Categories: ରାଜ୍ୟ

କମିବ ଶୀତର ପ୍ରକୋପ! ଓଡିଶାରେ ରାତ୍ରି ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ବୃଦ୍ଧି ସମ୍ଭାବନା

ଭୁବନେଶ୍ୱର,୨୩।୧୨: ବାୟୁମଣ୍ଡଳର ଉପରିଭାଗରେ ପଶ୍ଚିମା-ନିମ୍ନ ଚାପ ରେଖା ସହ ଜଡିତ ବାୟୁ ଚଳା-ଚଳ ପ୍ରଭାବରେ ଓଡ଼ିଶାକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ଧୀରେ ଧୀରେ ଦୁର୍ବଳ ହେଉଥିବାରୁ ଶୀତ କମିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ମେଘୁଆ ଆକାଶ ଥିଲେ ବି, ବର୍ଷାର କୌଣସି ସମ୍ଭାବନା ନାହିଁ। ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ ରାତ୍ରି ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା।

ଏଥିସହ ଆସନ୍ତା ସୋମବାର ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଘନ କୁହୁଡି ହେବାନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଘନ କୁହୁଡି ଯୋଗୁଁ ଯାତାୟତରେ ଅସୁବିଧା ପାଇଁ ଆଜି ୧୦ଟି ଜିଲ୍ଲା ଏବଂ ଆସନ୍ତାକାଲି ପାଇଁ ୧୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀରୁ କମ୍‌‌ ରହିଥିଲା। କନ୍ଧମାଳ ଜିଲାର ଜି.ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା ୪ ଦଶମିକ ୬ ଡିଗ୍ରୀ ସେଲ୍‌‌ସିୟସ୍‌‌ ରହିଥିବାବେଳେ ସେମିଳିଗୁଡ଼ାରେ ୫ ଦଶମିକ ୬ ଡିଗ୍ରୀ ଏବଂ ଫୁଲବାଣୀରେ ତାପମାତ୍ରା ୬ ଡିଗ୍ରୀ ସେଲସିୟସ୍‌‌ ଥିଲା।

Share