ସିଲିଣ୍ଡରରେ ପାଣି ପୂରାଇ ଲୁଟୁଥିଲେ ଗ୍ୟାସ

ଝାରସୁଗୁଡ଼ା ଅଫିସ,୧୮ା୮: ପରିବହନ ଗାଡ଼ିରୁ ଗ୍ୟାସ୍‌ ସିଲିଣ୍ଡର ବାହାର କରି ପାଣିଭର୍ତ୍ତି ସିଲିଣ୍ଡର ବୋଝେଇ କରି ରପ୍ତାନି କରାଯାଉଥିଲା। ଏଭଳି ଅଭିନବ ଉପାୟରେ ଗ୍ୟାସ୍‌ ଚୋରି ଘଟଣାର ରହସ୍ୟ ଉନ୍ମୋଚନ କରିଛି ଝାରସୁଗୁଡ଼ା ପୋଲିସ। ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଝାଡ଼ଖଣ୍ଡ ଗିରିଡିହିର ଟ୍ରକ୍‌ ଚାଳକ ଭୁବନେଶ୍ୱର ଯାଦବ, ଅଭିନାଶ ଯାଦବ ଓ ସ୍ଥାନୀୟ ବେହେରାମାଲର ମାନସ ରଞ୍ଜନ ପାତ୍ର। ଏମାନଙ୍କ ନିକଟରୁ ପୋଲିସ ୧୦ଟି ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର, ଚୋରିରେ ବ୍ୟବହୃତ ଓଆର୍‌୨୩ବି-୯୭୦୧ ମାରୁତି ଭ୍ୟାନ୍‌କୁ ଜବତ କରିଛି। ଏ ନେଇ ଗ୍ୟାସ୍‌ ସିଲିଣ୍ଡର୍‌ ଟ୍ରାନ୍ସପୋର୍ଟ ମାଲିକ ଦେବେନ୍ଦ୍ର ତିଓ୍ବାରୀଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ସୋମବାର ଝାରସୁଗୁଡ଼ା ଟାଉନ ଥାନା ଏକ ମାମଲା(ନଂ.୪୧୧/୨୧) ରୁଜୁ ହୋଇଥିଲା।

ଏସ୍‌ପି ବିକାଶ ଚନ୍ଦ୍ର ଦାସ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଝାରସୁଗୁଡ଼ା ଓଏମ୍‌ପି ନିକଟ ଆଇଓସିଏଲ୍‌ ବଟଲିଂ ପ୍ଲାଣ୍ଟରୁ ଟ୍ରାନ୍ସପୋର୍ଟ ମାଧ୍ୟମରେ ବରଗଡ଼ ଜିଲା ଅତାବିରାକୁ ଏକ ଗ୍ୟାସ୍‌ ବୋଝେଇ ଟ୍ରକ୍‌ ଯାଉଥିବା ବେଳେ ପୋଲିସ ଏହା ଉପରେ କଡା ନଜର ରଖିଥିଲା। ଟ୍ରକ୍‌ ଚାଳକ ରାସ୍ତାରେ ଗାଡ଼ି ଅଟକାଇ ୨ଟି ଗ୍ୟାସ୍‌ ଭର୍ତ୍ତି ସିଲିଣ୍ଡର ବାହାର କରି ସେହି ସ୍ଥାନରେ ୨ଟି ପାଣିଭର୍ତ୍ତି ସିଲିଣ୍ଡର ବୋଝେଇ କରୁଥିବା ବେଳେ ପୋଲିସ ତାଙ୍କୁ ଧରିଥିଲା। ଚାଳକ ଭୁବନେଶ୍ୱରଙ୍କୁ ପୋଲିସ ପଚରାଉଚରା କରିବାରୁ ସେ କହିଥିଲେ, ବେହେରାମାଲର ଗ୍ୟାସ୍‌ ବିକ୍ରେତା ମାନସଙ୍କୁ ସେ ସିଲିଣ୍ଡର ପିଛା ୫ଶହ ଟଙ୍କାରେ ବିକ୍ରି କରୁଥିଲେ ା ଏହା ପରିବର୍ତ୍ତେ ମାନସଙ୍କ ନିକଟରୁ ପାଣିଭର୍ତ୍ତି ସିଲିଣ୍ଡର ଟ୍ରକ୍‌ରେ ବୋଝେଇ କରୁଥିଲେ। ପାଣିଭର୍ତ୍ତି ସିଲିଣ୍ଡର ଗ୍ୟାସ୍‌ ସିଲିଣ୍ଡର ସହିତ ମିଶି ଡିପୋରେ ଅନ୍‌ଲୋଡ୍‌ ହେଉଥିଲା। ଏହାକୁ ଡିଲର ଖାଉଟିଙ୍କୁ ବିତରଣ କରୁଥିଲେ। ଖାଉଟି ଏହାକୁ ବ୍ୟବହାର କରିବା ସମୟରେ ସିଲିଣ୍ଡରରେ ପାଣି ଥିବା ଜାଣି ଡିଲ୍‌ରଙ୍କ ନିକଟରେ ଅଭିଯୋଗ କରୁଥିଲେ। ଏଭଳି ଘଟଣା ବାରମ୍ବାର ହେବା ଫଳରେ ଡିଲ୍‌ରମାନେ ଆଇଓସିଏଲ୍‌ ନିକଟରେ ଅଭିଯୋଗ କରିଥିଲେ। ଆଇଓସିଏଲ୍‌ କମ୍ପାନୀ ଏ ନେଇ ଟ୍ରାନ୍ସପୋର୍ଟର ମାଲିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଟ୍ରାନ୍ସପୋର୍ଟ ମାଲିକ ଦ୍ୱନ୍ଦ୍ୱରେ ପଡି ପୋଲିସକୁ ଜଣାଇଥିଲେ। ଏସ୍‌ପି ଦାସଙ୍କ ନିଦ୍ଦେର୍ଶକ୍ରମେ ଏସ୍‌ଡିପିଓ ନିର୍ମଳ ମହାପାତ୍ରଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ତଦନ୍ତ କରି ଘଟଣାର ପର୍ଦ୍ଧାଫାଶ କରିଛି।

Share