ପ୍ରବାସୀଙ୍କ ଭବିଷ୍ୟତ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

 

ଯୌଥ ପରିବାର ପ୍ରତ୍ୟାବର୍ତ୍ତନର ପଦଧ୍ୱନି ଅଧୁନା ସ୍ପଷ୍ଟହେବାରେ ଲାଗିଛି। ଆମ ଦେଶର ଉଚ୍ଚ ଶିକ୍ଷିତ ତଥା ବିଭିନ୍ନ ବିଷୟର ବିଶେଷଜ୍ଞମାନେ ବିଦେଶ ମୁଖ୍ୟତଃ ଉନ୍ନତ ଦେଶଗୁଡ଼ିକୁ ଯିବା ଘଟଣା ନିତିଦିନିଆ ବ୍ୟାପାର ହୋଇଯାଇଛି। ସେଠାରେ ଧନ ଓ ମର୍ଯ୍ୟାଦା ପ୍ରାପ୍ତହେବା ସହ ସେମାନଙ୍କ ଜ୍ଞାନର ଉତ୍ତରୋତ୍ତର ଉନ୍ନତି ହେବ ବୋଲି ସେମାନଙ୍କ ମଧ୍ୟରୁ ଅନେକେ ବିଚାର କରୁଛନ୍ତି। ଏହା ପରୋକ୍ଷରେ ପ୍ରତିଭା ଚାଲାଣ ଭାବେ ଅଭିହିତ।
କିନ୍ତୁ ଏହି ଦେଶାନ୍ତରୀମାନଙ୍କ ଭବିଷ୍ୟତ କେତେ ସୁରକ୍ଷିତ? ତାଇଓ୍ବାନ ପ୍ରତି ଆମେ ଦୃଷ୍ଟି ପକାଇବା। ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଏହା ବିଶ୍ୱବିଖ୍ୟାତ। ଚାଇନା ଭୂଖଣ୍ଡଠାରୁ ଅଳ୍ପ ଦୂରରେ ଗୋଟିଏ ଦ୍ୱୀପ ଉପରେ ଏହା ଅବସ୍ଥିତ। ଏହାକୁ ଅକ୍ତିଆର କରିବାକୁ ପରାକ୍ରମୀ ଚାଇନା ସର୍ବଦା ଲୋଲୁପଦୃଷ୍ଟି ପକାଇଆସୁଛି। ତେଣୁ ତାଇଓ୍ବାନ ନାଗରିକମାନେ ଚାପଗ୍ରସ୍ତ ହୋଇଥାନ୍ତି ନିଜର ସ୍ବାତନ୍ତ୍ର୍ୟ ଓ ସ୍ବାଧୀନତା ପାଇଁ।
ନିକଟରେ ତାଇଓ୍ବାନ ଭାରତର ଶ୍ରମିକଙ୍କୁ ନିଜ ଦେଶରେ ନିଯୁକ୍ତିଦେବା ପାଇଁ ଗୋଟିଏ ବୁଝାମଣାପତ୍ର ସମ୍ପାଦନ କରିଛି। ଏହାକୁ କାର୍ଯ୍ୟାନ୍ବିତ କରିବା ସକାଶେ ସେଠାକାର ଶ୍ରମମନ୍ତ୍ରୀ ସୁ ମିଙ୍ଗ୍‌ ଚୁନ୍‌ ମାର୍ଚ୍ଚ ୨୦୨୪ରେ ଟେଲିଭିଜନରେ ଏକ ସାକ୍ଷାତ୍‌କାର ବେଳେ କହିଥିଲେ, ଏଥିରେ ଉତ୍ତର ଭାରତୀୟଙ୍କୁ ବଛାଯିବ, କାରଣ ଏହି ପ୍ରବାସୀମାନଙ୍କ ରଙ୍ଗ, ଖାଦ୍ୟ ଅଭ୍ୟାସ ତାଇଓ୍ବାନ ବାସିନ୍ଦାଙ୍କ ସହ ମେଳଖାଉଛି। ସେମାନେ ଅବଶ୍ୟ ନିର୍ମାଣ, କୃଷି ଓ କଳକାରଖାନା କାର୍ଯ୍ୟରେ କୁଶଳୀ। ତେବେ ସେମାନଙ୍କୁ ଅଧିକ ପସନ୍ଦ କରାଯିବା କାରଣ ହେଉଛି , ସେମାନେ ତାଇଓ୍ବାନ ଲୋକଙ୍କ ପରି ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ।
କଥା ହେଉଛି , ଗୋଟିଏ ଆଧୁନିକ ସମୃଦ୍ଧ ଗଣତାନ୍ତ୍ରିକ ଦେଶରେ ଜାତିଭେଦ ଓ ବର୍ଣ୍ଣବୈଷମ୍ୟ ବିଚାର ଏବେ ମଧ୍ୟ ତିଷ୍ଟି ରହିଛି। ଏହି କାରଣରୁ ସେମାନେ ବାଛବିଚାର ପନ୍ଥା ଅବଲମ୍ବନକରି ଗୋଟିଏ ନିର୍ଦ୍ଦିଷ୍ଟ ବର୍ଗକୁ ଅଗ୍ରାଧିକାର ଦେଉଛନ୍ତି। ଅବଶ୍ୟ ମନ୍ତ୍ରୀ ଜଣକ ସମାଲୋଚିତ ହେବାରୁ ପରେ ନିଜ ମନ୍ତବ୍ୟ ପ୍ରତ୍ୟାହାର କରିନେଇଥିଲେ। କିନ୍ତୁ ତାଙ୍କ ଦେଶରେ କେଉଁଠି ଏମିତି ଏକ ଦୁର୍ଭାବନା ଲୁଚି ରହିଥିବା ସନ୍ଦେଶ ଅମୂଳକ ହୋଇ ନ ପାରେ। ପ୍ରକାଶ ଥାଉକି, ସେଠାରେ ଯୁବକଙ୍କ ଅପେକ୍ଷା ବୃଦ୍ଧମାନଙ୍କ ସଂଖ୍ୟା ଆନୁପାତିକ ବିଚାରରେ ଅଧିକ। ଦେଶ ଚଳାଇବା ପାଇଁ ବିଦେଶର ଶ୍ରମଶକ୍ତି ନିହାତି ଦରକାର। ଏତାଦୃଶ ବାଧ୍ୟବାଧକତା ଥିଲେ ମଧ୍ୟ ନିଯୁକ୍ତି ପାଇଁ ଅବାଞ୍ଛିତ ସର୍ତ୍ତମାନ ବାଢ଼ିବା ଏକ ଅପରିଣାମଦର୍ଶୀ ଚିନ୍ତାଧାରା।
ଗୋଟିଏ ଜନମତ ସର୍ଭେରୁ ଜଣାପଡ଼େ, ୟୁରୋପୀୟ ଦେଶ ମଧ୍ୟରେ ଜର୍ମାନୀ, ଡେନ୍‌ମାର୍କ, ଫିନ୍‌ଲାଣ୍ଡ, ସୁଇଡେନ୍‌, ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌, ଫ୍ରାନ୍ସ, ନରଓ୍ବେ ପରି ଉଚ୍ଚ ଶିକ୍ଷିତ ଦେଶରେ ଦେଶାନ୍ତରୀଙ୍କ ବିପକ୍ଷେ ସ୍ଥାନୀୟ ଲୋକେ ମତପୋଷଣ କରୁଛନ୍ତି। ଏପରିକି ଏହି ଦେଶଗୁଡ଼ିକରେ ଦକ୍ଷିଣପନ୍ଥୀ ରାଜନୈତିକ ଦଳଗୁଡ଼ିକ ପ୍ରତି ଜନସମର୍ଥନ କ୍ରମଶଃ ବୃଦ୍ଧିପାଉଛି। ଏପରିକି ଆମେରିକାରେ ନିର୍ବାଚନ ପ୍ରଚାର(୨୦୨୪) ଚାଲିଥିବା ବେଳେ ସିବିଏସ୍‌/ୟୁଗଭର୍ନମେଣ୍ଟ ପୋଲ୍‌ ମଧ୍ୟରେ ଜଣାପଡ଼ିଛି ଯେ, ପ୍ରାୟ ଅର୍ଦ୍ଧେକ ମତାଦାତା ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଆଣ୍ଟି ଇମିଗ୍ରାଣ୍ଟ ନୀତିକୁ ସମର୍ଥନ ଜଣାଇଛନ୍ତି। ସ୍ମରଣୀୟ ଯେ, ଟ୍ରମ୍ପଙ୍କ ଭାଷାରେ ପ୍ରବାସୀମାନେ କୁଆଡ଼େ ଯୁକ୍ତରାଷ୍ଟ୍ରରେ ରହି ଆମେରିକାର ରକ୍ତକୁ ବିଷାକ୍ତ କରିଦେଉଛନ୍ତି। ନିଜ ଦେଶ ଛାଡ଼ି ଯେଉଁ ପରଦେଶକୁ ଉଜ୍ଜ୍ୱଳ ଭବିଷ୍ୟତ ଆଶାରେ ଲୋକେ ଯାଇ ବସବାସ କରୁଛନ୍ତି ତାହା ଯେ ସୁଖଦ ଓ ନିରାପଦ, ସେମିତି କିଛି ଗ୍ୟାରେଣ୍ଟି ନାହିଁ। ଏହି ଅନିଶ୍ଚିତତା କ୍ରମଶଃ ଉତ୍କଟ ହେବା ଜଳ ଜଳ ଦେଖାଯାଉଛି, ଯଦି ଆମେ ସାମ୍ପ୍ରତିକ ନିର୍ବାଚନୀ ଫଳାଫଳ ବିଶ୍ଲେଷଣକରିବା। ଏହା ଏକ ସତର୍କଘଣ୍ଟି।
ବିଦେଶ କଥାରୁ ବାହାରି ଆସି ଆମେ ନିଜ ଦେଶ ସମ୍ପର୍କରେ ଚର୍ଚ୍ଚାକରିବା। ତାମିଲନାଡୁର ଡିଏମ୍‌କେ ଲୋକ ସଭା ସଦସ୍ୟ ଓ ପୂର୍ବତନ ମନ୍ତ୍ରୀ ଏ. ରାଜା କହିଥିବା ପ୍ରକାଶ, ଭାରତ ଗୋଟିଏ ରାଷ୍ଟ୍ର ନୁହେଁ, କିନ୍ତୁ ଗୋଟିଏ ଉପମହାଦେଶ। କାରଣ କ’ଣ? ……ତାମିଲ ଗୋଟିଏ ଦେଶ, ଗୋଟିଏ ରାଷ୍ଟ୍ର। ମାଲୟାଲମ ଗୋଟିଏ ଭାଷା, ଗୋଟିଏ ଦେଶ, ଗୋଟିଏ ରାଷ୍ଟ୍ର। ଓଡ଼ିଶା ଗୋଟିଏ ଦେଶ, ଭାଷା ଓ ରାଷ୍ଟ୍ର। ଏହିସବୁ ଦେଶ ଦ୍ୱାରା ଭାରତ ଗଠିତ। ତେଣୁ ଭାରତ ଗୋଟିଏ ଦେଶ ନୁହେଁ। ଏହା ଗୋଟିଏ ଉପ ମହାଦେଶ। ଏଠାରେ ଅନେକ ପରମ୍ପରା ଓ ସଂସ୍କୃତି ରହିଛି। ଯଦି ତୁମେ ତାମିଲନାଡୁ ଆସୁଛ ଗୋଟିଏ ସଂସ୍କୃତିକୁ ଭେଟିବ…। ଏହି ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକଟକରି ଭାଜପାର ପ୍ରମୁଖ ସଦସ୍ୟ ଅମିତ ମାଲବ୍ୟ ଅଭିଯୋଗ ବାଢ଼ିଲେ ଯେ, ଦେଶକୁ ଭାଗ ଭାଗ କରିବା ବିଷୟ ଏଥିରେ ରହିଛି। ଏହା ଘୃଣାଭାବ ସୃଷ୍ଟିକରିବ। ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଏହି ପ୍ରକାର ବାକ୍ୟ ବିନିମୟ ସ୍ପୃହଣୀୟ ନୁହେଁ। ଓଡ଼ିଶା, ବିହାର, ବଙ୍ଗଳା, ୟୁପି ଇତ୍ୟାଦି ପ୍ରଦେଶରୁ ରୋଜଗାର ପାଇଁ ଶ୍ରମିକ ଓ ଉଚ୍ଚ ଡିଗ୍ରୀଧାରୀମାନେ ତାମିଲନାଡୁ, କେରଳ, କର୍ନାଟକ, ଗୁଜରାଟ ଇତ୍ୟାଦି ରାଜ୍ୟକୁ ଯାଇଥାନ୍ତି। ଏହି ପ୍ରକାର ବାକ୍‌ବିତଣ୍ଡା ପରିବେଶକୁ କଳୁଷିତ ଓ ଜୀବନକୁ ଅସହଜ କରିଦେବ।
