ଦୁଇ ଦିନରେ ଝିଅପୁଅଙ୍କ ମୃତ୍ୟୁ

ଲହୁଣୀପଡ଼ା,୨୨।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ଶସ୍ୟକଳା ପଞ୍ଚାୟତ ଦମାଳୁ ଗ୍ରାମର ଗାଙ୍ଗଟୋଲା ବସ୍ତିରେ ଦୁଇଦିନରେ ଦୁଇ ପୁଅଝିଅଙ୍କର ମୃତ୍ୟୁ ଘଟିଛି। ମା’ ସହିତ ସାନପୁଅ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଜ୍ୱରରେ ମୃତ୍ୟୁ ଘଟିଛି ବୋଲି କୁହାଯାଉଥିଲେ ମଧ୍ୟ କାରଣ ସ୍ପଷ୍ଟ ହୋଇନାହିଁ।
ଗାଙ୍ଗଟୋଲାରେ ସ୍ବର୍ଗତ କିଶୋର ତୁରୀଙ୍କ ପରିବାର ବସବାସ କରନ୍ତି। ପରିବାର କହିଲେ ସ୍ତ୍ରୀ ଇନ୍ଦି (୩୧), ଝିଅ ଆଶ୍ରିତା (୮), ପୁଅ ଅଞ୍ଜୟ(୬) ଓ ଫିରୁ (୨)। ଦୁଇବର୍ଷ ତଳେ ସଡ଼କ ଦୁର୍ଘଟଣାରେ କିଶୋରଙ୍କ ମୃତ୍ୟୁ ପରେ ଅସହାୟ ପାଲଟି ଯାଇଥିଲେ ପରିବାର ସଦସ୍ୟ। ତିନି ପିଲାଙ୍କ ମୁହଁରେ ଦାନାଦେବା ପାଇଁ ଇନ୍ଦି ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ ତିନିଚାରି ଦିନ ହେବ ଅଜଣା ଜ୍ବରରେ ସାରା ପରିବାର ଆକ୍ରାନ୍ତ ହୋଇଥିଲେ। ଅଭାବ ଯୋଗୁ ଉପଯୁକ୍ତ ଚିକିତ୍ସା କରି ନ ପାରି ସ୍ଥାନୀୟ ଔଷଧ ବିକାଳିଙ୍କଠାରୁ ଔଷଧ ଖାଇଥିଲେ ମଧ୍ୟ ରୋଗ ଭଲ ନ ହେବାରୁ ଦେଶୀ ଚିକିତ୍ସା ଓ ଗୁଣିଗାରେଡି କରିଥିଲେ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ଜଣାପଡ଼ିଛି। ସୋମବାର ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ପୁଅ ଅଞ୍ଜୟ ଓ ମଙ୍ଗଳବାର ଅପରାହ୍ନରେ ଆଶ୍ରିତାଙ୍କ ମୃତ୍ୟୁ ଘଟିଥିଲା। ଦୁଇଦିନ ବ୍ୟବଧାନରେ ଦୁଇ ଭାଇ ଭଉଣୀଙ୍କ ମୃତ୍ୟୁ ଘଟିବା ଏବଂ ମା’ ସାନପୁଅ ଆକ୍ରାନ୍ତ ହେବା ଘଟଣା ଗ୍ରାମରେ ଉଦ୍‌ବେଗ ସୃଷ୍ଟି କରିଥିଲା। ଇନ୍ଦି ଓ ଫିରୁ ଶୋଚନୀୟ ଅବସ୍ଥାରେ ଥିବାରୁ ଅଟୋ ଯୋଗେ ଆଣି ଲହୁଣୀପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଲହୁଣୀପଡ଼ା ଡାକ୍ତରଖାନାର ଡା.ଚିନ୍ମୟ କୁମାର ସାହୁ କହିଛନ୍ତି ମା’ ପୁଅଙ୍କ ଚିକିତ୍ସା ଚାଲିଛି। ରକ୍ତ ପରୀକ୍ଷାର ରିପୋର୍ଟ ଆସିଲା ପରେ ପ୍ରକୃତ ଚିକିତ୍ସା କରାଯିବ ବୋଲି ସୂଚନା ଦେଇଛନ୍ତି।