ମା’ଙ୍କୁ କାନ୍ଧଦେଇ ଅନ୍ତିମ ସଂସ୍କାର କଲେ ୬ ଝିଅ

ସମ୍ବଲପୁର,୧୦ା୨(ବ୍ୟୁରୋ): ମା’ଙ୍କୁ କାନ୍ଧଦେଇ ଝିଅମାନେ ଅନ୍ତିମ ସଂସ୍କାର କରାଇବା ଘଟଣା ଗୁରୁବାର ସମ୍ବଲପୁର ସହରରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି। ସୂଚନା ଅନୁସାରେ ହୀରାକୁଦ ହିଣ୍ଡାଲ୍‌କୋ କମ୍ପାନୀରେ କାର୍ଯ୍ୟରତ ଥିବା ଭୁବନ ସାହୁଙ୍କ ୨୦୦୫ରେ ଦେହାନ୍ତ ହୋଇଯାଇଛି। ଭୁବନଙ୍କ ପରଲୋକ ଘଟିବା ପରେ ସ୍ତ୍ରୀ ଶ୍ରୀମତୀ ସାହୁ ୬ ଝିଅଜ୍ୱାଇଁଙ୍କ ଘରେ ପ୍ରତିପାଳିତ ହେଉଥିଲେ। ସମ୍ବଲପୁର ଗୁଜରାଟୀ କଲୋନୀରେ ତାଙ୍କର ଜଣେ ଝିଅଘରେ ରହୁଥିବା ଶ୍ରୀମତୀଙ୍କର ଗୁରୁବାର ୮୦ବର୍ଷ ବୟସରେ ପରଲୋକ ଘଟିଥିଲା। ତାଙ୍କର ଏକମାତ୍ର ପୁଅ ବାହାରେ ରହୁଥିବାବେଳେ କୌଣସି କାରଣରୁ ଆସି ନ ପାରିବାରୁ ଛଅ ଝିଅ ସୁଶୀଳା, ନିର୍ମଳା, ଊର୍ମିଳା, ଶର୍ମିଳା, ପ୍ରମିଳା ଓ ସୁନୀଳା ମା’ଙ୍କ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ କରିବାକୁ ମନସ୍ଥ କରିଥିଲେ। ସେମାନେ ମୃତଦେହକୁ ସବାରିରେ ରଖି କାନ୍ଧରେ ବୋହି ମହାନଦୀର ରାଜଘାଟ ଶ୍ମଶାନରେ ମୁଖାଗ୍ନି ଦେଇଥିଲେ। ଏହି ସମୟରେ ସମ୍ବଲପୁର ଚଷା ସମାଜର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ବନ୍ଧୁପରିଜନ ଶ୍ରୀମତୀଙ୍କୁ ଅଶ୍ରୁଳ ବିଦାୟ ଦେଇ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିଥିଲେ। ଖାଲି ଏତିକି ନୁହେଁ, ସମାଜ ବ୍ୟବସ୍ଥା ଓ କୁଳ ରୀତି ମତେ ଛଅ ଭଉଣୀ ଏକାଠି ମା’ଙ୍କ ଶୁଦ୍ଧିକ୍ରିୟା କରିବାକୁ ସଂକଳ୍ପ ନେଇଛନ୍ତି। ଝିଅମାନଙ୍କର କର୍ତ୍ତବ୍ୟନିଷ୍ଠା ଓ ସାମାଜିକ ଦାୟିତ୍ୱବୋଧକୁ ସବୁସ୍ତରର ଲୋକେ ପ୍ରଶଂସା କରିଛନ୍ତି।

Share