ସମ୍ପ୍ରତି ବୈଶ୍ୱୀକରଣ ବା ଗ୍ଲୋବାଲାଇଜେଶନ ରାଜତ୍ୱ କରୁଛି। ଦେଶ ଓ ବିଦେଶ ମଧ୍ୟରେ ପୂର୍ବରୁ ଦୃଢ଼ୀଭୂତ ହୋଇଥିବା ବିଭାଜନ ଲୁପ୍ତହେବା ପଥରେ ଅଗ୍ରସର ହେଉଛି। ଏହାଦ୍ୱାରା ଯେକୌଣସି ଅଞ୍ଚଳରେ ବିଭିନ୍ନ ପ୍ରକାର ପ୍ରବାସୀ ସ୍ଥାନୀୟ ବ୍ୟକ୍ତିଙ୍କ ଗହଣରେ ନିବାସ କରି ରହିଛନ୍ତି। ବିଦେଶାଗତଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବା ସହ ଉନ୍ନତ ଦେଶଗୁଡ଼ିକର ଶ୍ରମିକ ଅଭାବ ପୂରଣ ହୋଇପାରୁଛି। ଏହି ବିଷୟକୁ ଦୃଷ୍ଟିରେ ରଖି ଏକ ସ୍ବାଗତଯୋଗ୍ୟ ସହାବସ୍ଥାନ ଦେଖାଦେବା ସଙ୍ଗତ ମନେହୁଏ। ତଥାପି ବାସ୍ତବ କ୍ଷେତ୍ରରେ ଏମିତି ସ୍ଥିତି ରୂପାୟିତ ହୋଇପାରୁନାହିଁ। ଦେଶାନ୍ତର ଏକ ବହୁ ସମସ୍ୟା ବିଜଡ଼ିତ ପ୍ରସଙ୍ଗ। ଦେଶ ଭିତରେ ଆଞ୍ଚଳିକ ମନୋଭବ ଏବଂ ବିଦେଶରେ ବର୍ଣ୍ଣ ଓ ଜାତିଭେଦ ଅପ୍ରୀତିକର ପରିସ୍ଥିତି ସୃଷ୍ଟିକରେ। ସ୍ମରଣଯୋଗ୍ୟ, ଭୂମଣ୍ଡୀକରଣର ଉଦ୍‌ଭବ ଓ ପ୍ରସାରଣ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଅନେକାଂଶରେ ଦାୟୀ। କିନ୍ତୁ ବୈଜ୍ଞାନିକ ଉପକରଣ ଏବଂ ପ୍ରୟୋଗିକ ଗାଜେଟ୍‌ମାନେ ଦିନକୁ ଦିନ ନୂତନ ସଂସ୍କରଣରେ ବଜାରକୁ ଆସୁଛନ୍ତି। ଟେକ୍ନୋଲୋଜିର ନୂତନ ପରିଚାଳନା ଓ ଉପଯୋଗ ପାଇଁ ବୃତ୍ତିଧାରୀମାନେ ଚାପଗ୍ରସ୍ତ ହୋଇଥାନ୍ତି। ନୂତନ କୌଶଳମାନ ଯଥାଶୀଘ୍ର ନ ଶିଖିଲେ, ସେମାନେ ନିଯୁକ୍ତି ହରାଇବେ। ବାସ୍ତବିକ ଅଧୁନା ପ୍ରବାସୀ ଜୀବନ ସଙ୍କଟାପନ୍ନ। ଏମିତି ଉଦ୍‌ବେଗଜନକ ପୃଷ୍ଠଭୂମିରେ ହୁଏତ ନିଜ ଅଞ୍ଚଳରେ ଆତ୍ମନିର୍ଭରଶୀଳ ହୋଇ ଉନ୍ନତି ଓ ସମୃଦ୍ଧି ହାସଲ କରିବା ଏକ ତେଜୀୟାନ ବିକଳ୍ପ ହୋଇପାରେ।
ମୋ: ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୌସୁମୀ କାପାଡ଼ିଆଙ୍କ ସାହସିକ ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ କାହାଣୀ। ରିଜିଡ୍‌ ସ୍ପାଇନ ମସ୍କୁଲାର ଡିସ୍‌ଟ୍ରୋଫି( ଆର୍‌ଏସ୍‌ଏମ୍‌ଡି) ରୋଗରେ ପୀଡ଼ିତ ତାଙ୍କ ବଡ଼ ପୁଅ...

