ଗଣତନ୍ତ୍ରର ଗରିମା ବଢ଼ିଛି

ଅନିଲ କୁମାର ବିଶ୍ୱାଳ

ଝାଡ଼ଖଣ୍ଡ ରାଜ୍ୟ ସରିକେଲା ଜିଲାର ଛୁଟନି ଦେବୀ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ତାଙ୍କୁ ଫୋନ୍‌ରେ ଯେତେବେଳେ କୁହାଗଲା ଯେ, ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯିବ; ସେତେବେଳେ ପଦ୍ମଶ୍ରୀ ପୁରସ୍କାର କ’ଣ ବୋଲି ବୁଝିପାରି ନ ଥିଲେ ଛୁଟନି ଦେବୀ। ତାଙ୍କୁ କିଛି ଘଣ୍ଟା ପରେ ପୁଣି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଆଉ ଥରେ ଫୋନ୍‌ ଆସିଲା ଓ ସେତେବେଳେ ଜଣେ ସରକାରୀ ଅଧିକାରୀ ତାଙ୍କ ଘରକୁ ଯାଇ ବୁଝାଇ ସାରିଥିଲେ ଯେ ପଦ୍ମଶ୍ରୀ ସମ୍ମାନ ହେଉଛି ଦେଶର ଚତୁର୍ଥ ବଡ଼ ନାଗରିକ ସମ୍ମାନ, ଯେଉଁଥିରେ ସେ ସମ୍ମାନିତ ହେବେ। ୧୯୯୫ରେ ଛୁଟନି ଦେବୀଙ୍କ ଦେହରେ ଡାହାଣୀ ଲାଗିଛି ବୋଲି କହି ତାନ୍ତ୍ରିକ ତାଙ୍କୁ ଜବରଦସ୍ତି ମଳ ଓ ମୂତ୍ର ପିଆଇ ଦେଇଥିଲା। ସେବେଠାରୁ ସେ ସେହି କୁସଂସ୍କାର ବିଷୟରେ ଲୋକମାନଙ୍କୁ ସଚେତନ କରାଇ ଆସୁଛନ୍ତି। ଏଥର ପଦ୍ମ ପୁରସ୍କାରରେ କିଛି ଏମିତି ପ୍ରତିଭାଙ୍କୁ ଦେଶ ସମ୍ମାନ ଦେଇଛି, ଯେଉଁମାନେ ନା କେବେ ପଦ୍ମ ପୁରସ୍କାର କ’ଣ ଜାଣିଥିଲେ ନା ଶୁଣିଥିଲେ। ଆଉ ଜଣେ ହେଉଛନ୍ତି ପଶ୍ଚିମବଙ୍ଗର କାମାଲି ସୋରେନ୍‌। ତାଙ୍କୁ ଯେତେବେଳେ ପଦ୍ମ ପୁରସ୍କାର ପାଇଁ ଫୋନ୍‌ ଆସିଥିଲା, ସେ କହିଥିଲେ- ଦିଲ୍ଲୀ ଯିବା ପାଇଁ ତାଙ୍କ ପାଖରେ ସମ୍ବଳ ନାହିଁ କି ଏତେ ବଡ଼ ସମ୍ମାନ ପାଇବା ପାଇଁ ସେ ନିଜକୁ ଯୋଗ୍ୟ ଭାବୁନାହାନ୍ତି। ଏଭଳି ପ୍ରତିଭାମାନଙ୍କୁ ସମ୍ମାନ ଦେଇ ଦେଶର ଗଣତନ୍ତ୍ରର ଗରିମା ବଢ଼ିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତାଙ୍କ ଭଳି ମଳିମୁଣ୍ଡିଆ ଲୋକଙ୍କୁ ଦେଶର ସର୍ବୋଚ୍ଚ କ୍ଷମତାଶାଳୀ ପଦରେ ପଦାସୀନ ବ୍ୟକ୍ତିି ଯେତେବେଳେ ରାଇସିନା ହିଲ୍‌ରେ ନମସ୍କାର କରୁଥିଲେ, ସାରା ବିଶ୍ୱକୁ ଆମେ ଆମ ଗଣତନ୍ତ୍ରର ମହାନତା ଉପରେ ବାର୍ତ୍ତା ଦେଉଥିଲେ।
