କୋରାପୁଟ,୯।୧୦(ସ୍ବ.ପ୍ର.): ଦୁଇ ନାତିଙ୍କ ଭବିଷ୍ୟତ ପାଇଁ ଦିନ ରାତି ଏକକରି ରାସ୍ତାକଡରେ ମକା ବିକ୍ରିକରି ପରିବାର ଚଳାଉଛନ୍ତି ଜେଜେମା’। ସେଥିରୁ ଯାହା ରୋଜଗାର ହେଉଛି ଦୁଇ ନାତିଙ୍କ ସମେତ ସେ ଦୁଃଖ କଷ୍ଟରେ ଚଳିଯାଉଛନ୍ତି। ବୟସର ଅପରାହ୍ନରେ ପହଞ୍ଚତ୍ଥିଲେ ମଧ୍ୟ ଦୁଇ ନାତିଙ୍କୁ କେବେ ଅବହେଳା କରିନାହାନ୍ତି ସେ। ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ସଦର ବ୍ଲକ ଅନ୍ତର୍ଗତ ମସ୍ତିପୁଟ ପଞ୍ଚାୟତ ବଙ୍ଗଳାଗୁଡ଼ା ଗ୍ରାମରେ। ଏହି ଗ୍ରାମର ଅଳଙ୍କମଣି କନ୍ଦପାନ ନିଜ ପରିବାରକୁ ନେଇ ହସ ଖୁସିରେ ଚଳୁଥିଲେ। ପୁଅ ବୋହୂ, ଦୁଇ ନାତି ଓ ଼ସ୍ବାମୀଙ୍କୁ ନେଇ ତାଙ୍କ ସଂସାର ଠିକ୍ ଚାଲିଥିଲା। ମାତ୍ର କୌଣସି କାରଣରୁ ପୁଅ ଆରପାରିକୁ ଚାଲିଯିବା ପରେ ବୋହୂ ଦୁଇ ପୁଅଙ୍କୁ ଛାଡ଼ି ନିଜ ଅନ୍ୟତ୍ର ଚାଲିଗଲେ। ସ୍ବାମୀ ଚାଲିଯିବା ପରେ ଏବେ ନିଜ ଦୁଇ ନାତିଙ୍କୁ ମଣିଷ କରିବା ପାଇଁ ରାସ୍ତାକଡ଼ରେ ମକା ବିକ୍ରିକରି ଚଳୁଛନ୍ତି ଅଳଙ୍କମଣି। ସରକାରୀ ସହାୟତା କହିଲେ ୧୫ କେଜି ଚାଉଳ ସହ ଭତ୍ତା ୫୦୦ ଟଙ୍କା। ଜମିବାଡ଼ି କିଛି ନାହିଁ। ଘର ଖଣ୍ଡେ ନ ଥିବାରୁ ଭଙ୍ଗା କୁଡ଼ିଆରେ ଦିନ କାଟୁଛନ୍ତି। ତାଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।