Advertisement

ପୋଲିସକୁ ଧକ୍କା ମାରି ଥାନାରୁ ଫେରାର ମାରିଥିଲେ ଗଞ୍ଜେଇ ବେପାରୀ, ଆଉ ଏବେ…

ଦେବଗଡ଼,୨୫ା୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନାରୁ ପୋଲିସକୁ ଧକ୍କା ମାରି ଗତ ସେପ୍ଟେମ୍ବର ୩୦ ତାରିଖ ସକାଳ ୬ଟାରେ ଫେରାର ମାରିଥିବା ଗଞ୍ଜେଇ ବେପାରୀଙ୍କୁ ୨୫ ଦିନ ପରେ ଗିରଫ କରିବାରେ ପୋଲିସ ସଫଳ ହୋଇଛି। କନ୍ଧମାଳ ଜିଲା ଖଜୁରିପଦା ଥାନା ବରିକୁମ୍ପା ଗ୍ରାମର ଫେରାର ମାରିଥିବା ଅଭିଯୁକ୍ତ ସନତ ଦିଗାଲଙ୍କୁ ତାଙ୍କ ଗ୍ରାମରୁ ପୋଲିସ ଗିରଫ କରିଛି। କୋର୍ଟଚାଲାଣ କରାଯାଇଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।
ସୂଚନାନୁଯାୟୀ, ଗତ ୨୯ ତାରିଖ ସକାଳୁ ସନତ ଏକ କାର୍‌ ଯୋଗେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଭାରସାମ୍ୟ ହରାଇ ଜୟପିଛୁଳା ନିକଟରେ ମୁଢ଼ି ବୋଝେଇ ଏକ ଅଟୋକୁ ଧକ୍କା ଦେଇଥିଲେ। ଫଳରେ ଅଟୋ ଓଲଟି ପଡ଼ିଥିବା ବେଳେ ଅଟୋରେ ଥିବା ଦୁଇ ଜଣ ଯୁବକ ଆହତ ହୋଇଥିଲେ। ଅନ୍ୟପଟେ କାର୍‌ ଯୋଗେ ଗଞ୍ଜେଇ ଚାଲାଣ କରୁଥିବା ସନତ ଘଟଣାସ୍ଥଳରେ କାର୍‌ ଛାଡ଼ି ଫେରାର ମାରିଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରି ଖଜୁରିପଦା ପୋଲିସ ସହାୟତାରେ ସନତକୁ ବାରକୋଟ ପୋଲିସ ଗିରଫ କରିଥିଲା। ମାତ୍ର ଗତ ସେପ୍ଟେମ୍ବର ୩୦ ତାରିଖ ସକାଳୁ ବାରକୋଟ ଥାନା ପରିସରରେ ଏଏସ୍‌ଆଇ ସନ୍ତୋଷ ନାୟକଙ୍କୁ ଧକ୍କା ମାରି ସନତ ଫେରାର ହୋଇଯାଇଥିଲେ।

ଏନେଇ ସବ୍‌ଇନ୍ସପେକ୍ଟର ଆମୁନସେନ କିଡୋଙ୍କ ଅଭିଯୋଗ ଆଧାରରେ ସନତଙ୍କ ବିରୋଧରେ ପୁଣି ଏକ ମାମଲା ରୁଜୁ କରାଯାଇ ପୋଲିସ ତଦନ୍ତ ଚଲାଇଥିବାବେଳେ ଗିରଫ କରି କୋର୍ଟଚାଲାଣ କରିଥିଲା। ଦେବଗଡ଼ ଏସ୍‌ଡିପିଓ ସୌମ୍ୟରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ପୋଲିସ ଏକ ଟିମ୍‌ ସନତଙ୍କ ଗାଁରେ ଚଢ଼ାଉ କରି ଗିରଫ କରିବାରେ ସଫଳ ହୋଇଥିଲେ। କୋର୍ଟଚାଲାଣ କରାଯାଇଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦେଇଥିବା ଜଣାପଡ଼ିଛି। କିନ୍ତୁ ଏଏସ୍‌ଆଇଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share