ଅଯୋଧ୍ୟାରେ ରହୁଥିବା ମହମ୍ମଦ ଶରିଫ୍‌ଙ୍କୁ ଏଥର ପଦ୍ମଶ୍ରୀ ମିଳିଛି। ୮୩ ବୟସର ଶରିଫ୍‌ ପେସାରେ ଜଣେ ସାଇକେଲ ମେକାନିକ୍‌। ସେ ବର୍ତ୍ତମାନ ସୁଦ୍ଧା ୨୫ ହଜାରରୁ ଅଧିକ ଅଜଣା ଲୋକଙ୍କର ଶବ ସତ୍କାର କରିସାରିଛନ୍ତି। ମହାରାଷ୍ଟ୍ରର ଅହମଦନଗରର ଏକ ଛୋଟ ଗଁାର କୃଷକ ହେଉଛନ୍ତିି ରାହିବାଇ ସୋମା। ରାହିବାଇ ଦେଶୀ ବିହନର କେବଳ ସଂରକ୍ଷଣ କରୁନାହାନ୍ତି ବଂର ଏହାକୁ ଏକ ଲକ୍ଷ୍ୟ ଭାବରେ ନେଇ ଅନେକଙ୍କୁ ପ୍ରୋତ୍ସାହିତ ବି କରୁଛନ୍ତିି। ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଳଙ୍କୁ ବି ପଦ୍ମଶ୍ରୀ ମିଳିଛି। ତାଙ୍କର ବାପା ଘୋଡ଼ାଗାଡ଼ି ଚଲାଇ ଘର ଚଳାଉଥିଲେ ଓ ମା’ ଅନ୍ୟ ଘରେ ବାସନ ମାଜୁଥିଲେ। ମେଘାଳୟର ଜନଜାତି ବର୍ଗର ମହିଳା ଟ୍ରିନିଟ ସାଇଓ, ଯିଏ ନିଜେ ହଳଦୀ ଚାଷ କରିବା ସହିତ ଅନେକ ଜନଜାତି ପରିବାରଙ୍କୁ ରୋଜଗାର ଦେଇପାରିଛନ୍ତି। କର୍ନାଟକର ତୁଳସୀ ଗୌଡ଼ା ବିନା ପାରିଶ୍ରମିକରେ ଜଙ୍ଗଲରେ ଗଛ ଲଗାଇ ଚାଲିଥିଲେ। ପରେ କର୍ନାଟକ ସରକାର ତାଙ୍କୁ କିଛି ପାରିଶ୍ରମିକ ଦେଲେ। ନିଜ ୫୦ ବର୍ଷର ସାଧନାରେ ସେ ପ୍ରାୟ ୧ ଲକ୍ଷ ଗଛ ଲଗାଇଛନ୍ତି। ତାଙ୍କ ପାଖକୁ ଅନେକ ବିଶ୍ୱବିଦ୍ୟାଳୟରୁ ଛାତ୍ରୀଛତ୍ରୀ ଆସନ୍ତି; କାରଣ ଏବେ ସୁଦ୍ଧା ତୁଳସୀ ଲଗାଇଥିବା କୌଣସି ଗଛ ମରିନାହିଁ।
ଆଉ ଜଣେ ଏପରି ବ୍ୟକ୍ତିତ୍ୱ ହେଉଛନ୍ତି ହରେକଳା ହଜବା। ମାଙ୍ଗାଲୋରରେ ଛୋଟିଆ ଦୋକାନଟିରେ ଫଳ ବିକୁଥିବା ହଜବା ନିଜ ଉଦ୍ୟମରେ ଏକ ସ୍କୁଲ କରିଛନ୍ତି, ଯେଉଁଥିରେ ୧୭୫ ଛାତ୍ରୀଛାତ୍ର ମାଗଣାରେ ପାଠ ପଢ଼ୁଛନ୍ତି। ସେହିପରି ଆମ ଓଡ଼ିଶାର ପୂର୍ଣ୍ଣମାସୀ ଜାନୀ କୌଣସି ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରିନାହାନ୍ତି। ସରଳ ଓ ନିରାଡ଼ମ୍ବର ଜୀବନଶୈଳୀ ଆଦରି ନେଇଥିବା ପୂର୍ଣ୍ଣମାସୀ ୪୦ ବର୍ଷ ହେଲାଣି କୁଇ ଭାଷାରେ ଆଧ୍ୟାତ୍ମିକ ବାଣୀ ପ୍ରଚାର କରିଆସୁଛନ୍ତି। ଅନେକ ଜିଜ୍ଞାସୁଙ୍କର ଅନେକ ଅସମାହିତ ପ୍ରଶ୍ନକୁ ଆଧ୍ୟାତ୍ମିକ ଚେତନାରେ ସରଳ ଭାବରେ ସେ ବୁଝାଇ ପାରୁଛନ୍ତି। ସେହିପରି ନନ୍ଦ ସାରଙ୍କ ଅବଦାନ ଅତୁଳନୀୟ। ଶହେ ବର୍ଷ ବୟସ ପାର କରିସାରିଥିବା ନନ୍ଦ ସାର ବିନା ପାରିଶ୍ରମିକରେ ଗ୍ରାମାଞ୍ଚଳରେ ପିଲାମାନଙ୍କୁ ଅନେକ ବର୍ଷ ହେଲାଣି ପାଠ ପଢ଼ାଇ ଆସୁଛନ୍ତି। ସେହିପରି ମଂଜାମା ଜୋଗାଥୀ ହେଉଛନ୍ତି ଜଣେ ଟ୍ରାନ୍ସଜେଣ୍ଡର, ଯିଏକି କର୍ନାଟକରେ ଟ୍ରାନ୍ସଜେଣ୍ଡର ସମୁଦାୟଙ୍କର କଲ୍ୟାଣ ପାଇଁ ଅନେକ କିଛି କରିଛନ୍ତି। ବିଶେଷ ଭାବରେ କର୍ନାଟକର ଲୋକନାଚକୁ ପୁନର୍ଜୀବିତ କରିବା ସହିତ ଟ୍ରାନ୍ସଜେଣ୍ଡଙ୍କୁ ସମ୍ମାନର ସହିତ ବଞ୍ଚତ୍ବା ପାଇଁ ରାହା ଦେଖାଇଛନ୍ତି।
ଏହି ମହାନ୍‌ ସାଧକମାନେ ନା କୌଣସି ସେଲିବ୍ରିଟି ନା ସେମାନଙ୍କୁ ସାରା ଦେଶରେ ଲୋକ ଚିହ୍ନିଥିଲେ। ଏମାନଙ୍କର ଟ୍ବିଟର କି ଇନ୍‌ଷ୍ଟାଗ୍ରାମରେ ଆକାଉଣ୍ଟ ନାହିଁ କି ସେମାନଙ୍କର ସାମାଜିକ ଗଣମାଧ୍ୟମରେ କୌଣସି ଅନୁଗାମୀ ବି ନାହାନ୍ତିି। ସେମାନେ କେବେ ବି କୌଣସି ଖବରକାଗଜର ପ୍ରଥମ ପୃଷ୍ଠାର ଖବର ହୋଇନଥିଲେ। ସେମାନଙ୍କର କାମକୁ ନେଇ କେବେ କୌଣସି ଟେଲିଭିଜନରେ କାର୍ଯ୍ୟକ୍ରମ ହୁଏ ନାହିଁ କି ସେମାନଙ୍କର ସାକ୍ଷାତ୍‌କାରକୁ କେହି ଦେଖାନ୍ତିି ନାହିଁ। ସେମାନଙ୍କର କୌଣସି ଏନ୍‌ଜିଓ ନାହିଁ। ସେମାନେ ରାଷ୍ଟ୍ରପତିଙ୍କ ପାଖରୁ ପୁରସ୍କାର ପାଇଲା ବେଳେ ନା ପିନ୍ଧିଥିଲେ କୌଣସି ଡିଜାଇନର ବନାଇଥିବା ସୁଟ ବୁଟ କି ଲହଙ୍ଗା ନା ପାଦରେ ଥିଲା ଦାମୀ ଜୋତା। ଏମାନଙ୍କୁ ଜଣା ନଥିଲା ଫଟୋ ପୋଜର ଅଭିଜ୍ଞତା। ଭିଡିଓରେ ଯାହା ଦେଖିବାକୁ ମିଳୁଛି ମହାମହିମ ରାଷ୍ଟ୍ରପତି ପ୍ରାୟ ଅନେକଙ୍କୁ କ୍ୟାମେରା ଆଡ଼କୁ ଅନେଇବା ପାଇଁ ହାତରେ ଇଙ୍ଗିତ କରୁଛନ୍ତିି। ଦେଶର କୋଣ ଅନୁକୋଣରୁ ଏଭଳି ସମର୍ପିତ ସାମାଜିକ ସାଧକମାନଙ୍କୁ ଖୋଜି ବାହାର କରି ସେମାନଙ୍କୁ ସମ୍ମାନ ଦେବା ନିଶ୍ଚୟ ଦେଶର ସାଧାରଣ ଲୋକଙ୍କ ପାଇଁ ପ୍ରେରଣା ସୃଷ୍ଟି କରୁଛି। ଦେଶ ବଦଳିବ ଯେତେବେଳେ, ଏହିଭଳି ଲୋକମାନଙ୍କୁ ଦେଶ ସମ୍ମାନ ଦେବ। ଦେଶର ମା’ବାପାମାନେ ସେମାନଙ୍କର ପିଲାମାନଙ୍କୁ ଯେବେ ନନ୍ଦ ସାର, ହଜବା, ପୂର୍ଣ୍ଣମାସୀଙ୍କ ଭଳି ଲୋକଙ୍କୁ ଆଦର୍ଶ ବୋଲି ଦେଖାଇବେ ସେତେବେଳେ ଭାରତ ସୁନା ହୋଇଯିବା।
ଭାରତରତ୍ନ ପରେ ଦେଶର ପ୍ରମୁଖ ବେସାମରିକ ସମ୍ମାନ ହେଉଛି ପଦ୍ମ ସମ୍ମାନ। ନିୟମ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଠିତ ମନୋନୟନ କମିଟିରେ କ୍ୟାବିନେଟ୍‌ ସଚିବ, ଗୃହ ସଚିବ, ରାଷ୍ଟ୍ରପତିଙ୍କ ସଚିବ ଏବଂ ଦେଶର ୫ ଜଣ ବିଶିଷ୍ଟ ବ୍ୟକ୍ତି ରହିବେ। ସେମାନେ ଚୟନ କରି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବିତ ନାମଗୁଡିକ ପଠାଇବେ। ଆମ ଦେଶର ଦୁର୍ଭାଗ୍ୟ ଯେ, ୧୯୬୦ ଦଶକରୁ ଏହି ପୁରସ୍କାର ପାଇବାର ମାପଦଣ୍ଡ ରାଜନୈତିକ ନେତାମାନଙ୍କର ବ୍ୟକ୍ତିଗତ ଇଚ୍ଛାରେ ନିର୍ଭର କଲା। କେଉଁ ଓକିଲ ରାଜନେତାଙ୍କୁ ମୋକଦ୍ଦମାରେ ରକ୍ଷା କରିଦେଲେ, କେଉଁ ଲେଖକ ତାଙ୍କ ବହିରେ ପ୍ରଧାନମନ୍ତ୍ରୀଙ୍କର ପ୍ରଶଂସା କଲେ ସେମାନଙ୍କୁ ପଦ୍ମ ପୁରସ୍କାର ମିଳିଯାଉଥିଲା। ରାଜେନ୍ଦ୍ର ପ୍ରସାଦ ତାଙ୍କର ସେବା କରୁଥିବା ନର୍ସ, ରାଜୀବ ଗାନ୍ଧୀ ତାଙ୍କୁ ପାଠ ପଢ଼ାଇଥିବା ଡୁନ ସ୍କୁଲର ଅଧ୍ୟକ୍ଷଙ୍କୁ ପଦ୍ମ ପୁରସ୍କାର ଦେଇଥିଲେ। ନନ୍ଦ ପୃଷ୍ଟିଙ୍କ ଭଳି ଶିକ୍ଷକଙ୍କୁ ପଚାରେ କିଏ? ଧୀରେ ଧୀରେ ଏହି ପୁରସ୍କାରରେ ଭାରତୀୟ କଳା ସଂସ୍କୃତି ଅପେକ୍ଷା ବଲିଉଡ୍‌ର ପ୍ରଭାବ ବୃଦ୍ଧି ପାଇଲା। ସନତ ସିଂ ଛଟ୍ଟଓ୍ବାଲ, ଯାହାଙ୍କ ନଁାରେ ଆମେରିକା ଓ ଭାରତରେ ଠକେଇ ମାମଲା ଥିଲା ତାଙ୍କୁ ବି ପଦ୍ମ ପୁରସ୍କାର ମିଳିଥିଲା। ସେହିପରି ଭାରତରତ୍ନ ପୁରସ୍କାରକୁ ନେଇ ମଧ୍ୟ ଅନେକ ବିବାଦ ରହିଛି। ଇନ୍ଦିରା ଗାନ୍ଧୀ ଓ ନେହେରୁ ନିଜେ ପ୍ରଧାନମନ୍ତ୍ରୀ ଥିବା ବେଳେ ସେମାନେ ଭାରତରତ୍ନ ପୁରସ୍କାର ପାଇଛନ୍ତିି। ବାବା ସାହେବ ଆମ୍ବେଡକର, ସର୍ଦ୍ଦାର ପଟେଲ ଭାରତରତ୍ନ ପାଇବାର ବହୁ ଆଗରୁ ଇନ୍ଦିରା ଗାନ୍ଧୀଙ୍କୁ ଭାରତରତ୍ନରେ ସମ୍ମାନିତ କରାଯାଇଥିଲା।
୨୦୨୦-୨୧ ବର୍ଷ ପାଇଁ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୬ଙ୍କୁ ପଦ୍ମ ଭୂଷଣ ଏବଂ ୧୨୨ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯାଇଛି। ସେମାନଙ୍କ ଭିତରୁ ୨୯ ଜଣ ମହିଳା ପଦ୍ମ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଏଥର ପୁରସ୍କାର ତାଲିକାରେ ସ୍ଥାନ ପାଇଥିବା ଅନେକ ପ୍ରତିଭା ଏମିତି ଅଛନ୍ତି, ଯେଉଁମାନେ ନା ଆଗରୁ କେବେ କୌଣସି ବଡ଼ ପୁରସ୍କାର ପାଇଥିଲେ ନା ସେମାନଙ୍କୁ କୌଣସି ଅନ୍ୟ ଅନୁଷ୍ଠାନ ସ୍ବୀକୃତି ଦେଇଥିଲେ। ସେମାନେ କେବେ ପୁରସ୍କାର ପାଇବା ଆଶାରେ ଏହି ସେବା କାମ କରୁନଥିଲେ। ଏହି ପ୍ରତିଭାମାନଙ୍କୁ ଦେଶ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରି ସାଧାରଣ ମଣିଷର ଅସାଧାରଣ କାର୍ଯ୍ୟକୁ ସମ୍ମାନିତ କରିଛି। ଏହି ପୁରସ୍କୃତ ମହାମନୀଷୀମାନଙ୍କ ମଧ୍ୟରୁ କିଛି ଜଣ ଯେତେବେଳେ ରାଷ୍ଟ୍ରପତି ମହଲର ନାଲି ମଖମଲି ଗାଲିଚା ଉପରେ ଖାଲି ପାଦରେ ଚାଲିକି ଯାଇ ସମ୍ମାନ ଆଣିଲେ, ଏହା ଦର୍ଶାଉଥିଲା ଯେ କେତେ ସରଳ ସେମାନଙ୍କର ଜୀବନଶୈଳୀ, କେତେ ନିଷ୍କପଟ ଥିଲା ସେମାନଙ୍କର ସାଧନା। ଯେଉଁ ପାରମ୍ପରିକ ଧାରା ଚାଲିଆସିଥିଲା ଯେ ବଲିଉଡ୍‌ କ୍ରିକେଟ ଖେଳାଳି ଏବଂ ରାଜନେତାମାନେ ହିଁ ଦେଶରେ ପଦ୍ମ ପୁରସ୍କାର ପାଇବେ ସେହି ଧାରା ଭାଙ୍ଗୁଛି। ଯେତେବେଳେ ଭାରତର ରାଷ୍ଟ୍ରପତିଙ୍କୁ ନନ୍ଦ ସାର ଓ ମଂଜାମା ଜୋଗାଥୀ ହାତ ଟେକି ଆର୍ଶୀବାଦ ଦେଉଥିଲେ, ସେତେବେଳେ ଭାରତୀୟ ଗଣତନ୍ତ୍ରର ମହତ୍ତ୍ୱ ସାରା ବିଶ୍ୱ ଅନୁଭବ କରିଥିବ। ଆମକୁ ଗଣତନ୍ତ୍ର ଶିଖାଇଛନ୍ତି ବୋଲି ମନେ ମନେ ଗର୍ବ କରୁଥିବା ବ୍ରିଟେନ୍‌ରେ ଯେତେବେଳେ ନାଇଟ୍‌ହୁଡ ପୁରସ୍କାର ଦିଆଯାଏ, ସେତେବେଳେ ପୁରସ୍କାର ନେଉଥିବା ଲୋକଙ୍କୁ ରାଣୀଙ୍କ ଆଗରେ ଆଣ୍ଠେଇ ସମ୍ମାନ ଗ୍ରହଣ କରିବାକୁ ପଡ଼େ।
ଗଣମାଧ୍ୟମରେ ସବୁବେଳେ ସେଲିବ୍ରିଟିମାନେ କ’ଣ କଲେ ତାହାକୁ ନେଇ ଚର୍ଚ୍ଚା। ଉଦାହରଣ ସ୍ବରୂପ ସୋନୁ ସୁଡ। କରୋନା ସମୟରେ ଅନେକ ସାମାଜିକ ସଙ୍ଗଠନ ଦିନ ରାତି ଏକ କରି ଲୋକଙ୍କ ପାଖରେ ଅମ୍ଳଜାନଠାରୁ ଆରମ୍ଭ କରି ଔଷଧ ପହଞ୍ଚାଉଥିଲେ। କିନ୍ତୁ ଗଣମାଧ୍ୟମରେ କେବଳ ଚର୍ଚ୍ଚାରେ ରହିଲେ ସୋନୁ ସୁଡ। ଏବେ ତାଙ୍କ ଉପରେ ଆୟକର ଚଢ଼ାଉ କଲାଣି। ଏବେ କିଛି ଦିନ ତଳେ ଶାହାରୁଖ ଖାନ୍‌ଙ୍କ ପୁଅଙ୍କର ଡ୍ରଗ୍ସ ଖାଇବା ଘଟଣା ସବୁଦିନ ପ୍ରାଇମ ଟାଇମରେ ଟିଭି ଚ୍ୟାନେଲରେ ଆସୁଥିଲା। କ’ଣ ଭାରତରେ ଯେଉଁମାନେ ନିଃସ୍ବାର୍ଥପର ଭାବରେ ଅନ୍ୟର କଲ୍ୟାଣ ପାଇଁ କାମ କରିଚାଲିଛନ୍ତି, ସେମାନେ ସେଲିବ୍ରିଟ ହୋଇ ନ ଥିବାରୁ, ବଡ଼ ପରିବାରରେ ଜନ୍ମ ନେଇ ନ ଥିବାରୁ ସେମାନଙ୍କ ବିଷୟରେ କେବେ ଆଲୋଚନା ହେବ ନାହିଁ? ଏବେ ସେହି ଧାରାକୁ ବଦଳାଇବାର ସମୟ ଆସିଛ। ସମାଜର ତଳସ୍ତରରେ ମାନବ ଜାତିର କଲ୍ୟାଣ ପାଇଁ ଅହରହ ତିଳ ତିଳ ଜଳୁଥିବା ମେହନତି ମଣିଷମାନଙ୍କୁ ଏବେ ରୋଲ ମଡେଲ ଭାବରେ ଗ୍ରହଣ କରିବାକୁ ହେବ।
ହରିରାଜପୁର, ପୁରୀ
ମୋ: ୮୨୪୯୮୬୮୯୬୧