ପ୍ରେମିକଙ୍କ ସହ ଫୋନ୍‌ରେ କଥା ହେଉଥିଲେ ଝିଅ, ବାପା ମନା କରିବାରୁ ଘଟାଇଲେ ଏମିତି କାଣ୍ଡ

ଭୋପାଳ,୧୭।୧: ମଧ୍ୟପ୍ରଦେଶର ବୈତୁଲରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ପ୍ରେମିକ ସହ କଥା ନ ହେବା ପାଇଁ ଝିଅକୁ ବାପା ମନା କରିବାରୁ ନାବାଳିକା ଝିଅଟି ପ୍ରେମିକ ଏବଂ ବନ୍ଧୁଙ୍କ ସହ ମିଶି ନିଜ ବାପାଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଘଟଣାଟି ବୈତୁଲର ସାରଣୀ ଅଞ୍ଚଳରେ ଘଟିଛି। ଶନିବାର ସାରଣୀ ପୋଲିସ ଏହି ହତ୍ୟା ଘଟଣାର ପର୍ଦ୍ଦାଫାଶ କରି କହିଛି, ଏହି ହତ୍ୟାରେ ମୃତକଙ୍କ ନାବାଳିକା ଝିଅଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଝିଅଟି ହତ୍ୟା କରିବା ପରେ ମୃତଦେହକୁ ଘରେ କମ୍ବଳ ଘୋଡ଼ାଇ ୩ ଦିନ ପର୍ଯ୍ୟନ୍ତ ରଖିଥିଲେ। ପୋଲିସ କହିଛି, ଗତ ୧୪ ତାରିଖରେ ବବୁଲ ନାଗଲେ ଏ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ ଯେ, ତାଙ୍କ ଭିଣୋଇ ଶ୍ରୀରାମ ହୁରମାଡେ ଏବଂ ତାଙ୍କ ନାବାଳିକା ଝିଅ ସହିତ ସୁଭାଷ ନଗରରେ ରହୁଥିଲେ। ସେ ଶ୍ରୀରାମଙ୍କୁ ଫୋନ୍‌ କରିଥିଲେ ମଧ୍ୟ ତାଙ୍କ ସହ କଥା ହୋଇପାରି ନ ଥିଲେ। ୧୪ ଜାନୁୟାରୀରେ ଜଣାପଡ଼ିଲା କି, ଶ୍ରୀରାମଙ୍କ ଘର ପଛପଟୁ ଗନ୍ଧ ଆସୁଥିଲା। ମାତ୍ର ତାଙ୍କ ଝିଅ ଦେଖିବା ପାଇଁ ଯିବାକୁ ଦେଉ ନ ଥିଲେ। ସେତେବେଳେ ବବୁଲ ଶ୍ରୀରାମଙ୍କ ଘରକୁ ଗଲେ ଏବଂ ଝରକା ଖୋଲି ଦେଖିବାରୁ ଶ୍ରୀରାମଙ୍କ ମୃତଦେହ କମ୍ବଳ ଘୋଡ଼ାଇ ହୋଇ ପଡ଼ିଥିବା ଦେଖିଥିଲେ। ତାଙ୍କ ମୁଣ୍ଡ ଏବଂ ବେକରେ ଆଘାତ ଲାଗିଥିବା ମଧ୍ୟ ଦେଖିଥିଲେ।
ଏହା ପରେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଥାନାଧିକାରୀ ମହେନ୍ଦ୍ର ସିଂ ଚୌହାନଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ପ୍ରତ୍ୟେକ ଦିଗ ପ୍ରତି ନଜର ରଖାଯାଇଥିଲା। ଯାଞ୍ଚ ସମୟରେ ଜଣାପଡ଼ିଥିଲା ମୃତକଙ୍କ ନିଜ ଝିଅ ତାଙ୍କ ବନ୍ଧୁ ଏବଂ ପ୍ରେମିକଙ୍କ ସହ ମିଶି ବାପାଙ୍କୁ ହତ୍ୟା କରିଛନ୍ତି। ପରେ ଝିଅ ସମେତ ୪ ଜଣଙ୍କୁ ପୋଲିସ ଗିରଫ କରିଛି।

Share