ଅନ୍ଧାର ଆଡ଼କୁ ଗତି କରୁଛି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜୁନାଗଡ଼, ୨୨।୪: (ଡି.ଏନ୍‌.ଏ.) କଳାହାଣ୍ଡି ଜିଲାରେ ବର୍ତ୍ତମାନ ଜମି ମାଫିଆଙ୍କ ଅରାଜକତା ଅନେକ ମାତ୍ରାରେ ବଢ଼ିବାରେ ଲାଗିଛି। ଜମି ମାଫିଆ ଓ ଅଧିକାରୀଙ୍କ ସଲାସୂତରାରେ ଗୋଚର ଜମି ହେଉ, ଦେବୋତ୍ତର ଜମି ହେଉ କିମ୍ବା ସ୍କୁଲ ନିର୍ମାଣ ହୋଇଥିବା ଜମି ହେଉ କେତେବେଳେ କିସମ ପରିବର୍ତ୍ତନ ହୋଇ ଜମି ବିକ୍ରି ହୋଇ ଯାଉଛି ତାହାର ନାଁ ଗନ୍ଧ ମଧ୍ୟ ଜଣାପଡୁନାହିଁ। ବର୍ତ୍ତମାନ ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ସ୍କୁଲ କୋଠା ନିର୍ମାଣ ନିମନ୍ତେ ପୂର୍ବଜ ଦାନ କରିଥିଲେ ଜମି। କିନ୍ତୁ ବର୍ତ୍ତମାନର ଦାୟାଦ ସେହି ଜମିକୁ ବିକ୍ରି କରିବାକୁ ଚକ୍ରାନ୍ତ ଆରମ୍ଭ କଲେଣି। ସ୍କୁଲ ଜମି ବିକ୍ରି ପାଇଁ ପ୍ରକ୍ରିୟା ଚାଲିଥିବାବେଳେ ଅନ୍ଧାର ଆଡ଼କୁ ଗତି କରୁଛି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ। କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମାଲିଗୁଡା ପଞ୍ଚାୟତର ବରଗାଁରେ ପୂର୍ବରୁ ସ୍କୁଲ ନ ଥିଲା । ଏଠାକାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସ୍ବର୍ଗତ କୀର୍ତ୍ତିମାଳା ସିଂଙ୍କ ସହମତି କ୍ରମେ ତାଙ୍କ ଜମିକୁ ତାଙ୍କ ଭାଇ ଜମିଦାର ସ୍ବର୍ଗତ ବିଶ୍ୱନାଥ ସିଂହ ୧୯୫୧ ମସିହାରେ ୧ ଏକର ୩୩ ଡ଼ିସିମିଲ ଜମିକୁ ଗାଁରେ ସ୍କୁଲ ଖୋଲିବା ପାଇଁ ଦାନ କରିଦେଇଥିଲେ। କିନ୍ତୁ ବର୍ତ୍ତମାନର ସେଟେଲମେଣ୍ଟରେ ୧ ଏକର ୩୩ ଡ଼ିସିମିଲ ଜାଗା ନ ଥିବା ବେଳେ ଏବେ ଖାତା ନଂ. ୪୧୩/୮୩, ପ୍ଲଟ ନଂ. ୭୨୩ ରେ ୩ ଡ଼ିସିମିଲ ଜାଗା, ପ୍ଲଟ ନଂ. ୭୨୬ ରେ ୪ ଡ଼ିସିମିଲ ଜାଗା, ଏବଂ ପ୍ଲଟ ନଂ. ୭୨୭ ରେ ୪୬ ଡ଼ିସିମିଲ ସମେତ ସମୁଦାୟ ୫୩ ଡ଼ିସିମିଲ ଜାଗା ପରିସରରେ ସ୍କୁଲ କୋଠା ନିର୍ମାଣ ହୋଇଥିବା ଜଣାପଡ଼ିଛି। ଜମି ଦାନ ପରେ ୧୯୫୭ ମସିହା ସେପ୍ଟେମ୍ବର ୨ ତାରିଖରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ସେହି ଦିନଠାରୁ ଗାଁର ଛାତ୍ରୀଛାତ୍ର ଏହି ସ୍କୁଲରେ ପାଠପଢି ଆସୁଛନ୍ତି । ଅନେକ ଛାତ୍ରୀଛାତ୍ର ଏହି ସ୍କୁଲରେ ନିଜର ଭବିଷ୍ୟତ ଗଢି ସାରିଲେଣି। ବର୍ତ୍ତମାନ ମଧ୍ୟ ଅନେକ ଛାତ୍ରୀଛାତ୍ର ନିଜ ଭବିଷ୍ୟତ ପାଇଁ ଆଗଭର ହେଉଛନ୍ତି। ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୨୮ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଆଗରୁ ସରକାର ସ୍କୁଲ ମରାମତି ପାଇଁ ଟଙ୍କା ଦେଉ ନ ଥିଲେ ,ସେଥିପାଇଁ ସ୍କୁଲ କମିଟି କିଛି ଜମିକୁ ଲୋକଙ୍କୁ ଲିଜ ଦେଇ ସେଥିରୁ ଆୟ ଟଙ୍କାକୁ ସ୍କୁଲ ମରାମତି କରି ଆସୁଥିଲେ। ସ୍ବର୍ଗତ ବିଶ୍ୱନାଥ ସିଂ ଜମି ଦାନ କରି ୭୨ ବର୍ଷ ହେଉଥିବାବେଳେ ଏଣିକି ସ୍କୁଲ ନିର୍ମାଣର ୬୬ ବର୍ଷ ବିତିଗଲାଣି। ଅନ୍ୟ ପକ୍ଷରେ ଏତେ ବର୍ଷ ପରେ ମଧ୍ୟ ସ୍କୁଲ ନାମରେ ଜମିର କୌଣସି କାଗଜପତ୍ର ନାହିଁ। ବର୍ତ୍ତମାନ ଏହି ସ୍କୁଲ ଜମିକୁ ଜମିଦାର ବିଶନାଥ ସିଂହଙ୍କ ଦାୟାଦ ଅନୁପ ସିଂ ସ୍କୁଲ ଜମିକୁ ବିକ୍ରି କରିଦେବା ପାଇଁ ମସୁଧା କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସ୍କୁଲ ଜମି ବିକ୍ରି ହେଉଥିବା ଜଣାପଡିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ବର୍ତ୍ତମାନ ସ୍କୁଲ ଜମିକୁ ଅନୁପ ସିଂ ବିକ୍ରି କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଉଥିବା କହିଛନ୍ତି। ଅନ୍ୟ ପକ୍ଷରେ ଗୋଟିଏ ପରିବାର ପକ୍ଷରୁ ଗୋଟିଏ ପିଢ଼ି ପ୍ରଥମେ ଜମି ଦାନ କଲେ ଓ ଆଉ ଗୋଟିଏ ପିଢ଼ି ଜମିକୁ ବିକ୍ରି କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବା କେତେ ଦୂର ଯଥାର୍ଥ ବୋଲି ସାଧାରଣରେ ପ୍ରଶ୍ନ ଉଠିବା ସହ ଉଦ୍‌ବେଗର ବିଷୟ ହୋଇଛି। ଏ ନେଇ ଗ୍ରାମବାସୀ ଜିଲାପାଳ, ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ।