ପଟ୍ଟାମୁଣ୍ଡାଇ ୨୭ା୮(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ସର୍ବଶିକ୍ଷା ଡିପିସି ଯୋଜନାରେ ସ୍କୁଲର ଶୌଚାଳୟ ନିର୍ମାଣ ପାଇଁ ଆସିଥିବା ଅର୍ଥ ବାଟମାରଣା ହୋଇଥିବା ଅଭିଯୋଗ ହୋଇଛି। ଅଭିଭାବକ ମହାସଂଘ ଜିଲା ସମ୍ପାଦକ ନରେନ୍ଦ୍ର ଧଳ କହିଛନ୍ତି, ଅଳପୁଆ ନୋଡାଲ ଉଚ୍ଚ ବିଦ୍ୟାଳୟ ସ୍କୁଲର ଛାତ୍ରୀଛାତ୍ରମାନଙ୍କ ପାଇଁ ସର୍ବଶିକ୍ଷା ଅଭିଯାନ ଯୋଜନାରେ ଶୌଚାଳୟ ନିର୍ମାଣ ପାଇଁ ୧ ଲକ୍ଷ ୬୦ ହଜାର ଟଙ୍କା ଆସିଥିଲା। କିନ୍ତୁ ଶୌଚାଳୟ ଗୃହ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି। ପ୍ଲାଷ୍ଟରିଂ, ରଙ୍ଗ, ପ୍ୟାନ, ଟାଙ୍କି, ପାଇପ୍ଲାଇନ ଏବଂ କବାଟ କାମ ବର୍ତ୍ତମାନଯାଏ ଶେଷ ହୋଇନାହିଁ। ଶୌଚାଳୟ ଗୃହ ପାଇଁ ଆସିଥିବା ଟଙ୍କାରୁ ୧ ଲକ୍ଷ ୨୬ ହଜାର ୫୦୦ ଟଙ୍କା ଉଠାଯାଇଥିବା ବେଳେ ନିର୍ମାଣ କାମ ଏଯାଏ ସରିନାହିଁ। ବିଦ୍ୟାଳୟରେ ୪୦୬ ଜଣ ଛାତ୍ରୀଛାତ୍ର ପାଠ ପଢୁଥିବାବେଳେ ଶୌଚ ପାଇଁ ମାତ୍ର ଗୋଟିଏ ଶୌଚାଳୟ ରହିଛି। ଅନ୍ୟ ଦୁଇଟି ଅଧାପନ୍ତରିଆ ଭାବେ ପଡି ରହିଥିବାରୁ ଛାତ୍ରୀଛାତ୍ରମାନେ ପଦାରେ ଶୌଚ କରୁଛନ୍ତି ବୋଲି ଅଭିଭାବକ ମହାସଂଘ ଜିଲା ସମ୍ପାଦକ ଧଳ କହିଛନ୍ତି। ସେହିପରି ସୁମନ୍ତ ଜେନା, ଉମାକାନ୍ତ ବିହାରୀ, ନିମାଇଁ ସେଠୀ, ଶତ୍ରୁଘ୍ନ ମଳିକ, ନିରାକାର ବିଶ୍ୱାଳ ପ୍ରମୁଖ କହିଛନ୍ତି, ବିଦ୍ୟାଳୟର ଶୌଚାଳୟ ପାଇଁ ୧ ଲକ୍ଷ ୬୦ ହଜାର ଟଙ୍କା ଆସିଥିବା ବେଳେ ଶୌଚାଳୟ ନିର୍ମାଣ ସରିନାହିଁ। ସେହିପରି ବିଦ୍ୟାଳୟ ଲାଇବ୍ରେରି ପୁସ୍ତକ ସାଙ୍ଗକୁ ଅନ୍ୟ ସାମଗ୍ରୀ କିଣିବାକୁ ଆସିଥିବା ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଯାଇଛି। ତା’ର ମଧ୍ୟ କୌଣସି ଚିହ୍ନବର୍ଣ୍ଣ ନାହିଁ। ପାନୀୟ ଜଳ ବ୍ୟବସ୍ଥା କଥା ନ କହିଲେ ଭଲ। ଏହା ଭିତରେ ୨ଜଣ ପ୍ରଧାନ ଶିକ୍ଷକଙ୍କ ବଦଳି ହୋଇଥିବାବେଳେ ବିଦ୍ୟାଳୟର କିନ୍ତୁ ଅବସ୍ଥା ସୁଧୁରିନି। ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ଶିଶିର ନାୟକଙ୍କୁ ପଚାରିବାରେ ୨୦୨୧ରେ ବିଦ୍ୟାଳୟର ଚାର୍ଜ ଗ୍ରହଣ କଲି। ଏହି ଶୌଚାଳୟର ନିର୍ମାଣ ସମ୍ପର୍କିତ କୌଣସି ତଥ୍ୟ ମୋ ପାଖରେ ନାହିଁ ବୋଲି ସେ କହିଛନ୍ତି।