ଶୀଘ୍ର ଓ ସହଜରେ ହୋଇପାରିଲା।
ପ୍ରଥମ ଔଦ୍ୟୋଗିକ ବିପ୍ଳବ ୧୭୬୦ ମସିହାରୁ ୧୮୪୦ ମସିହା ପର୍ଯ୍ୟନ୍ତ ବ୍ୟାପି ଥିଲା। ଏହି ସମୟରେ ବାଷ୍ପୀୟ ଇଞ୍ଜିନ୍ର ଉଦ୍ଭାବନ ଏବଂ ରେଳପଥ ନିର୍ମାଣ ଏହାକୁ ତ୍ୱରାନ୍ବିତ କରିିଥିଲା। କୋଇଲା ଆବିଷ୍କାର ମଧ୍ୟ ଏହି ସମୟରେ ଉତ୍ପ୍ରେରକ ଭାବେ କାର୍ଯ୍ୟ କରିଥିଲା। ଏହି ବିପ୍ଳବରେ ଯାନ୍ତ୍ରିକ ଯୁଗର ଆରମ୍ଭ ହେଲା।
ଦ୍ୱିତୀୟ ଔଦ୍ୟୋଗିକ ବିପ୍ଳବ ଊନବିଂଶ ଶତାବ୍ଦୀର ଶେଷ ଭାଗରୁ ଆରମ୍ଭ ହୋଇ ବିଂଶ ଶତାବ୍ଦୀର ଆଦ୍ୟ ଭାଗ ପର୍ଯ୍ୟନ୍ତ ବ୍ୟାପିଥିଲା। ଏହା ଥିଲା ବିଦ୍ୟୁତ୍ର ଯୁଗ। ବିଦ୍ୟୁତ୍ ଶକ୍ତି ସାହାଯ୍ୟରେ କଳକାରଖାନା ଚାଲିବା ସହିତ ଆସେମ୍ବ୍ଲି ଲାଇନ୍ର ଉଦ୍ଭାବନ ଯୋଗୁ ଅଳ୍ପ ସମୟରେ ବହୁଳ ଉପତ୍ାଦନ ହୋଇପାରିଲା। ଆମେରିକାର ଫୋର୍ଡ କମ୍ପାନୀ ଆସେମ୍ବ୍ଲି ଲାଇନ୍ର ବିକାଶ କରି କମ୍ ଖର୍ଚ୍ଚ ଓ କମ୍ ସମୟରେ ଅଧିକ ପରିମାଣର ମୋଟରଗାଡ଼ି ଉପତ୍ାଦ କରିପାରିଥିଲେ ଏବଂ ଫଳରେ ମୋଟର କାର୍ ଶସ୍ତା ହୋଇ ଏକ ଲୋକପ୍ରିୟ ଯାନବାହନରେ ପରିଣତ ହୋଇଥିଲା।
ତୃତୀୟ ଔଦ୍ୟୋଗିକ ବିପ୍ଳବ ୧୯୬୦ ଦଶକରେ ଆରମ୍ଭ ହେଲା। ଏହାକୁ କମ୍ପ୍ୟୁଟର କିମ୍ବା ଡିଜିଟାଲ ଯୁଗ କୁହାଯାଏ। ଏହି ଯୁଗରେ ଅର୍ଦ୍ଧ – ପରିବାହୀ (ସେମିକଣ୍ଡକ୍ଟର), ଟ୍ରାନ୍ଜିଷ୍ଟର, ଚିପ୍ସ, ମେନ୍ଫ୍ରେମ୍, କମ୍ପ୍ୟୁଟର, ପର୍ସନାଲ କମ୍ପ୍ୟୁଟର, ଲାପ୍ଟପ, ମୋବାଇଲ ଫୋନ, ଇଣ୍ଟରନେଟ୍ ଆଦିର ବିକାଶ ପୃଥିବୀକୁ ଗୋଟିଏ ବିଶ୍ୱ ଗ୍ରାମରେ ପରିଣତ କରିଦେଲା। ଏହାକୁ ତଥ୍ୟ ପ୍ରଯୁକ୍ତିବିଦ୍ୟା (ଇନ୍ଫର୍ମେସନ୍ ଟେକ୍ନୋଲୋଜି) ଯୁଗ ମଧ୍ୟ କୁହାଯାଏ। ମନୁଷ୍ୟ କରୁଥିବା ଅନେକ କାର୍ଯ୍ୟକୁ କମ୍ପ୍ୟୁଟର ଓ ଇଣ୍ଟରନେଟ୍ ସାହାଯ୍ୟରେ ସ୍ବଳ୍ପ ସମୟରେ କରିଦେଲା। ଡିଜିଟାଲ ପ୍ରଯୁକ୍ତିବିଦ୍ୟା ବ୍ୟବସାୟ, ଶିକ୍ଷା, ପ୍ରଶାସନ ଆଦିରେ ବ୍ୟବହୃତ ହେଲା।
ପ୍ରଥମ ଔଦ୍ୟୋଗିକ ବିପ୍ଳବ ୟୁରୋପରେ ଏବଂ ଦ୍ୱିତୀୟ ଔଦ୍ୟୋଗିକ ବିପ୍ଳବ ଯୁକ୍ତରାଷ୍ଟ୍ର ଆମେରିକାରେ ହୋଇଥିଲା। ଏହି ଦୁଇଟିରେ ଭାରତର କିଛି ଅବଦାନ ନ ଥିଲା। ମାତ୍ର ତୃତୀୟ ଔଦ୍ୟୋଗିକ ବିପ୍ଳବରେ ଭାରତର ପୂର୍ଣ୍ଣ ସହଯୋଗ ରହିଛି ଏବଂ ଭାରତ ଏଥିରେ ଲାଭବାନ ମଧ୍ୟ ହୋଇଛି। ଡିଜିଟାଲ ଯୁଗ ପାଇଁ ଆବଶ୍ୟକୀୟ ମାନବ ସମ୍ବଳ ଭାରତ ପାଖରେ ଉପଲବ୍ଧ ଥିବାରୁ ଭାରତ ଏଥିରୁ ସୁବିଧା ନେଇପାରିଲା। ଆମେରିକା ଓ ୟୁରୋପରେ ଶ୍ରମଶକ୍ତିର ମୂଲ୍ୟ ଅଧିକ ଥିବାରୁ ଡିଜିଟାଲ କମ୍ପାନୀଗୁଡ଼ିକ ସେଠାରେ କାର୍ଯ୍ୟକରିବା ପାଇଁ ଏସିଆ ମହାଦେଶ ଆଡ଼କୁ ଚାହିଁଲେ। ସଫ୍ଟଓ୍ବେର ଇଞ୍ଜିନିୟରମାନଙ୍କ ପାଇଁ ମୁଖ୍ୟତଃ ଦୁଇଟି ଆବଶ୍ୟକତା ଦରକାର ପଡ଼ିଲା। ଏହା ହେଉଛି ଉତ୍ତମ ମେଧା ଓ ଇଂଲିଶରେ ଭଲ ଜ୍ଞାନ। ଏହି ଦୁଇଟି ଭାରତୀୟ ଯୁବ ଇଞ୍ଜିନିୟରମାନଙ୍କ ପାଖରେ ଥିବାରୁ ଭାରତ ବିଶ୍ୱ ଦରବାରରେ ସଫ୍ଟଓ୍ବେର ଇଞ୍ଜିନିୟରିଂରେ ବଡ଼ ସଫଳତା ପାଇଲା। ଏସିଆ ମହାଦେଶର ଚାଇନା, କୋରିଆ ଓ ଭିଏତ୍ନାମରେ ମେଧାବୀ ଇଞ୍ଜିନିୟର ଥିଲେ ସୁଦ୍ଧା ସେମାନଙ୍କର ସୀମିତ ଇଂଲିଶ ଜ୍ଞାନ ଯୋଗୁ ସେମାନେ ଭାରତଠାରୁ ପଛରେ ପଡ଼ିଗଲେ। ଏଥିପାଇଁ ଆମ୍ଭେମାନେ କୃତଜ୍ଞ ଯେ, ଇଂରେଜମାନେ ଆମକୁ ଏହି ଭାଷା ଶିଖାଇଥିଲେ ଏବଂ ଭାରତର ସ୍ବାଧୀନ ସରକାର ମଧ୍ୟ ଏହି ଭାଷାକୁ ଗୁରୁତ୍ୱ ଦେଉଛନ୍ତି। କ୍ରମେ ଭାରତରେ ବହୁଜାତୀୟ ସଫ୍ଟଓ୍ବେର କମ୍ପାନୀ ପ୍ରତିଷ୍ଠିତ ହୋଇଛି। ଏକ ସମୟ ଥିଲା ଭାରତୀୟ ସଫ୍ଟଓ୍ବେର ଇଞ୍ଜିନିୟରମାନେ ଆମେରିକା ଓ ୟୁରୋପର ଡିଜିଟାଲ ଦୁନିଆରେ ଛାଇ ହୋଇ ଯାଇଥିଲେ।
