କେନ୍ଦୁଝର,୨୮।୩: ହାତରେ ରଙ୍ଗ ଓ ତୂଳୀ। ଦିନେ ନିରାଶ୍ରୟ ଭାବେ ରାସ୍ତା କଡ଼ରେ ଘୁରି ବୁଲିଥିବା ନାବାଳକ ଆକାଶ ଆଜି ଚିତ୍ର ଆଙ୍କି ନୂଆ ପରିଚୟ ସୃଷ୍ଟି କରିଛନ୍ତି। ମୁକ୍ତାଶ୍ରୟ କେନ୍ଦ୍ରରେ ରହୁଥିବା ପିତୃମାତୃ ହୀନ ଏହି ୧୨ ବର୍ଷର ନାବାଳକ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ନିଜ ପ୍ରତିଭାକୁ ବିକଶିତ କରି ଅନ୍ୟମାନଙ୍କ ପାଇଁ ସେ ଦୃଷ୍ଟାନ୍ତ ସାଜିଛନ୍ତି।
୧୦ ବର୍ଷ ବୟସର ହୋଇଥିବା ବେଳେ ମା’ ବାପା ତାଙ୍କୁ ଛାଡି କୁଆଡ଼େ ପଳାଇଗଲେ। ନିରାଶ୍ରୟ ଭାବେ ଦୁଃଖରେ ଦିନ କାଟୁଥିବା ବେଳେ ତାଙ୍କୁ ଆଶ୍ରୟ ଦେଇଥିଲେ ଜଣେ ସମ୍ପର୍କୀୟ ବଡ଼ବାପା। ଦିନେ ମଦ୍ୟପାନ କରି ବଡ଼ବାପା ମାରଧର କରିବାରୁ ଘରୁ ଟ୍ରେନରେ ବସି ଭୂବନେଶ୍ୱର ପଳାଇଥିଲେ ଆକାଶ। ଅଖିଆଅପିଆ ଅବସ୍ଥାରେ ବୁଲୁଥିବା ବେଳେ ଚାଇଲ୍ଡ ଲାଇନ ଦ୍ୱାରା ଉଦ୍ଧାର ହୋଇ ସେଠାରେ ଏକ ମୁକ୍ତାଶୟ କେନ୍ଦ୍ରରେ ଆଶ୍ରୟ ନେଇଥିଲେ ା
ସମୟରେ ତାଙ୍କ ଘର କେନ୍ଦୁଝର ଜିଲାରେ ବୋଲି ଜାଣିବା ପରେ ସେଠାରୁ କେନ୍ଦୁଝର ଜିଲାକୁ ଗତ ଫେବୃୟାରୀ ମାସରେ ପଠାଇ ଦିଆଗଲା। ଶିଶୁ ମଙ୍ଗଳ ସମିତିଙ୍କ ଆଦେଶକ୍ରମେ କେନ୍ଦୁଝର ସହର ପ୍ରକଳ୍ପ ସ୍ବେଚ୍ଛାସେବୀ ସଂଗଠନ ଦ୍ୱାରା ପରିଚାଳିତ ମୁକ୍ତାଶ୍ରୟ କେନ୍ଦ୍ରରେ ରଖାଯାଇଥିଲା। ତାଙ୍କର ଚିତ୍ରାଙ୍କନ ପ୍ରତି ଥିବା ରୁଚିକୁ ଅନୁଧ୍ୟାନ କରି ସଂଗଠନର କର୍ମକର୍ତ୍ତାମାନେ ଚିତ୍ର ଆଙ୍କିବା ପାଇଁ ପ୍ରୋତ୍ସାହିତ କରିଥିଲେ। ତାଙ୍କ ହାତରେ ରଙ୍ଗ ଓ ତୂଳୀ ଧରେଇ ଦେଲେ। ତେବେ ଏହି ରଙ୍ଗ ତୁଳୀରେ ବିଭିନ୍ନ ପ୍ରକାରର ଚିତ୍ରାଙ୍କନ ଆଙ୍କିବା ପରେ ତାହା ଅନ୍ୟ ଅନ୍ତେବାସୀ ତଥା କର୍ମକର୍ତ୍ତାଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଥିଲା। କେନ୍ଦ୍ରର ସଂଯୋଜକ ସରୋଜ ପଟ୍ଟନାୟକ ତାଙ୍କୁ ପ୍ରାଚୀର ଚିତ୍ରାଙ୍କନ (ଓ୍ବାଲ୍ ପେଣ୍ଟିଂ) କରିବାକୁ ପ୍ରୋତ୍ସାହିତ କରିଥିଲେ। ସାଥୀ ଅନ୍ତେବାସୀଙ୍କ ସହଯୋଗରେ ପ୍ରାଚୀର କାନ୍ଥରେ ବିଭିନ୍ନ ପ୍ରକାରର ଚିତ୍ର ଆଙ୍କିଥିଲେ ା
କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ, ଭାରତ ମାନଚିତ୍ର, ସାୈରଜଗତ, ସୂର୍ଯ୍ୟପରାଗ ଭଳି ଚିତ୍ର ଆଙ୍କି ସମସ୍ତଙ୍କୁ ବିମୁଗ୍ଧ କରିବା ସହ ଅନ୍ୟ ଅନ୍ତେବାସୀ ଶିଶୁଙ୍କ ପାଇଁ ରୋଲ ମଡେଲ୍ ପାଲଟିଛନ୍ତି। ତାଙ୍କୁ ସହଯୋଗ କରୁଛନ୍ତି ବୁଦ୍ଧୁରାମ ଓ ଆକାଶ ନାୟକ। ଏହି ବୟସରେ ଚିତ୍ର ଆଙ୍କିବାର ନିଶା ତାଙ୍କୁ ବଞ୍ଚିବାର ରାହା ଦେଖାଇଥିବା ବେଳେ ଭବିିଷ୍ୟତରେ ଜଣେ ଭଲ ପେଣ୍ଟର ହୋଇ ଚିତ୍ର ଆଙ୍କି ରୋଜଗାରକ୍ଷମ ହୋଇ ପାରିବେ ବୋଲି ଆଶା ରଖିଛନ୍ତି। ତାଙ୍କ ଭଳି ମା’ ବାପା ହରା ନିରାଶ୍ରିତ ପିଲାଙ୍କ ପାଇଁ ଆଶାର ଆଲୋକ ହୋଇପାରିବେ ବୋଲି ସ୍ବପ୍ନ ଦେଖିଛନ୍ତି। ଏଣୁ ଉଚିତ ତାଲିମ ଓ ପ୍ରୋତ୍ସାହନ ମିଳିଲେ ସେ ଆଗକୁ ସ୍ବାବଲମ୍ବୀ ହୋଇ ବଞ୍ଚିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ପାରିବେ ବୋଲି କେନ୍ଦ୍ରର ପରିଚାଳକ ସରୋଜ ପଟ୍ଟନାୟକ କହିଛନ୍ତି।