ଚେନ୍ନାଇ,୧୯ା୮: କରୋନା ମହାମାରୀ ସମଗ୍ର ବିଶ୍ୱବାସୀଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ଏହି ସଙ୍କଟ ସମୟରେ ଲୋକେ ଜଣେ ଜଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି। ତାମିଲନାଡୁର ମଦୁରାଇରୁ ଏପରି ଏକ ଖବର ସାମ୍ନାକୁ ଆସିଛି । ଯାହା ଲୋକଙ୍କୁ ପ୍ରେରଣା ଯୋଗାଇବ। ଏଠାକାର ଜଣେ ଭିକାରୀ ଭିକ ମାଗି କରୋନା ସହାୟତା ପାଇଁ ୯୦ ହଜାର ଟଙ୍କା ରାଜ୍ୟ ପାଣ୍ଠିକୁ କରିଛନ୍ତି।
ତାମିଲନାଡୁର ପୁଲ୍ ପାଣ୍ଡିଆନ ବହୁ ଗରିବ। ଭିକ ମାଗି ସେ ପେଟ ପୋଷିଥାନ୍ତି। ମାତ୍ର କରୋନା ସଙ୍କଟ ସମୟରେ ସେ ଭିକ ମାଗି ରଖିଥିବା ୯୦ ହଜାର ଟଙ୍କା ରାଜ୍ୟ କୋଭିଡ୍-୧୯ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି। ଏହା ସୋସିଆଲ ମିଡିଆରେ ଏବେ ବେଶ ଭାଇରାଲ ହେଉଛି। ପୁଲ୍ଙ୍କ ଏପରି ବଦାନ୍ୟତା ପାଇଁ ଲୋକେ ତାଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି।
ପୁଲ୍ ଭିକ ମାଗି ରଖିଥିବା ଏହି ଅର୍ଥକୁ ଜିଲାପାଳଙ୍କ ଅଫିସକୁ ଯାଇ ପ୍ରଦାନ କରିଛନ୍ତି। ଖାଲି ଏତିକି ନୁହେଁ, ପୁଲ୍ ପୂର୍ବରୁ ପିଲାଙ୍କ ଶିକ୍ଷା ପାଇଁ ସରକାରୀ ସ୍କୁଲକୁ ମଧ୍ୟ ବହୁବାର ତାଙ୍କ ଭିକ୍ଷା ଅର୍ଥ ସଞ୍ଚିତ କରି ପ୍ରଦାନ କରିସାରିଛନ୍ତି। ପୁଲ୍ଙ୍କ ଏପରି କାର୍ଯ୍ୟ ବେଶ୍ ପ୍ରଶଂସାଯୋଗ୍ୟ। ସମାଜରେ ଅନ୍ୟମାନଙ୍କ ପାଇଁ ନିଶ୍ଚିତ ପ୍ରେରଣା ଯୋଗାଇବ।