Categories: ଜାତୀୟ

ଝିଅ ନେବେ ନିଜ ପିନ୍ଧିବା ନିଷ୍ପତ୍ତି

ନୂଆଦିଲ୍ଲୀ,୧୦ା୮(ପି.ଟି.): କ୍ୟାମ୍ପସ୍‌ରେ ହିଜାବ, ବୁର୍ଖା, ଟୋପି ଓ ନକାବ୍‌ ବ୍ୟାନ୍‌ ପାଇଁ ମୁମ୍ବାଇ କଲେଜ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ସ୍ଥଗିତାଦେଶ ଲଗାଇଛନ୍ତି। ପୋଷାକ ଚୟନ କରିବା ସ୍ବାଧୀନତା ଛାତ୍ରୀମାନଙ୍କର ରହିବା ଜରୁରୀ ବୋଲି ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଏବଂ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ କହିଛନ୍ତି। ହିଜାବ ଓ ବୁର୍ଖା ବ୍ୟାନ୍‌ ସର୍କୁଲାରକୁ ନେଇ ଏନ୍‌.ଜି. ଆଚାର୍ଯ୍ୟ ଓ ଡି.କେ. ମରାଠେ କଲେଜ ଚଳାଉଥିବା ଚେମ୍ବୁର ଟ୍ରମ୍ବି ଏଜୁକେଶନ ସୋସାଇଟିକୁ ଖଣ୍ଡପୀଠ ଭର୍ତ୍ସନା କରିଥିଲେ। ବିନ୍ଦି ଏବଂ ତିଳକ ଉପରେ ନିଷେଧାଦେଶ ଲଗାଇବ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଡ୍ରେସ୍‌ କୋଡ୍‌ ସର୍କୁଲାର ଜାରି ଦ୍ୱାରା ଛାତ୍ରୀମାନଙ୍କୁ କିଭଳି ସଶକ୍ତୀକରଣ କରାଯାଉଛି। ମହିଳାମାନଙ୍କ ଚୟନ କରିବା ସ୍ବାଧୀନତା କୁଆଡ଼େ ଗଲା ବୋଲି ଜଷ୍ଟିସ୍‌ ସଞ୍ଜୟ କୁମାର ସୋସାଇଟି ପକ୍ଷର ଓକିଲ ମାଧବୀ ଦିଭାନଙ୍କୁ ପଚାରିଥିଲେ। ଛାତ୍ରୀମାନେ କ’ଣ ପିନ୍ଧିବେ ତାହା ସେମାନଙ୍କ ନିଷ୍ପତ୍ତି। ଏହା ଉପରେ ଶିକ୍ଷାନୁଷ୍ଠାନ ଚାପ ପକାଇବା ଉଚିତ ନୁହେଁ ବୋଲି ଜଷ୍ଟିସ୍‌ କୁମାର କହିଛନ୍ତି। ଦିଭାନ କହିଥିଲେ, ଉକ୍ତ କଲେଜରେ ଉଭୟ ଛାତ୍ରୀ ଓ ଛାତ୍ର ପଢ଼ୁଥିବାରୁ ସେମାନଙ୍କ ଧର୍ମ ବିଶ୍ୱାସ ପରିପ୍ରକାଶ ନ ହେବା ଉଦ୍ଦେଶ୍ୟରେ କଲେଜ କର୍ତ୍ତୃପକ୍ଷ ଉପରୋକ୍ତ ସର୍କୁଲାର ଜାରି କରିଥିଲେ। ତାହା କେବଳ ହିଜାବ, ବୁର୍ଖା କିମ୍ବା ନକାବରେ ସୀମିତ ନ ଥିଲା, ରିପ୍‌ଡ ଜିନ୍ସ ଏବଂ ଅନ୍ୟାନ୍ୟ ପୋଷାକ କ୍ଷେତ୍ରରେ ମଧ୍ୟ ଲାଗୁ ହୋଇଥିଲା। ପିଲାମାନଙ୍କ ନାଁରୁ ସେମାନଙ୍କ ଧର୍ମ ପରିଚୟ ମିଳୁନାହିଁ କି ବୋଲି ଜଷ୍ଟିସ୍‌ ଖାନ୍ନା ପ୍ରଶ୍ନ କରିବା ସହ ଏଭଳି ନିୟମ ନ ଲଗାଇବାକୁ କହିଥିଲେ। ଛାତ୍ରୀମାନଙ୍କୁ ହିଜାବ ଓ ବୁର୍ଖା ପିନ୍ଧିବାରୁ ରୋକିବା ଦୁର୍ଭାଗ୍ୟଜନକ। ସ୍ବାଧୀନତାର ଏତେ ବର୍ଷ ପରେ ଦେଶରେ ଏତେ ସଂଖ୍ୟାରେ ଧର୍ମ ରହିଥିବା ଜାଣିବାକୁ ପାଇଲ କି ବୋଲି ଜଷ୍ଟିସ୍‌ କୁମାର ପ୍ରଶ୍ନ କରିଥିଲେ। ଖଣ୍ଡପୀଠ ଏଜୁକୋନ ସୋସାଇଟିକୁ ନୋଟିସ ଜାରି କରିବା ସହ ନଭେମ୍ବର ୧୮ ସୁଦ୍ଧା ଜବାବ ମାଗିଛନ୍ତି।

Share