ବର୍ତ୍ତମାନ ଆରମ୍ଭ ହୋଇଛି ଚତୁର୍ଥ ଔଦ୍ୟୋଗିକ ବିପ୍ଳବ। ଏହା ହେଉଛି ଯାନ୍ତ୍ରିକ ଭାଷା ବା ମେଶିନ୍ ଲାଙ୍ଗୁଏଜ୍ର ଯୁଗ। ଏଥିରେ କୃତ୍ରିମ ମେଧା, ରୋବୋଟ୍ ବିଜ୍ଞାନ, ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ, ଥ୍ରିଡି ପ୍ରିଣ୍ଟିଙ୍ଗ୍, କ୍ୱାଣ୍ଟମ୍ କମ୍ପ୍ୟୁଟିଙ୍ଗ୍, ଜିନୀୟ ଇଞ୍ଜିନିୟରିଂ, ବ୍ଲକ ଚେନ୍, ଭର୍ଚୁଆଲ୍ ରିୟଲିଟି ଆଦି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଅଛି। ଆଧୁନିକ ମେଶିନ୍ ଲାଙ୍ଗୁଏଜ୍ର ଏକ ବିଶେଷତ୍ୱ ହେଉଛି ଯେ ଏଥିରେ ପୂର୍ବଭଳି ଆଉ ପ୍ରୋଗ୍ରାମିଂ କରିବାକୁ ପଡ଼ିବ ନାହିଁ। କମ୍ପ୍ୟୁଟର ନିଜେ ପ୍ରୋଗ୍ରାମିଂ କରି ଗଣନା କରିବ। ଏଥିରେ ସଫ୍ଟଓ୍ବେର ଇଞ୍ଜିନିୟରଙ୍କ ଭୂମିକା ଗୌଣ ହୋଇଯିବ ଏବଂ ଶକ୍ତିଶାଳୀ ସୁପରକମ୍ପ୍ୟୁଟର ନିର୍ମାଣକର୍ତ୍ତାଙ୍କ ବଳିଷ୍ଠ ଭୂମିକା ରହିବ। ଏହି ହିସାବରେ ଦେଖିଲେ ସଫଓ୍ବେର ଇଞ୍ଜିନିୟରମାନଙ୍କର ଭବିଷ୍ୟତ ଅନ୍ଧକାର ଦେଖାଯାଉଛି ଏବଂ ଏହା ସହିତ ଭାରତୀୟ ଅର୍ଥନୀତି ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଅଛି। କାରଣ ସଫ୍ଟଓ୍ବେର ଇଞ୍ଜିନିୟରମାନେ ଭାରତକୁ ଅଧିକ ପରିମାଣର ବୈଦେଶିକ ମୁଦ୍ରା ଆଣିଥାଆନ୍ତି।
ଚତୁର୍ଥ ଔଦ୍ୟୋଗିକ ବିପ୍ଳବରେ ଯେଉଁ ଦେଶ ଶକ୍ତିଶାଳୀ ସୁପରକମ୍ପ୍ୟୁଟର ନିର୍ମାଣରେ ଦକ୍ଷ, ସେମାନେ ଅଧିକ ଲାଭବାନ ହେବେ। ୨୦୨୦ ମସିହା ନଭେମ୍ବର ମାସରେ ପ୍ରକାଶ ପାଇଥିବା ପୃଥିବୀର ଶ୍ରେଷ୍ଠ ୫୦୦ ଶକ୍ତିଶାଳୀ ସୁପରକମ୍ପ୍ୟୁଟର ମଧ୍ୟରେ ଚାଇନାର ୨୧୨ଟି, ଯୁକ୍ତରାଷ୍ଟ୍ର ଆମେରିକାର ୧୧୩ଟି ଓ ଜାପାନର ୩୪ଟି ଥିବାବେଳେ ଭାରତର ମାତ୍ର ତିନୋଟି ଅଛି। ଭାରତୀୟମାନଙ୍କ ପାଖରେ ସୁପରକମ୍ପ୍ୟୁଟର ନିର୍ମାଣର ଜ୍ଞାନ ଅଛି । କିନ୍ତୁ ଏଥିପାଇଁ ଅଧିକ ଅର୍ଥ ଆବଶ୍ୟକ ହୋଇଥାଏ। ଏଣୁ ସରକାର ଚେଷ୍ଟା ନ କଲେ ଆମେ ତୃତୀୟ ଔଦ୍ୟୋଗିକ ବିପ୍ଳବରେ ହାସଲ କରିଥିବା ସୁବିଧା ଚତୁର୍ଥ ବିପ୍ଳବରେ ଶେଷ ହୋଇଯିବ।
୭୦, ଲକ୍ଷ୍ମୀବିହାର, ଫେଜ-୧,ଭୁବନେଶ୍ୱର, ମୋ- ୯୪୩୮୬୯୩୭୨୪