Categories: ବାଣିଜ୍ୟ

ଆଖୁ ଉପରେ ଏଫ୍‌ଆର୍‌ପି ୧୦ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ,୨୦।୮: କେନ୍ଦ୍ର କ୍ୟାବିନେଟ ଆଖୁ ଉପରେ ପ୍ରଦାନ କରାଯାଉଥିବା ଫେୟାର ଆଣ୍ଡ ରେମୁନରେଶନ ପ୍ରାଇସ(ଏଫ୍‌ଆର୍‌ପି)କୁ ୧୦ ଟଙ୍କା ବଢାଇବା ନେଇ ନିଷ୍ପତ୍ତି ନେଇଛି। ଏହାକୁ ସାଧାରଣତଃ ଉତ୍ସାହିତ ମୂଲ୍ୟ ବୋଲି ବିବେଚନା କରାଯାଇଥାଏ। ଏଫ୍‌ଆର୍‌ପି ଆଖୁଚାଷୀଙ୍କ ଲାଗି ସର୍ବନିମ୍ନ ସହାୟକ ମୂଲ୍ୟ ହୋଇଥିବା ବେଳେ ମିଲ୍‌ଗୁଡିକ ପକ୍ଷରୁ ଏହା ଆଖୁଚାଷୀଙ୍କୁ ପ୍ରଦାନ କରାଯାଇଥାଏ। ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି(ସିସିଇଏ) ଏଫ୍‌ଆର୍‌ପିରେ ୧୦ ଟଙ୍କା ବୃଦ୍ଧି ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛି। ଫଳରେ ଏହା କୁଇଣ୍ଟାଲ ପିଛା ୨୭୫ ଟଙ୍କାରୁ ୨୮୫ ଟଙ୍କାକୁ ବୃଦ୍ଧି ଘଟିଛି। ଏହାଦ୍ୱାରା ୧ କୋଟି ଚାଷୀ ଲାଭବାନ୍‌ ହୋଇପାରିବେ। ସୁଗାରକେନ କଣ୍ଟ୍ରୋଲ ଅର୍ଡର ୧୯୬୬ ଅନୁଯାୟୀ ଏଫ୍‌ଆର୍‌ପି ସାରା ଦେଶରେ ଲାଗୁ ହେଉଛି। ଉତ୍ତର ପ୍ରଦେଶ, ପଞ୍ଜାବ, ହରିୟାଣା ଭଳି ବହୁଳ ଆଖୁଚାଷ ହେଉଥିବା ରାଜ୍ୟଗୁଡିକରେ ଷ୍ଟେଟ ଆଡଭାଇଜର ପ୍ରାଇସ(ଏସ୍‌ଏପି) କାର୍ଯ୍ୟକାରୀ କରାଉଛନ୍ତି। ଏହା ସାଧାରଣତଃ କେନ୍ଦ୍ରର ଏଫ୍‌ଆର୍‌ପି ଠାରୁ ଭିନ୍ନ ରହିଥାଏ।

Share