ଧାମନଗର,୪ା୯(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ଦଳାଙ୍ଗ ପଣ୍ଡାସାହି ନିକଟରେ ଗେଙ୍ଗୁଟି ନଦୀ ବନ୍ଧ ପ୍ରାୟ ୨ ଶହ ଫୁଟ ଲମ୍ବରେ ଧସିଯାଇଛି। ଏନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ସୂଚନା ଥାଉକି ୪ ବର୍ଷ ତଳେ ଗେଙ୍ଗୁଟି ନଦୀର ଏହି ସ୍ଥାନରେ ବିରାଟ ଘାଇ ସୃଷ୍ଟି ହୋଇ ବହୁ କ୍ଷୟକ୍ଷତି ଘଟିଥିଲା। ଘାଇ ସ୍ଥାନକୁ ପୋତାଯାଇ ପଥର ପ୍ୟାକିଂ ମଧ୍ୟ କରାଯାଇଥିଲା। ତେବେ ୪ ବର୍ଷ ପରେ ଚଳିତ ବର୍ଷ ଘାଇ ସ୍ଥାନରେ ପ୍ରାୟ ୨ ଶହ ଫୁଟ ଭଳି ବନ୍ଧ ନଦୀ ଗର୍ଭକୁ ଧସି ଯାଇଛି। ଆଉଥରେ ବନ୍ୟା ହେଲେ ଏହା ଧାମନଗର ବ୍ଲକ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ସେହିପରି ରାମେଶ୍ୱରପୁର ନିକଟରେ ଗେଙ୍ଗୁଟି ନଦୀର ବିଭିନ୍ନ ସ୍ଥାନରେ ବାରମ୍ବାର ନଦୀ ବନ୍ଧ ଧସିବା ଘଟଣା ଦେଖିବାକୁ ମିଳୁଛି। ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟ ବନ୍ୟାରୁ ଲୋକେ ରକ୍ଷା ପାଇ ନ ଥିବାବେଳେ ଉକ୍ତ ଘାଇ ସ୍ଥାନକୁ ଯୁଦ୍ଧକାଳୀନ ଭିତ୍ତିରେ ସୁରକ୍ଷା ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।