ଦରିଦ୍ରଙ୍କୁ ଦୁରାଚାରରୁ ମୁକ୍ତି

ବୃହସ୍ପତି ସାମଲ ଶନାଲ କ୍ରାଇମ୍‌ ରେକଡର୍‌ସ ବ୍ୟୁରୋର ୨୦୨୧ ତଥ୍ୟାନୁଯାୟୀ ଭାରତରେ ଘଟୁଥିବା ମୋଟ ଅପରାଧରୁ ୨୮% ଦାରିଦ୍ର୍ୟ ସହ ଜଡ଼ିତ। ୟୁନାଇଟେଡ୍‌ ନେସନ୍ସ ଅଫିସ...

ଶାଶ୍ୱତ ସୁଖର ଚଲାପଥ

ଯଚିଦାନନ୍ଦ ଦାଶ ପାଠକେ, ଆପଣ ଦେଖିଥିବେ, ଅଧିକାଂଶ ଧନୀ ଓ କୋଟିପତି ବ୍ୟକ୍ତିମାନେ ସବୁ ସମୟରେ ବ୍ୟସ୍ତତା ଓ ଚିନ୍ତିତ ଅବସ୍ଥାରେ ସମୟ ଅତିବାହିତ କରିଥାନ୍ତି।...

ଅଥର୍ବ ବେଦ ଓ ଋଷି ପିପ୍ପଳାଦ

ଅଥର୍ବ ବେଦର ସ୍ତୋତ୍ରଗୁଡ଼ିକରେ ସହାୟତା ଓ ଚିକିତ୍ସା ସମ୍ପର୍କିତ ମନ୍ତ୍ର ରହିଛି। ଏପରିକି ଏଥିରେ କ୍ଷତି କରୁଥିବା ମନ୍ତ୍ର ମଧ୍ୟ ରହିଛି। ଏହାକୁ ଯେଉଁ ଋଷି...

ବୃହତ୍ତମ ସୁପରମୁନ୍‌ ଓ ଜନମତ

ଅକ୍ଟୋବର ୧୭ ତାରିଖ, ଗୁରୁବାର। ୨୦୨୪ମସିହାର ୨୯୧ତମ ଦିନ ଓ ୪୨ତମ ସପ୍ତାହର ୪୨ତମ ଗୁରୁବାର। ସେଦିନ ପଡୁଛି ପୂର୍ଣ୍ଣିମା, କିନ୍ତୁ ଏବର୍ଷର ନିଆରା ପୂର୍ଣ୍ଣିମା।...

ଆଇନଗତ ଦ୍ୱନ୍ଦ୍ୱରେ ଶିଶୁ

କିଶୋର/କିଶୋରୀମାନେ ଅପରାଧରେ ସାମିଲ ହେବାର ଅନେକ ଉଦାହରଣ ଏବେ ଲୋକଲୋଚନକୁ ଆସୁଛି। ତେବେ ଏହି ନାବାଳକ/ନାବାଳିକାମାନେ ପେସାଦାର ଅପରଧୀ। ଏମାନଙ୍କ ଅପରାଧର ପୃଷ୍ଠଭୂମି ଅଛି ନା...

କାନାଡା ସମ୍ପର୍କ ତୁଟିଲା

ଖଲିସ୍ତାନ ସପକ୍ଷବାଦୀ ନେତା ତଥା ଭାରତ ପକ୍ଷରୁ ଆତଙ୍କବାଦୀ ଘୋଷିତ ହୋଇଥିବା ହରଦୀପ ସିଂ ନିଜ୍ଜାର ହତ୍ୟା ଘଟଣାରେ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞମାନଙ୍କୁ...

ଧାଡ଼ି ଶେଷର ମଣିଷ

ଧାଡ଼ିର ଶେଷରେ ଠିଆ ହୋଇଛନ୍ତି ଆପଣ। ଧୀରେ ଧୀରେ ଲୋକମାନେ ଆଗକୁ ବଢୁଛନ୍ତି। ନିଜ ଭିତରେ ବିରକ୍ତ ହେଉଥିବେ। କ’ ଣ ପାଇଁ ଆସିଲି। ଟିକେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri